ଭୁବନେଶ୍ବର: ୮ ବର୍ଷ ବିତିଲାଣି। ଅଥଚ ବଲାଙ୍ଗୀର ଜିଲ୍ଲା ସ୍ନେହଲତା ଛତ୍ରିଆ(୧୫) ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିପାରି ନାହିଁ ପୁଲିସ। ଅନୁଗୁଳର ମହିଳା ହୋମଗାର୍ଡ ସୈରେନ୍ଦ୍ରୀ ସାହୁଙ୍କୁ ନିଜ ଘରେ କାମ କରାଇ ଜଣେ ଆଇପିଏସ୍ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ଏତେ ନିର୍ଯାତନା ଦେଲେ ଯେ ସେ ଆତ୍ମହତ୍ୟା ପାଇଁ ଟ୍ରେନ୍ ସମ୍ମୁଖକୁ ଯାଉଥିବା ବେଳେ ନିଜ ଗୋଡ଼ ଦୁଇଟି ହରାଇଲେ। ଏହାପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଓଲଟା ଘଟଣା ପ୍ରଘଟ ହେବା ପରେ ଭିନ୍ନକ୍ଷମ ହୋମଗାର୍ଡଙ୍କୁ ମାତ୍ର ୩୦ ହଜାର ଟଙ୍କା କ୍ଷତିପୂରଣ ଦେଇ ଚୁପ କରି ଦିଆଗଲା। କିଛି ଦିନ ପୂର୍ବରୁ ରାଜଧାନୀର ଜଣେ ଉଚ୍ଚ ବର୍ଗର ମହିଳାଙ୍କ କାନକୁ ତାଙ୍କ ସ୍ବାମୀ ଗେଟ୍ରେ ଚାପି ଦେବା ଦ୍ବାରା ସେ ଲହୁଲୁହାଣ ହୋଇଥିଲେ।
ଏସବୁ କେବଳ ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ପରିସଂଖ୍ୟାନ ସ୍ପଷ୍ଟ ଭାବେ ଜଣାଉଛି ଯେ ରାଜ୍ୟରେ ମହିଳା ନିର୍ଯାତନା ହାର ବଢ଼ି ବଢ଼ି ଚାଲିଛି। ରାଜ୍ୟ ସରକାର ଏହାକୁ ରୋକିବା ଲାଗି ଯେତେ ତତ୍ପରତା ଦେଖାଇଲେ ବି ତୃଣମୂଳସ୍ତରରେ ଅଧିକାରୀମାନେ ଏହାକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ। ପରିଣାମ ହେଲା- ଏସିଡ଼ ଆକ୍ରମଣର ଶିକାର ମହିଳାଙ୍କୁ ମଧ୍ୟ ନ୍ୟାୟ ପାଇଁ ଲୋୟର ପିଏମଜିରେ ଛିଡ଼ା ହେବାକୁ ପଡ଼ୁଛି। ଏହି ପ୍ରସଙ୍ଗକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କଲେଣି। ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ପରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ଏଠାରେ ସ୍ମରଣଥାଉକି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିକଟରେ ଚମକାଇଦେବା ଭଳି ଗୋଟିଏ ରିପୋର୍ଟ ଦେଇଛି। ଏଥିରେ କୁହାଯାଇଛି, ସମଗ୍ର ବିଶ୍ବରେ ଆଜି ବି ପ୍ରତି ୩ରୁ ଜଣେ ମହିଳା ନିଜ ଜୀବନ ସମୟରେ ନିଶ୍ଚିତ ଭାବରେ ଅନ୍ୟୂନ ଥରେ ଶାରୀରିକ ଏବଂ ଯୌନଗତ ହିଂସାର ଶିକାର ହୁଅନ୍ତି। ଏଥିମଧ୍ୟରୁ ଅଧିକାଂଶ ପ୍ରେମିକ କିମ୍ବା ସ୍ବାମୀ ଦ୍ବାରା ସର୍ବାଧିକ ନିର୍ଯାତିତ ହୁଅନ୍ତି। ନିର୍ଯାତିତ ମହିଳାଙ୍କ ମଧ୍ୟରେ ଦକ୍ଷିଣ-ପୂର୍ବ ଏସିଆର ମହିଳାଙ୍କ ସଂଖ୍ୟା ବିଶ୍ବରେ ଦ୍ବିତୀୟ ସର୍ବାଧିକ ଅଟେ। ଏହାକୁ ଅନେକ ଅତିରଞ୍ଜିତ ମନେ କରୁଥିଲେ ହେଁ ପ୍ରସଙ୍ଗର ଗମ୍ଭୀରତାକୁ ଏଡ଼ାଇ ପାରୁନାହାନ୍ତି।
ଏମିତିରେ ବି ଓଡ଼ିଶାରେ ମହିଳା ହିଂସା ଉପରମୁହାଁ ହୋଇ ରହିଛି। ୨୦୧୪ ମସିହାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ସ୍ବୀକାର କରିଥିଲେ ଯେ ୧୫ରୁ ୪୯ ବର୍ଷର ରାଜ୍ୟର ୪୨% ମହିଳା ଶାରୀରିକ ଏବଂ ଯୌନଗତ ହିଂସାର ଶିକାର ହୋଇଥାଆନ୍ତି। ଗତବର୍ଷ ପ୍ରକାଶିତ ଏନସିଆର୍ବି ରିପୋର୍ଟ ଅନୁସାରେ, ରାଜ୍ୟରେ ନିର୍ଯାତନାର ଶିକାର ମହିଳାଙ୍କ ସଂଖ୍ୟା ପୂର୍ବବର୍ଷମାନଙ୍କ ତୁଳନାରେ ବଢ଼ିଛି। ୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୨୩ ଥିଲା, ଯାହା ୨୦୨୦କୁ ବୃଦ୍ଧି ପାଇ ୨୫ ହଜାର ୪୯୯ରେ ପହଞ୍ଚିଥିଲା। ହେଲେ ୨୦୨୧ରେ ଏହା ୩୧ ହଜାର ୩୫୨କୁ ପୁଣି ବଢ଼ିଥିଲା। ଏହା ଭାରତରେ ତୃତୀୟ ସର୍ବାଧିକ ଅଟେ। ଏଥିରେ ଦୁଷ୍କର୍ମ, ଅପହରଣ ଏବଂ ସ୍ବାମୀ ନିର୍ଯାତନା ଅଧିକ ରହୁଛି। ଲକ୍ଡାଉନରେ ମହିଳାମାନେ ଘରେ ଯେଉଁଭଳି ଭାବରେ ହିଂସାର ଶିକାର ହେଲେ ତାହା ଆମ ସାମାଜିକ ବ୍ୟବସ୍ଥାର କ୍ରୁର ଚିତ୍ର ପଦାକୁ ପକାଇ ଥିଲା। ଥାନାକୁ ଆସୁଥିବା ମାମଲାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହାଭିନ୍ନ ଅନେକ ଶିଶୁ କନ୍ୟା, ମହିଳା ଏବଂ ବୃଦ୍ଧା ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଥିଲେ ହେଁ ଏହାର ରିପୋର୍ଟ ହେଉ ନାହିଁ।
କଟକ ଏବଂ ଭୁବନେଶ୍ବର କମିସନରେଟ୍ ପୁଲିସ ସହିତ କାର୍ଯ୍ୟ କରୁଥିବା ସାମାଜିକ କର୍ମକର୍ତ୍ତା ଶୁଭଶ୍ରୀ ଦାସ କହିଛନ୍ତି, ପ୍ରତି ଜିଲ୍ଲାରେ ମହିଳାଙ୍କ ନିର୍ଯାତନାର ସ୍ବରୂପ ଭିନ୍ନ ଥାଏ। ଗଞ୍ଜାମରେ ଆଜି ମଧ୍ୟ ଅନେକ ଝିଅଙ୍କୁ ଅନର କିଲିଂ ବା ସମ୍ମାନ ପାଇଁ ହତ୍ୟା କରାଯାଉଛି। ଆଦିବାସୀ ଅଞ୍ଚଳରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରି ଦିଆଯାଉଛି। କଟକ ଏବଂ ଭୁବନେଶ୍ବରର ଉଚ୍ଚ ବର୍ଗରେ ଏହି ସଂଖ୍ୟା କମ ନୁହେଁ। ପୁଲିସ ପରାମର୍ଶରେ ତାଙ୍କ ସଙ୍ଗଠନ ପାଖକୁ ଭୁବନେଶ୍ବରର ୨୨ରୁ ୨୭ ମହିଳା ପ୍ରାୟ ପ୍ରତି ମାସରେ ଆସନ୍ତି। ସ୍ତ୍ରୀଙ୍କୁ ମାଡ଼ପିଟ୍ ଘଟଣା ଅତି ସାଧାରଣ। ଏହାବାଦ ନିର୍ଯାତନାର ଅନେକ କାହାଣୀ ବିଶ୍ବାସ ମଧ୍ୟ ହୁଏ ନାହିଁ। ସ୍ତ୍ରୀ ସମ୍ମୁଖରେ ବା ସ୍ତ୍ରୀକୁ ଦେଖାଇ ଅନେକ ସ୍ବାମୀ ପ୍ରେମିକାଙ୍କ ସହିତ ଅଶ୍ଳୀଳ ଆଚରଣ କରନ୍ତି ବା ଫୋନରେ ଅଶ୍ଳୀଳ କଥା ହୁଅନ୍ତି। ଏହାର ପ୍ରତିକ୍ରିୟା ପ୍ରକାଶ କଲେ ସ୍ବାମୀ ହିଂସ୍ର ହୋଇ ଯାଆନ୍ତି। କାଉନସେଲିଂ ପାଇଁ ସ୍ବାମୀ ପକ୍ଷକୁ ଡକାଗଲେ ସେମାନେ ସହଯୋଗ କରନ୍ତି ନାହିଁ। କର୍ମକ୍ଷେତ୍ରରେ ନିର୍ଯାତିତା ହେଉଥିବା ନେଇ ଅନେକ ଅଭିଯୋଗ ଆସିଛି। ସ୍କୁଲ, କଲେଜ ପଢୁଆ ଝିଅ ଲମ୍ପଟ ଏବଂ ଅସମାଜିକ ପୁଅଙ୍କ ଦ୍ବାରା ଅଶ୍ଳୀଳ ଆଚରଣର ଶିକାର ହୁଅନ୍ତି। ଏହା ଫଳରେ ସେମାନଙ୍କ ପଢା ପ୍ରଭାବିତ ହୁଏ।
ସାମାଜିକ କର୍ମକର୍ତ୍ତା ପଲ୍ଲିଶ୍ରୀ କହନ୍ତି, ଥାନାକୁ ଗଲେ ନିର୍ଯାତନାର ଶିକାର ଝିଅମାନଙ୍କୁ ଭଲ ବ୍ୟବହାର ମିଳେ ନାହିଁ। ଏଠାରେ ପ୍ରଶିକ୍ଷଣପ୍ରାପ୍ତ କାଉନସିଲ୍ଙ୍କ ଅଭାବ ରହିଛି। ସେଥିପାଇଁ ଅନେକ ଥାନାକୁ ଯିବା ପାଇଁ ଭୟ କରନ୍ତି।
ଏମ୍ସର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଦେବଦତ୍ତା ମହାପାତ୍ର କହିଛନ୍ତି, ଘର, ନିଜ ଗାଁ କି କର୍ମକ୍ଷେତ୍ର ପ୍ରତିଟି ସ୍ଥାନରେ ମହିଳା ନିର୍ଯାତନାର ହାର ଏତେ ଅଧିକ ଯେ ମହିଳା ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମନ ଅସ୍ଥିର କିମ୍ବା ଛୋଟ କଥାରେ ଭାଙ୍ଗି ପଡ଼ୁଥିବା, ଜିନିଷ ଫିଙ୍ଗାଫୋପଡ଼ା କରୁଥିବା ଅଥବା ହାତ କାଟି ଦେଉଥିବା ୯୦ % ମହିଳାଙ୍କ ରୋଗର କାରଣ ଯୌନଗତ କିମ୍ବା ଶାରୀରିକ ହିଂସା। ଏମାନଙ୍କ ମଧ୍ୟରୁ ଅନେକଙ୍କର ଶୈଶବ କାଳର ନିର୍ଯାତନା ଛାପ ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରେ। ନିରାଶ ଏବଂ ବ୍ୟଗ୍ରତାର ଶିକାର ୬୦-୭୦% ମହିଳାଙ୍କ ସମସ୍ୟାର କାରଣ ମଧ୍ୟ ଶାରୀରିକ ଏବଂ ଯୌନଗତ ନିର୍ଯାତନା। ମଦ୍ୟପ ସ୍ବାମୀଙ୍କ ଶାରୀରିକ ଏବଂ ମାନସିକ ଯାତନା ଅନେକ ସ୍ତ୍ରୀଙ୍କୁ ମାନସିକ ରୋଗୀ କରୁଛି। କେବଳ ଗରିବ କିମ୍ବା ଅଶିକ୍ଷିତ ନୁହେଁ, ଉଚ୍ଚ ବର୍ଗର ମହିଳାମାନେ ମଧ୍ୟ ବାଦ୍ ପଡ଼ୁ ନାହାନ୍ତି। ବରଂ ଉଚ୍ଚ ବର୍ଗର ଶିକାର ନିର୍ଯାତିତା ମହିଳା ପାଟି ଖୋଲୁନଥିବାରୁ ସେମାନଙ୍କ ସଂଖ୍ୟା ଅଧିକ।