ଲାଞ୍ଜିଗଡ଼ ବିଧାୟକଙ୍କ କାର୍‌ ଧକ୍କାରେ ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ତୁମାଣ୍ତି ଛକଠାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ କାର୍ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ଦଶପଲ୍ଲା ବ୍ଲକ୍‌ ଟାକରା ପଞ୍ଚାୟତ ବୁଗୁଡ଼ା ଗ୍ରାମର ସନ୍ତୋଷ କୁମାର ବାରିକ(୪୨)। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସନ୍ତୋଷ ନିଜ ବାଇକ୍‌ ଯୋଗେ ତୁମାଣ୍ତି ଗ୍ରାମରୁ ଦଶପଲ୍ଲା ଯାଉଥିବାବେଳେ ବିଧାୟକ ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ଏହି ସମୟରେ ଜାତୀୟ ରାଜପଥ ଉପରେ ବାଇକ୍‌ ସହ ବିଧାୟକଙ୍କ କାର୍‌ର ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଫଳରେ ଦୁର୍ଘଟଣାରେ ସନ୍ତୋଷଙ୍କ ମୁଣ୍ତରୁ ପ୍ରବଳ ରକ୍ତସ୍ରାବ ହୋଇ ସେ ଗୁରୁତର ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ବିଧାୟକ ସେଠାରୁ ଖସି ପଳାଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସନ୍ତୋଷଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସନ୍ତୋଷଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଂଚଳବାସୀ କିଛି ସମୟ ପାଇଁ ତୁମାଣ୍ତି ଛକଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର