ବଜ୍ରପାତରେ ଜଣେ ମୃତ, ୬ ଜଣ ଆହତ

କାଳିଆପାଣି : ସୁକିନ୍ଦା ବ୍ଲକ୍‌ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତ ଭାଲୁକିପାତଳା ଗାଁରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଥୀରେ ଥିବା ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ପୁରୁଣାପାଣି ବିସ୍ଥାପନ କଲୋନିର ସୁରୁ ଗାଗରାଇ(୨୭)। ଆହତମାନେ ହେଲେ ସେହି ଗାଁର ରାଉତ ମୁଣ୍ଡା(୧୭), ଗୁରୁଚରଣ ମୁଣ୍ଡା(୪୫), ଡେବରା ହେମ୍ବ୍ରମ(୨୫), ସନାତନ ହେମ୍ବ୍ରମ(୪୧), ସୁନିଲ ହେମ୍ବ୍ରମ(୨୬) ଓ ରମେଶ ହନାଗା(୧୫)।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଉଦ୍ଧମ ମୁଣ୍ଡରି ଭାଲୁକିପାତଳା ଗାଁର ଚିରିଗୁଣିଆ ପଶିରେ ଏକ ଧାନକ୍ଷେପ ବନ୍ଧକ ରଖିଛନ୍ତି। ଆଜି ଉକ୍ତ ବିଲରେ ବଛାବଛି ଚାଲିଥିଲା। ଜମିରେ ନିୟୋଜିତ ୬ ଜଣ ମୂଲିଆଙ୍କ ପାଇଁ ଉଦ୍ଧବଙ୍କ ପତ୍ନୀ ସୁରୁ ମଧ୍ୟାହ୍ନ ଭୋଜନ ନେଇ ଯାଇଥିଲେ। ମୂଲିଆମାନେ ସାଥୀ ହୋଇ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ସୁରୁ ‌ସେଇଠି ଟଳି ପଡ଼ିଥିଲେ। ଅନ୍ୟମାନେ ଏକ ବିଲ ମଝିରେ ବେହୋସ ହୋଇ ପଡ଼ି ଯାଇଥିଲେ। ଆହତମାନଙ୍କୁ ଓମ୍ବାଡ୍ସି ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠା ଯାଇଥିଲା। ସୁରୁଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରଚାର ହୋଇଥିଲା। କିନ୍ତୁ ସୁରୁଙ୍କ ଶରୀରରେ ତାପମାତ୍ରା ଥିବା ଓ ହାତ ହଲୁଥିବା ଦେଖି ଏକ ଅଟୋ ଯୋଗେ ତାଙ୍କୁ ସୁକିନ୍ଦା ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସରପଞ୍ଚ ସବିତା ମହାନ୍ତ, ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଆରଆଇ ଦିଲ୍ଲୀପ କୁମାର ଚାତାର ଘଟଣାସ୍ଥଳରେ ପହଞ୍ଚି ସାନ୍ତ୍ୱନା ଜଣାଇଥିଲେ।

ସମ୍ବନ୍ଧିତ ଖବର