ଶ୍ରୀମନ୍ଦିର ଭିତରେ ୨ ଜେଟିପିଙ୍କ ମଧ୍ୟରେ ସଂଘର୍ଷ ଘଟଣା: ଜଣେ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ଭିତରେ ୨ ଜଣ ଜେଟିପିଙ୍କ ମଧ୍ୟରେ ଗତ ୧୪ ତାରିଖ ଦିନ ହୋଇଥିବା ସଂଘର୍ଷ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଜଣକୁ ନିଲମ୍ବନ କରିଛି। ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ଜେଟିପି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଥିବା ଜଣାଯାଇଛି। ନିଲମ୍ବିତ ଜେଟିପି ହେଲେ ଗଙ୍ଗାଧର ପ୍ରଧାନ। ଜେଟିପି ମନୋଜ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ଶ୍ରୀମନ୍ଦିର ଭିତରେ ଜେଟିପି ଗଙ୍ଗାଧର ପ୍ରଧାନ ଓ ଜେଟିପି ମନୋଜ ପାଣିଗ୍ରାହୀଙ୍କ ମଧ୍ୟରେ ଯୁକ୍ତିତର୍କ ‌ହୋଇଥିଲା। ଉଭୟ ପୁଲିସ କର୍ମଚାରୀ ହାତାହାତି ହୋଇଥିଲେ। ଫଳରେ ମହାପ୍ରଭୁଙ୍କ ମହାସ୍ନାନ ହେବା ସହ ନୀତି ବିଳମ୍ବିତ ହୋଇଥିଲା। ଘଟଣା ଜାଣିବା ପରେ ସେହିଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ଏନେଇ ତଦନ୍ତ କରିବା ସହ ‌ଦୋଷୀଙ୍କ ବି‌ରୁଦ୍ଧରେ ଉତ୍ତରଦାୟିତ୍ବ ନ୍ୟସ୍ତ କରି ଚଳିତ ମାସ ୧୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ପ୍ରଶାସକ ଏହା ଭିତରେ ତଦନ୍ତ କରିବା ସହ ରିପୋର୍ଟ ଦାଖଲ କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ଗଙ୍ଗାଧର ପ୍ରଧାନ‌ ଗ‌ୋଟିଏ ଲାଠିରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମନୋଜଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବା ସହ ଶ୍ରୀମନ୍ଦିର ଧୁକୁଡ଼ି ଦ୍ବାର ଚଟାଣରେ ରକ୍ତ ପଡ଼ିଥିଲା। ଏହା ପରେ ଶ୍ରୀମନ୍ଦିର କମାଣ୍ଡର ଏବଂ ଅନ୍ୟ ବରକନ୍ଦାଜ୍‌ (ଜେଟିପି)ମାନେ ହସ୍ତକ୍ଷେପ କରିଥିଲେ ଏବଂ ଚିକିତ୍ସା ପାଇଁ ମନୋଜଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥି ଯୋଗୁଁ ମହାସ୍ନାନ ବିଧି ହେବା ସହ ମହାପ୍ରଭୁଙ୍କ ନୀତି ପ୍ରାୟ ୧ ଘଣ୍ଟା ୩୦ ମିନିଟ ଧରି ବିଳମ୍ବିତ ହୋଇଥିଲା।

ସମ୍ବନ୍ଧିତ ଖବର