ଜେଲ୍‌ ଭିତରେ ଆକ୍ରମଣ : ଜଣେ ଆହତ, ଉତ୍ତେଜନା

ବରଗଡ଼ : ବରଗଡ଼ ଉପକାରାଗାରରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ଘଟି ଜଣେ ବିଚାରାଧୀନ କଏଦୀ ଏମଡି ଅଲତାଫ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅଲତାଫଙ୍କ ଅଭିଯୋଗ ହେଲା, ଶୁକ୍ରବାର ସକାଳେ ସେ ଜେଲ୍ ପରିସରରେ ଗାଧୋଇବାକୁ ବାହାରିଥିଲେ। ହେଲେ ପଛପଟୁ ତାଙ୍କୁ କ୍ରିଷ୍ଣା ମହାପାତ୍ର ଏବଂ କାହ୍ନା ପଥର, ଇଟାରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ି ଯିବାରୁ ସମସ୍ତେ ମିଶି ଗୋଇଠା ମାରିଥିଲେ। ଏଥିରେ ତାଙ୍କ ମୁହଁ, ଗୋଡ଼ ଏବଂ ପେଟରେ ଗୁରୁତର ଆଘାତ ଲାଗିଛି। ଜେଲ୍ କର୍ତୃପକ୍ଷଙ୍କ କହିବା ହେଲା, ଚାରିମାସ ତଳେ କ୍ରିଷ୍ଣା, କାହ୍ନା ଏବଂ ଅନ୍ୟ ଦୁଇ ଜଣ ଡକାୟତି ଉଦ୍ୟମ ମାମଲାରେ ଗିରଫ ହୋଇ ଜେଲକୁ ଆସିଥିଲେ। ଅଲତାଫଙ୍କ ସୂଚନା ପାଇ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା। ଫଳରେ ସେମାନେ ଅଲତାଫଙ୍କ ଉପରେ ରାଗ ରଖିଥିଲେ। ଏକ ମାଡପିଟ୍ ମାମଲାରେ ଦୀପାବଳି ଦିନ ଅଲତାଫ କୋର୍ଟଚାଲାଣ ପରେ ଜେଲ୍ ହାଜତକୁ ଯାଇଥିଲେ। ଶୁକ୍ରବାର ସକାଳୁ ଅଲତାଫ ଗା‌େଧାଇବାକୁ ବାହାରୁଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଉଭୟ ଗୋଷ୍ଠୀକୁ ଅଲଗା ଜେଲରେ ରଖିବା ପାଇଁ ଜଜଙ୍କ ପାଖରେ ଆବେଦନ କରାଯାଇଥିବା ଜେଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଅଲତାଫ ଡାକ୍ତରଖାନାରେ ଭର୍ତି ଥିବାବେଳେ ବାହାରେ ତାଙ୍କ ପରିବାର ଏବଂ ପଡ଼ାଲୋକେ ହୋହଲ୍ଲା କରିଥିଲେ।

ସମ୍ବନ୍ଧିତ ଖବର