ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଦାଦନ ଦୁଃଖ ଶେଷ ହେଉନି। ୩ ମାସରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ଚେନ୍ନାଇରେ କାମ କରୁଥିବା ଆଉ ଜଣେ ଶ୍ରମିକ ଅସୁସ୍ଥତା କାରଣରୁ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗ୍ରାମର ଜଗନ୍ନାଥ ମଣ୍ଡଳ (୫୨)। ଜଗନ୍ନାଥ ଗତ ୧୦ ବର୍ଷ ହେଲା ଚେନ୍ନାଇରେ କାମ କରୁଥିଲେ। ଗତକାଲି କାମ କଲାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ଜାଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

Advertisment

ଅନ୍ୟପକ୍ଷରେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଶବକୁ ଭିଟାମାଟିକୁ ଅଣାଯାଇ ପାରି ନଥିଲା। ପୁଅ ବିଦେଶୀର ଉପସ୍ଥିତିରେ ଚେନ୍ନାଇରେ ହିଁ ଜଗନ୍ନାଥଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଅନ୍ୟପକ୍ଷରେ ସରକାରୀ ସହାୟତା ପ୍ରଦାନ ନିବେଦନ କରି ଗ୍ରାମର ଯୁବନେତା କାଳିଆ ନାହାକଙ୍କ ନେତୃତ୍ୱରେ ମୃତକଙ୍କ ବୋହୂ ସୁନିତା ମଣ୍ଡଳ ଓ ପରିବାର ସଦସ୍ୟ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଫେରାଦ୍ ହୋଇଥିଲେ। ସେହିପରି ଜଗନ୍ନାଥଙ୍କ ପରିବାରକୁ ସହାୟତା ପାଇଁ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାୟକ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।