ଖୋଲା ଡ୍ରେନ୍‌ ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର: ସୋମବାର ରାତି ପ୍ରାୟ ୮ଟା ବେଳେ ଗଭର୍ଣ୍ଣର ହାଉସ୍‌ ପଟୁ ୟୁନିଟ୍‌-୭ ଦେଇ ଯାଇଥିବା ଏକ ଡ୍ରେନ୍‌ରେ ଭାସି ଯାଇ ମା ମଙ୍ଗଳା ବସ୍ତିର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଜିରା ଗାଁର ହରିହର ପଟ୍ଟନାୟକ(୫୫)। ଡ୍ରେନ୍‌ ଭିତରୁ ଅଗ୍ନିଶମ ବାହିନୀ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ବି ମେଡିକାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। କ୍ୟାପିଟାଲ ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଖୋଲା ଡ୍ରେନ୍‌ ପାଇଁ ଆଉ ଏକ ଜୀବନ ଅକାଳରେ ଝଡ଼ିଗଲା ବୋଲି ବିଏମ୍‌ସିକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଜମାଇ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ପରୁସ୍ଥିତିକୁ ନିୟନ୍ତ୍ରିତ କରିଥିଲା।

ସୂଚନାନୁସାରେ ଉକ୍ତ ଡ୍ରେନ୍‌ର ଗଭୀରତା ପ୍ରାୟ ୪/୫ ଫୁଟ୍‌ ହେବ। ମାତ୍ର ବସ୍ତି କଡ଼ ଦେଇ ଯାଇଥିବା ଏହି ଡ୍ରେନ୍‌ଟି ଖୋଲା ରହିଛି। ଗତ ଦୁଇ ଦିନ ପୂର୍ବେ ହରିହରଙ୍କ ଘର ନିକଟରେ ଏହି ଡ୍ରେନ୍‌ର କାନ୍ଥ ଭାଙ୍ଗି ଯାଇଥିଲା ଓ ତାହା ମରାମତି ହୋଇନାହିଁ। କିନ୍ତୁ ଭଗ୍ନ ଅଂଶକୁ କାଠ ବାଡ଼ ଦେଇ ଆବଦ୍ଧ କରାଯାଇଛି। ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍‌ରେ ପାଣି ସୁଅ ଅଧିକ ଥିଲା। ହରିହର ବଜାରରୁ ଘରକୁ ଫେରୁଥିବା ବେଳେ ଡ୍ରେନ୍‌ ନିକଟରେ ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଡ୍ରେନ୍‌ ଭିତରକୁ ଖସି ପଡ଼ିଥିଲେ। ଜଳସ୍ରୋତ ଅଧିକ ଥିବାରୁ ସେ ଭାସି ଯାଉଥିବା ବେଳେ ସେଠାରେ ଥିବା ଦୁଇ ଜଣ ବ୍ୟକ୍ତି ତାଙ୍କୁ ଟାଣି ଉପରକୁ ଆଣିବାକୁ ଉଦ୍ୟମ କରିଥିଲେ। ମାତ୍ର ଠିକ୍‌ ସେତିକି ବେଳକୁ ସେ ଏକ କଲଭର୍ଟ ଭିତରକୁ ଟାଣି ହୋଇଯାଇଥିଲେ। କଲଭର୍ଟ ଭିତରେ ଜଳସ୍ରୋତ ଅଧିକ ଥିଲା। ପ୍ରାୟ ୧୦ ମିଟର ଦୈର୍ଘ୍ୟର ଏହି କଲଭର୍ଟ ଭିତରେ ପ୍ରଖର ଜଳସ୍ରୋତ ତାଙ୍କୁ ମୋଡ଼ିମାଡ଼ି ଦେବା ସହ ବେଶ୍‌ କିଛି ଦୂରକୁ ଭସାଇ ନେଇଥିଲା। ପାଟିଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଡ୍ରେନ୍‌ ଭିତରେ ହରିହରଙ୍କୁ ଖୋଜିଥିଲେ। ମାତ୍ର ପାଇ ନଥିଲେ। ଖବର ପାଇ କଳ୍ପନାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ତାଙ୍କୁ ଉକ୍ତ କଲଭର୍ଟଠାରୁ ୩ଶହ/୪ ଶହ ମିଟର ଦୂର ପିଚୁପଡ଼ିଆ ବସ୍ତି ନିକଟରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସେତେବେଳକୁ ସେ ଜୀବିତ ଥିଲେ। ମାତ୍ର ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖୋଲା ଡ୍ରେନ୍‌ ପାଇଁ ହରିହରଙ୍କ ମୃତ୍ୟୁ ଘଟିଲା ବୋଲି ସେମାନେ ବିଏମ୍‌ସିକୁ ଦାୟୀ କରିଥିଲେ। ବସ୍ତି କଡ଼ ଦେଇ ଯାଇଥିବା ଏହି ଡ୍ରେନ୍‌ ସେମାନଙ୍କ ପାଇଁ ଏକ ମରଣଯନ୍ତା ବୋଲି ସେମାନେ ପୂର୍ବରୁ ଅଭିଯୋଗ କରି ଆସୁଥିଲେ। ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ। ଫଳରେ ଆଜି ହରିହରଙ୍କ ମୃତ୍ୟୁ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୩ ବର୍ଷ ତଳେ ନୂଆପଲ୍ଲୀ ଅଞ୍ଚଳରେ ଠିକ୍‌ ଏଭଳି ଏକ ଖୋଲା ଡ୍ରେନ୍‌ରେ ଭାସି ଯାଇ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର