ବଡ଼ମ୍ବା : ମହାନଦୀରେ ଡଙ୍ଗାରେ ବୁଲି ସେଲ୍ଫି ନେବା କାଳ ହେଲା। ଡଙ୍ଗା ବୁଡି ଯିବା ଫଳରେ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଜି ବଡ଼ମ୍ବାର ଭଟ୍ଟାରିକା ପୀଠ ନିକଟ ମହାନଦୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ମହାନଦୀରେ ୩ଜଣ ପର୍ଯ୍ୟଟକ ନୌକାବିହାର କରୁଥିବା ବେଳେ ସେଲ୍ଫି ନେଉଥିଲେ। ସେହି ସମୟରେ ନିୟନ୍ତ୍ରଣ ନରହି ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ତିନି ଜଣ ବ୍ୟକ୍ତି ବୁଡି ଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟଜଣେ ନିଖୋଜ ହୋଇଯାଇଥିଲେ। ନବକୁମାର ମହାନ୍ତି, ଅଞ୍ଜନ ନାୟକ ଓ ସୁନିଲ ସାହୁ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସୁନିଲ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ସେମାନେ ଜଗତସିଂହପୁରରୁ ଆଜି ଭଟ୍ଟାରିକା ପୀଠକୁ ବୁଲିବାକୁ ଆସିଥିଲେ। ତିନି ଜଣ ଜଗତସିଂହପୁର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡିଛି। ନିଖୋଜ ସୁନିଲଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ହୋଇଥିବା ବେଳେ ନବକୁମାର ଓ ଅଞ୍ଜନଙ୍କ ଘର ଜଗତସିଂହପୁରରେ। ଖବରପାଇ ବଡମ୍ବା ଅଗ୍ନିଶମ କର୍ମଚାରୀ ଓ ବଡମ୍ବା ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସୁନିଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ମହାନଦୀରେ ସେଲ୍ଫି ନେବା କାଳ ହେଲା : ଭଟ୍ଟାରିକା ପୀଠ ନିକଟରେ ଡଙ୍ଗା ବୁଡ଼ି; ଜଣେ ନିଖୋଜ, ୨ ଉଦ୍ଧାର
/sambad/media/post_attachments/wp-content/uploads/2020/01/bhataria.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)