ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ତାଳସର ଗ୍ରାମ ସୂର୍ଯ୍ୟନଗର ସାହିରେ ଆଜି ଏକ ବାର୍‌ହା ଆତଙ୍କ ଖେଳାଇଛି। ବାର୍‌ହାଟି ଗ୍ରାମର ଜଗଦୀଶ ଜେନାଙ୍କୁ ଅତର୍କିତ ଆକ୍ରମଣ କରିବା ପରେ ଗୀତା ସ୍ବାଇଁ ନାମକ ଜଣେ ମହିଳାଙ୍କ ଘର ଭିତରେ ପଶି ଯାଇଥିବା ଜଣାପଡ଼ିଛି।

Advertisment

ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ବାର୍‌ହାଟି ହଠାତ୍ ଦାଣ୍ଡପଟରୁ ଆସି ଗୀତାଙ୍କ ଘରେ ପଶି ଯାଇଥିଲା। ଗୀତା ଓ ତାଙ୍କ ଦୁଇ ଝିଅଙ୍କୁ ଆକ୍ରମଣ କରିବାକୁ ସେ ଉଦ୍ୟମ କରୁଥିବା ସମୟରେ ସେମାନେ ପ୍ରାଣ ବିକଳରେ ଦୌଡ଼ି ବାରିପଟକୁ ପଳାଇଥିଲେ ଏବଂ ବାରି ଓ ଦାଣ୍ଡପଟ କବାଟକୁ ବନ୍ଦ କରିଦେଇଥିଲେ। ଫଳରେ ବାର୍‌ହାଟି ବର୍ତ୍ତମାନ ଘର ଭିତ‌ରେ ରହି ଗର୍ଜନ କରିବା ସହ ଜିନିଷପତ୍ର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଖବର ଲେଖାଯିବା ସୁଦ୍ଧା, ବାର୍‌ହାଟି ଗୀତାଙ୍କ ଘର ଭିତରେ ରହିଥିବା ବେଳେ ଖଲ୍ଲିକୋଟ ବନବିଭାଗ ପହଞ୍ଚି ପାରିନି। ଆହତ ଜଗଦୀଶଙ୍କୁ ସୁମଣ୍ଡଳ ଡାକ୍ତରଖାନା ପଠାଯାଇଛି। ଗ୍ରାମରେ କୋକୁଆ ଭୟ ଦେଖାଦେଇଛି।