ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟି ଆଟେଣ୍ଡାଣ୍ଟ ଗୁରୁତର

କଟକ : ଏସ୍‌ସିବି ମେଡିକାଲ୍‌ର ପଲ୍‌ମୁନାରୀ ମେଡିସନ୍‌ ଓ୍ଵାର୍ଡରେ ଅକ୍ସିଜେନ୍‌ ଫ୍ଲୋ ମିଟର ଫାଟି ଜଣେ ରୋଗୀ ଆଟେଣ୍ଡାଣ୍ଟ ଆହତ ହୋଇଛନ୍ତି। ଅକ୍ସିଜେନ୍‌ ଲଗାଇବା ଦାୟିତ୍ୱରେ ଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟ ଅନୁପସ୍ଥିତ ଥିବା ବେଳେ ଗୁରୁତର ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ନିଜ ସଂପର୍କୀୟଙ୍କ ଦେହରେ ନିଜେ ଅକ୍ସିଜେନ୍‌ ଲଗାଇବାକୁ ଉଦ୍ୟମ କରି ଆଟେଣ୍ଡାଣ୍ଟ୍‌ ଜଣକ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ରୋଗୀ ଆଟେଣ୍ଡାଣ୍ଟ୍‌ଙ୍କୁ କାଜୁଆଲିଟିରେ ଚିକିତ୍ସା କରାଯାଇଥିବା ବେଳେ ଏହି ପ୍ରକ୍ରିୟାରେ ଆଟେଣ୍ଡାଣ୍ଟ୍‌ ନେଇ ଆସିଥିବା ରୋଗୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରରୁ ୭୦ ବର୍ଷିୟ ଗୁରୁତର ରୋଗୀଙ୍କୁ ନେଇ ଆସିଥିବା ସଂପର୍କୀୟ ଜଣକ ଶେଷରେ ନିଜେ ଆହତ ହେବା ସହ ରୋଗୀଙ୍କ ମୃତଦେହ ସହ ଘରକୁ ଫେରିଛନ୍ତି।

ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଆସିଥିବା ଏହି ୭୦ ବର୍ଷୀୟ ରୋଗୀ ଏସ୍‌ସିବିର ପଲମୁନାରି ମେଡିସିନ୍‌ ବିଭାଗରେ ଭର୍ତ୍ତି ହୋଇଥିଲେ। ରୋଗୀଙ୍କ ଦେହରେ ଅକ୍ସିଜେନ୍‌ ଲଗାଇବା ପାଇଁ ସେଠାରେ କୌଣସି ଓ୍ଵାର୍ଡ ଆଟେଣ୍ଡାଣ୍ଟ ନଥିବାରୁ ତାଙ୍କ ସହିତ ଥିବା ଆଟେଣ୍ଡାଣ୍ଟ ଜଣକ ତରବରିଆ ଭାବେ ଅକ୍ସିଜେନ୍‌ ସିଲିଣ୍ଡରରେ ପାଇପ୍‌ ସଂଯୋଗ କରୁଥିଲେ। ହେଲେ ଅସାବଧାନତା ଯୋଗୁଁ ହଠାତ୍‌ ଫ୍ଲୋ ମିଟର ଫାଟିଯାଇଥିଲା। ଏହାର କିଛି ଅଂଶ ରୋଗୀ ଆଟେଣ୍ଡାଣ୍ଟଙ୍କ ଆଖିରେ ବାଜିଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ସଂପୃକ୍ତ ଆଟେଣ୍ଡାଣ୍ଟଙ୍କୁ ତୁରନ୍ତ କାଜୁଆଲ୍‌ଟି ନିଆଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଅଭିଯୋଗ ଅନୁଯାୟୀ ଅକ୍ସିଜେନ୍‌ ଲଗାଇବା ପାଇଁ ଓ୍ଵାର୍ଡ ଆଟେଣ୍ଡାଣ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ସେମାନେ ଡ୍ୟୁଟି କରିବା ପରିବର୍ତ୍ତେ ଅଧିକାଂଶ ସମୟ ବିଭାଗରେ ଅନୁପସ୍ଥିତ ରହୁଛନ୍ତି। ସେମାନଙ୍କ ଉପରେ ବିଭାଗୀୟ ମୁଖ୍ୟ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ଅକ୍ଷମତା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର