ଟେଷ୍ଟିଂର ଏକମାତ୍ର ଲକ୍ଷ୍ୟ ରାଜ୍ୟରେ ସଂକ୍ରମଣକୁ କମ କରିବା: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ପ୍ରତି କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଯଦି ଆମେ ଧରିପାରିବା ନାହିଁ, ସେ ଜଣେ ସଂକ୍ରମିତ ନିଜର ଅଜାଣତରେ ଗୋଟିଏ ମାସ ମଧ୍ୟରେ ୪୦୦ ଲୋକଙ୍କୁ ସଂକ୍ରମିତ କରିପାରିବେ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଟେଷ୍ଟିଂର ମୂଳ ଲକ୍ଷ୍ୟ ହେଉଛି ପଜିଟିଭ କେସକୁ ଧରିବା । ଯଦି ଆମର ଟେଷ୍ଟିଂ ବଢ଼ୁଛି, ତାହେଲେ ସରକାର ସତର୍କ ଅଛନ୍ତି ବୋଲି ଧରିବାକୁ ହେବ । ସେଥି ପାଇଁ ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କାରଣ ଟେଷ୍ଟିଂ ମାଧ୍ୟମରେ ରାଜ୍ୟରେ ସଂକ୍ରମଣକୁ କମ କରାଯାଇପାରିବ ।

ଠିକ ସମୟରେ ଆମେ ସଂକ୍ରମିତଙ୍କୁ ଧରିପାରିଲେ ହିଁ ଆମେ ସଂକ୍ରମଣକୁ ରୋକିପାରିବା । ଯଦି ଆମେ ୧୦୦ ଜଣଙ୍କ ନମୁନା ପରୀକ୍ଷା କରିବା ଏଥିରେ କେତେ ପଜିଟିଭ ଚିହ୍ନଟ କରିପାରୁଛୁ ତାହା ହେଲା ବଡ଼ କଥା । ଭାରତରେ ଓଡ଼ିଶାର ସ୍ଥିତି ଭଲ ଅଛି । ଓଡ଼ିଶାରେ ଆମେ ଯଦି ୨ ହଜାର ନମୁନା ପରୀକ୍ଷା କରିବା ଜଣେ ଲୋକଙ୍କୁ ଚିହ୍ନଟ କରିପାରିବା । କାରଣ ଆମର ହାର ୦.୪ ପ୍ରତିଶତ । ଓଡ଼ିଶାରେ ଲୋକଙ୍କର ରୋଗପ୍ରତିଷେଧକ ଶକ୍ତି ଭଲ । ଆମେ ଯେତେ ଟେଷ୍ଟିଂ କରିଛୁ, ସେଥିରୁ ୧୮ ପ୍ରତିଶତଙ୍କ ନିକଟରେ ଲକ୍ଷଣ ମିଳିଥିଲା । ଏମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ନାହିଁ । କେବଳ କାଶ ହେଉଛି । ସଂକ୍ରମଣ ଯେପରି ନ ବ୍ୟାପିବ ଏହା ଭାବି ଆମେ ସେମାନଙ୍କୁ ହସ୍ପିଟାଲରେ ରଖିଛୁ ।

ବିନା ଲକ୍ଷଣରେ ଥିବା ଲୋକ ମଧ୍ୟ ସଂକ୍ରମଣ କରିପାରେ । ଯଦି ଲକଡାଉନ ବଢ଼ାଯାଉଛି, ତାହେଲେ ଆମକୁ ବ୍ୟକ୍ତିଗତ ଭାବେ ସତର୍କ ରହିବାକୁ ହେବ । ଆବଶ୍ୟକ ନ ହେଲେ ଘରୁ ବାହାରିବା ନାହିଁ । ଯଦି ଯିବା ଏଥି ପାଇଁ ସତର୍କତା ଅବଲମ୍ବନ କରିବା । ଆଇସିଏମଆର ଗାଇଡଲାଇନ ଅନୁସାରେ ଯେଉଁ ଲୋକଙ୍କ ଦେହରେ ଲକ୍ଷଣ ଅଛି, ସେମାନଙ୍କର ନମୁନା ପରୀକ୍ଷା ହେବ । ଯେଉଁମାନେ ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କ ଟେଷ୍ଟିଂ ହେଉଛି । ଯେଉଁମାନଙ୍କର ଯାତ୍ରା ବିବରଣୀ ରହୁଛି, ସେମାନଙ୍କର ପରୀକ୍ଷା ହେଉଛି । ଆମେ ପୂର୍ବରୁ ନିଜାମୁଦ୍ଦିନ ସହ ଲିଙ୍କ ରଖିଥିବା ଲୋକଙ୍କ ନମୁନା ପରୀକ୍ଷଣ କରିଥିଲୁ । କିନ୍ତୁ ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ନମୁନା ପରୀକ୍ଷା କରୁଛୁ । ପଶ୍ଚିମବଙ୍ଗରୁ ଫେରନ୍ତା ଲୋକଙ୍କୁ ଆମେ କ୍ୱାରେଣ୍ଟାଇନ୍‌ରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା କରୁଛୁ । ସ୍ୱାସ୍ଥ୍ୟ କର୍ମୀଙ୍କର  ମଧ୍ୟ ନମୁନା ପରୀକ୍ଷା କରୁଛୁ ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଭୁବନେଶ୍ୱରର ମଧୁସୂଦନ ନଗର ଅଞ୍ଚଳରୁ ଆଜି ଚିହ୍ନଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଗତ ୯ ତାରିଖରେ କରୋନା ନମୁନା ପରୀକ୍ଷା ହୋଇଥିଲା । ସେ ଥିଲେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ। ସେତେବେଳେ ତାଙ୍କର ନମୁନା ରିପୋର୍ଟ  ନେଗେଟିଭ ଆସିଥିଲା । ଆମର ନିୟମ ଅନୁସାରେ ନେଗେଟିଭ ରିପୋର୍ଟ ଆସିଥିବା ବ୍ୟକ୍ତି ଜଣକ ହୋମ କ୍ୱାରେଣ୍ଟାଇନରେ ଥିଲେ । ସେ କ୍ୱାରେଣ୍ଟାଇନରେ ଥିବା କାଳ‌ରେ ଯେତେବେଳେ ତାଙ୍କ ଶରୀରରେ ଲକ୍ଷଣ ପ୍ରକାଶ ପାଇଲା ଓ ସେ ଅସୁସ୍ଥ ଅନୁଭବ କରିଥିଲେ ସେତେବେଳେ ସେ ନିଜେ ୧୦୪କୁ ଫୋନ କରି ଅସୁବିଧା ସଂପର୍କରେ କହିଥିଲେ। ଫଳରେ ଦ୍ବିତୀୟ ଥର ପାଇଁ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଦ୍ବିତୀୟ ଥର ପରୀକ୍ଷା ବେଳକୁ ତାଙ୍କ ଶରୀରରେ ଭୂତାଣୁର ମାତ୍ରା ବଢ଼ିବା ପରେ ହିଁ  ଯାଇ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା ଓ ସେ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର