ବୈଶିଙ୍ଗା: ସ୍ପଷ୍ଟ ଦିବାଲୋକରେ ସ୍କୁଟି ଡ଼ିକି ଭାଙ୍ଗି ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି | ଥାନାରୁ ମାତ୍ର ୫୦୦ ମିଟର ଦୂର ବୈଶିଙ୍ଗା ବଜାର ସ୍ଥିତ ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି | ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବୈଶିଙ୍ଗା ଗ୍ରାମର ରବିନାରାୟଣ ପଣ୍ଡା ସ୍ଥାନୀୟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଉଠାଇଵା ସହିତ ନିଜ ପାଖରେ ଥିବା ଦଶ ହଜାର ଟଙ୍କା ମିଶେଇ ନିଜ ସ୍କୁଟି (ଓଡି-୧୧-ଆର-୭୩୯୧) ଡ଼ିକିରେ ରଖିଥିଲେ | ପରେ ସ୍କୁଟି ଯୋଗେ ବୈଶିଙ୍ଗା-ରୁପ୍ସା ରାସ୍ତାର ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଥିବା ବିଶ୍ୱକର୍ମା ଟ୍ରେଡ଼ର୍ସ ଦୋକାନ ସମ୍ମୁଖରେ ସ୍କୁଟି ରଖି ଦୋକାନୀ ମାଲିକଙ୍କୁ ଦେଢ଼ଲକ୍ଷ ଟଙ୍କା ଦେବାକୁ ଯାଇଥିବା ବେଳେ ବାକି ଏକ ଲକ୍ଷ ଚାଳିଶ ହଜାର ଟଙ୍କା ସ୍କୁଟି ଡିକିରେ ରଖିଥିଲେ |

Advertisment

ହେଲେ ତାଙ୍କ ଅଜାଣତରେ ବ୍ୟାଙ୍କ ପାଖରୁ ତାଙ୍କୁ ପିଛା କରୁଥିବା ଦୁଇ ସନ୍ଦିଗ୍ଧ ଯୁବକ ଏକ ଧଳା ରଙ୍ଗର କେଟିଏମ ବାଇକରେ ଆସି ଆଖି ପିଛୁଳାକେ ସ୍କୁଟି ଡିକି ଭାଙ୍ଗି ଟଙ୍କା ତକ ଲୁଟି ନେଇ ପଳେଇ ଯାଇଥିଲେ | ସେମାନଙ୍କ ମଧ୍ୟରୁ ବାଇକ ଚାଳକ ଯୁବକ କିଛି ଦୂରରେ ବାଇକ ଷ୍ଟାର୍ଟରେ ରଖି ଛିଡା ହୋଇଥିବାବେଳେ ଅନ୍ୟ ଜଣେ ଦୁର୍ବୁତ୍ତ ଡ଼ିକିରୁ ଟଙ୍କା ଲୁଟ କରିଥିଲା ଓ ବାଇକରେ ବସି ଚାଲିଯାଇଥିଲା | ତେବେ ତରବରରେ କିଛି ଟଙ୍କା ହାତରୁ ପଡିଯାଇଥିଲେ ବି ତାକୁ ସଙ୍ଗେ ସଙ୍ଗେ ପୁଣି ଉଠେଇ ନେଇ ଚମ୍ପଟ ମାରିଥିଲେ | ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଲୁଟେରାମାନଙ୍କର କାରଯୋଗେ ପିଛା କରିଥିଲେ। ତେବେ ଲୁଟେରାମାନେ ପ୍ରଥମେ ବାଲେଶ୍ୱର ଅଭିମୁଖେ ଆସି ନଛିପୁରିଆ ଛକରେ ପଶିଯାଇ ମହୁରୀ ଛକ ହୋଇ ରୁପ୍ସା ଅଭିମୁଖେ ପଳାଇଥିଲେ |

ତେବେ ସେମାନଙ୍କୁ ପିଛା କରାଯାଉଥିବାର ଜାଣି ସେମାନେ ପଣଶିଆ ଛକରୁ ଅଁଳା ରାସ୍ତାରେ ଫେରାର ହେବାରେ ସକ୍ଷମ ହୋଇଥିଲେ। ତେବେ ସ୍କୁଟି ପାଖକୁ ଆସି ଡିକି ଭାଙ୍ଗି ଟଙ୍କା ଲୁଟ କରି ଫେରାର ହେବା ପର୍ଯ୍ୟନ୍ତ ସମସ୍ତ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ | ପରେ ଘଟଣାର ଗମ୍ଭୀରତାକୁ ଅନୁଭବ କରି ବେତନଟୀ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ ବୈଶିଙ୍ଗା ଥାନାରେ ପହଞ୍ଚି ଘଟଣାସ୍ଥଳର ସିସିଟିଭି ଫୁଟେଜ ସହିତ ଥାନା ଓ ବ୍ୟାଙ୍କ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଚୋରଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ | ଶ୍ରୀଯୁକ୍ତ ଦାଶଙ୍କ କହିବା ମୁତାବକ ଖୁବ ଅଳ୍ପ ସମୟ ମଧ୍ୟରେ ସେମାନେ ଦୁଇ ଅପରାଧୀକୁ ଗିରଫ କରିବେ |