କରୋନାକୁ ନେଇ ଦୁଇ ଭଡ଼ାଟିଆଙ୍କ ମଧ୍ୟରେ ବିବାଦ: ଖଣ୍ଡା ଚୋଟରେ ଜଣେ ଗୁରୁତର, ୨ ଗିରଫ

ଗୁରୁତର ଅବସ୍ଥାରେ ଆହତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର

ପୁରୀ : କରୋନା ସମୟରେ ଘର ସମ୍ମୁଖରେ ଜଳଖିଆ ଦୋକାନ କରି ଗ୍ରାହକମାନଙ୍କ ଗହଳିକୁ ନେଇ ପ୍ରତିବାଦ କରିବାରୁ ହଣା ଖାଇଲେ ଭଡ଼ାଟିଆ। ଘଟଣାଟି ଘଟିଛି ଟାଉନ ଥାନା ଅନ୍ତର୍ଗତ ମୋଚି ସାହି ଛକ ଇ-୨୪ ହସପିଟାଲ ପାଖରେ। ତେବେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଟାଉନ ଥାନା ପୁଲିସ ଧରିବାରେ ସକ୍ଷମ ହୋଇଛି। ଅନ୍ୟପଟେ ଏହି ଖଣ୍ଡା ଚୋଟ୍‌ରେ ଗୁରୁତର ଆହତ ହୋଇ ସଞ୍ଜୟ ମହାନ୍ତି(୪୮)ଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ‌ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ନେବାରେ ଜଣାପଡ଼ିଛି ଯେ ସଞ୍ଜୟ ଓ ପ୍ରତାପ ସେନାପତି ଦୁହିଁଙ୍କ ପରିବାର କରତୀ ସାହିର ରମେଶ ଚନ୍ଦ୍ର ପାତ୍ରଙ୍କ ଘରେ ଭଡ଼ାରେ ରୁହନ୍ତି। ଏହି ଭଡ଼ାଘର ଉପର ମହଲାରେ ରହୁଥିବା ପ୍ରତାପ ତଳ ଘର ବାରଣ୍ଡାରେ ଜଳଖିଆ ଦୋକାନ କରିଛନ୍ତି। ତେବେ କରୋନା ସମୟରେ ଏଠାରେ ପ୍ରବଳ ଗହଳି ହେଉଥିବାରୁ ତଳଘରେ ଭଡ଼ା ରହୁଥିବା ସଞ୍ଜୟଙ୍କ ପରିବାର ପ୍ରତିବାଦ କରୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା। ଆଜି ଗୋଟାଏ ବେଳେ ସଞ୍ଜୟ ମୋଚି ସାହି ଛକରୁ ନିଜ ଘର ଆଡ଼କୁ ଆସୁଥିବା ବେଳେ ହଠାତ ସେଠାରେ ପ୍ରତାପଙ୍କ ପୁଅ ଜଗା ଓରଫ ପ୍ରତ୍ୟୁଷ(୧୮) ଓ ତା’ର ବାଣୁଆ ସାହିର ସାଙ୍ଗ ରାକେଶ ନାୟକ(୨୦) ପହଞ୍ଚି ସଞ୍ଜୟଙ୍କୁ ଦେଖି ସେମାନେ ଆଣିଥିବା ଏକ ଖଣ୍ଡାରେ ହାଣିଥିଲେ। ସଞ୍ଜୟଙ୍କ ଦୁଇ ପାଦ, ବାମଗୋଡ଼ର ଜଙ୍ଘକୁ ହାଣିବା ପରେ ମୁଣ୍ଡକୁ ହାଣି ହତ୍ୟା ଉଦ୍ୟମ କରିବା ବେଳକୁ ସେ ହାତ ଦେଖାଇଥିଲେ। ଫଳରେ ତାଙ୍କର ହାତ ପାପୁଲି ଆଦିରେ ଗଭୀର କ୍ଷତ ହୋଇଥିଲା। ଏହାପରେ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ସଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଟାଉନ ଥାନାକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିବା ସହିତ ଘଟଣାର ଦୁଇ ଅଭିଯୁକ୍ତ ରାକେଶ ଓ ଜଗାକୁ ଧରିବାରେ ସକ୍ଷମ ହୋଇଛି। ସଞ୍ଜୟଙ୍କୁ ହାଣିଥିବା ବେଳେ ସେମାନେ ପିନ୍ଧିଥିବା ଡ୍ରେସ୍‌ଗୁଡ଼ିକ ରକ୍ତ ଲାଗିଥିବାରୁ ସେମାନେ ଏହାକୁ ଜଗନ୍ନାଥ ବଲ୍ଲଭ ପରିସରରେ ଲୁଚାଇ ରଖିଥିଲେ। ଏହି ଡ୍ରେସ୍‌କୁ ମଧ୍ୟ ପୁଲିସ ଜବତ କରିଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର