ଜଗତସିଂହପୁର ଟାଉନ୍ : ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କର ରହିଛି କୋଟିଏ ଟଙ୍କାର ବ୍ୟାଙ୍କ ଜମା, ବୀମା ଆଉ ମ୍ୟୁଚୁଆଲ୍ ଫଣ୍ଡ। କଟକର ସିଡିଏରେ ରହିଛି ଦୁଇ ମହଲା କୋଠା। ବ୍ୟାଙ୍କ ଲକରରେ ରହିଛି ଗୋଟିଏ କିଲୋରୁ ଅଧିକ ପରିମାଣର ସୁନା ଆଉ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା। ଏବେ ବି ଛାନଭିନ୍ ଜାରି ରହିଥିବାରୁ ଶ୍ରୀ ମହାନ୍ତିଙ୍କର ସଂପତ୍ତି ପରିମାଣ ଆହୁରି ବଢିବା ଆଶା କରାଯାଉଛି।

Advertisment

ସୂଚନା ଅନୁଯାୟୀ ଏକ ବିକ୍ରିକର ଓ ଜିଏସ୍‌ଟି ମାମଲା ରଫାଦଫା କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ପାରାଦୀପ ଜିଏସଟି ୟୁନିଟର ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି। ଶ୍ରୀ ମହାନ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ସମ୍ପତ୍ତିର ଖୋଳତାଡ ଆରମ୍ଭ କରିଥିଲା ଭିଜିଲାନ୍ସ। ଚିତ୍ତରଞ୍ଜନ ଓ ତାଙ୍କର ପତ୍ନୀଙ୍କ ବ୍ୟାଙ୍କ୍‌ ଲକର୍ ଖୋଲାଯିବା ପରେ ସେଥିରୁ ୧ କେଜି ୬୦ ଗ୍ରାମ ସୁନା ବାହାରି ଥିଲା। ସେରେ ୨୪ କ୍ୟାରେଟ୍‌ର ୪୩୩ ଗ୍ରାମ ସୁନା ବିସ୍କୁଟ ରହିଛି। ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ସେହିପରି ପୂର୍ବରୁ ମିଳିଥିବା ସୁନା ଗହଣାକୁ ମିଶାଇ ମୋଟ୍ ସୁନା ପରିମାଣ ୧ କିଲୋ ୧୩୫ ଗ୍ରାମ ହୋଇଛି। ଏହାର ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକର୍‌ରୁ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ମିଳିଛି।

ପୂର୍ବରୁ ମିଳିଥିବା ନଗଦ ଅର୍ଥକୁ ମିଶାଇ ମୋଟ୍ ୬ ଲକ୍ଷ ୫୯ ହଜାର ଟଙ୍କା ଜବତ ହୋଇଛି। ବିଭିନ୍ନ ବ୍ୟାଙ୍କ ଜମା, ବୀମା ରାଶି ଓ ମ୍ୟୁଚୁଆଲ୍ ଫଣ୍ଡକୁ ମିଶାଇଲେ ପରିମାଣ ୧ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି। କଟକ ସିଡିଏରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୭୦ ଲକ୍ଷ ଟଙ୍କା ଆକଳନ କରାଯାଉଥିବା ବେଳେ, କିଆ ସେଲଟସ୍ ଗାଡ଼ିର ଦାମ୍ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସମ୍ପତ୍ତି ମଧ୍ୟରେ ଗୋଟିଏ ଦୁଇ ଚକିଆ ଗାଡ଼ି ଓ ଆସବାବପତ୍ରର ମୂଲ୍ୟ ୧୧ ଲକ୍ଷ ୩୦ ହଜାର ଟଙ୍କା ଆକଳନ କରାଯାଇଛି। ମାର୍ଚ୍ଚ ୩୧ ତାରିଖରେ ଚିତ୍ତରଞ୍ଜନ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାରାଦୀପ ଅଫିସ ଭିତରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା।