୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୫ ଗୁରୁତର

ମାଲକାନଗିରି : ମାଲକାନଗିରି ନିକଟସ୍ଥ ଗନ୍ଦିପାଲୀ ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଚାଲାଣଗୁଡା ପଟରୁ ମାଲକାନଗିରି ଅଭିମୁଖେ ଆସୁଥିବା ହିରୋହୁଣ୍ଡା ବାଇକ ସହ ମାଲକାନଗିରିରୁ ସୁକମା ଯାଉଥିବା ଆଉ ଏକ ବାଇକର ଗନ୍ଦିପାଲୀ ଗ୍ରାମ ନିକଟରେ ଧକ୍କା ହୋଇଥିଲା। ଦୁଇଟି ଯାକ ବାଇକରେ ତିନି ଜଣ ଲେଖାଏଁ ବସିଥିଲେ। ଘଟଣାସ୍ଥଳରେ ହିଁ ଜଣେ ମହିଳାର ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲେସନ ଜରିଆରେ ଆହତମାନଙ୍କୁ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଆହତ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତଙ୍କ ମଧ୍ୟରେ ଚାଲାଣଗୁଡା ପଞ୍ଚାୟତ ମାସାଗୁଡା ଗ୍ରାମର ସୁତାର ଦୁରୁଆ ଏବଂ ଗନ୍ଦିପାଲୀ ଗ୍ରାମର ପ୍ରଶାନ୍ତ ଦୁରୁଆ ରହିଛନ୍ତି। ତେବେ ସୁକମା ପଟେ ଯାଉଥିବା ବାଇକ ଆରୋହୀଙ୍କ ନାମ ଏବଂ ମୃତ ମହିଳାଙ୍କ ନାମ ଜଣାପଡି ନାହିଁ। ୫ ଜଣ ଯାକ ଗୁରୁତର ଥିବାରୁ କେହି ମଧ୍ୟ କିଛି କହିବା ଅବସ୍ଥାରେ ନାହାନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ଆଇଆଇସି ରଂଜନ କୁମାର ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସଂପର୍କୀୟ ପହଞ୍ଚିନଥିବାରୁ କାହାରି ବି ପରିଚୟ ମିଳିପାରି ନାହିଁ। ମୃତ ମହିଳା ଜଣକ ସୁକମା ଅଂଚଳର ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି। ଖୁବଶୀଘ୍ର ସମସ୍ତଙ୍କ ପରିଚୟ ମିଳିଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର