ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଯୁରୀରେ ରବିବାର ଅପରାହ୍‌ଣ ୩ଟାରେ ଏକ ବାଇକ୍‌କୁ ଧକ୍କା ଦେଇ ନବରଙ୍ଗପୁରରୁ ବରଗଡ଼ ଫେରୁଥିବା ସରକାରୀ ବସ୍‌ ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଆରୋହୀ ପ୍ରଦୀପ ମହାଲିଙ୍ଗ (୨୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଶହଶହ ଲୋକ ଘଟଣାସ୍ଥଳକୁ ଆସି କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

Advertisment

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ତିନିକାନୀ ଗାଁର ପ୍ରଦୀପ ମହାଲିଙ୍ଗ (୨୫) ଓ ମିତ୍ରଭାନୁ ବିଶି (୨୨) ବାଇକରେ ବସି ଚିନାଯୁରୀରେ ରାସ୍ତା କଡ଼ରେ ଅନ୍ୟ ମାନଙ୍କ ସହ କଥା ହେଉଥିଲେ। ଅପରାହ୍‌ଣ ୩ଟାରେ ନବରଙ୍ଗପୁରରୁ ବରଗଡ଼ ଫେରୁଥିବା ଏକ ସରକାରୀ ବସ୍‌ (ଓଆର-୧୭ଜେ-୧୬୭୮) ବାଇକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବସ ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନଥିବା ବେଳେ ବାଇକରେ ବସିଥିବା ପ୍ରଦୀପଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ବାଇକ୍‌ରେ ଥିବା ଅନ୍ୟ ଜଣେ ମିତ୍ରଭାନୁ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଶତାଧିକ ଲୋକ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ସହାୟତା ଦାବିରେ ରାସ୍ତା ରୋକ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ରାମପୁର ତହସିଲଦାର ବିନୋଦ ବିହାରୀ ଦାଶ, ଡୁଙ୍ଗୁରିପାଲି ବିଡିଓ ରିପୁନାଥ ସୁନା, ଥାନା ଆଇଆଇସି ଅମରେନ୍ଦ୍ର ଷାଣ୍ଢ ଓ ଏସ୍‌ଆଇ ପ୍ରଦୀପ ପଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତହସିଲଦାର ଶ୍ରୀ ଦାଶ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଆହତଙ୍କ ଚିକିତ୍ସା ପାଇଁ ବ୍ଲକ୍‌ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ୱାଳ ୧୦ ହଜାର ଟଙ୍କା ପ୍ରଦାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।