ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ଦୁବାଇ ଫେରନ୍ତା କେନ୍ଦ୍ରାପଡ଼ାର ଯୁବକ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୦ ହେଲା

ଖାଉଟିଙ୍କୁ ପାଇକାରୀ ବଜାର ମନା
ଘର ପାଖ ଦୋକାନରୁ ଜିନିଷ କିଣନ୍ତୁ
ଓଡ଼ିଶା ସର୍ବଧର୍ମ ସମନ୍ବୟର ତୀର୍ଥସ୍ଥଳୀ

ଭୁବନେଶ୍ବର/କେନ୍ଦ୍ରାପଡ଼ା : ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରା‌ପଡ଼ା ଜିଲ୍ଲାର ଜଣେ ଦୁବାଇ ଫେରନ୍ତା ୩୨ ବର୍ଷୀୟ ଯୁବକଙ୍କ ଶରୀରରେ କୋରନା ଭୂତାଣୁ ମିଳିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ରାତିରେ ଏକ ଆମ୍ବୁଲାନ୍ସରେ କିଛି ସ୍ବାସ୍ଥ୍ୟକର୍ମୀ ତାଙ୍କ ଘରେ ଯାଇ ପହଞ୍ଚିଛନ୍ତି ଏବଂ ଯୁବକଙ୍କୁ କଟକର କୋଭିଡ୍‌ ହସ୍ପିଟାଲକୁ ନେବାର ବ୍ୟବସ୍ଥା କରାଯାଉଛି। ଯୁବକଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଳି ବ୍ଲକ୍‌ର ଏହି ଯୁବକ ଜଣକ ଗତ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସେହିଦିନ ଗାଁ ଲୋକେ ଏ ନେଇ ଥାନାକୁ ଜଣାଇଥିଲେ। ତହିଁ ପରଦିନ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ତାଙ୍କ ଗାଁକୁ ଯିବାରୁ ଗ୍ରାମବାସୀ ତୁରନ୍ତ ସଂପୃକ୍ତ ଯୁବକଙ୍କୁ ଗାଁ ବାହାରେ ସଂଗରୋଧରେ ରଖିବାକୁ ଦାବି କରିଥିଲେ। ମାତ୍ର ସଂପୃକ୍ତ ଯୁବକଙ୍କ ପରିବାର ଏଥିରେ ରାଜି ନ ହେବାରୁ ତାଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଯୁବକ ଜଣକ ଏହା ମାନି ନ ଥିବା ଆଜି କିଛି ଗାଁ ଲୋକ ଅଭିଯୋଗ କରିଛନ୍ତି। ପ୍ରାୟ ୨୦ ସଦସ୍ୟଙ୍କୁ ‌େନଇ ତାଙ୍କର ଏକ ଯୌଥ ପରିବାର ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ତାହାର ଆକଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆଜି ୩୦୨ ନମୁନା ପରୀକ୍ଷା ହୋଇଥିବାବେଳେ ମାତ୍ର ଗୋଟିଏ ପଜିଟିଭ୍ ଆସିଥିଲା। ରାଜ୍ୟରେ ଏଯାଏ ମୋଟ ୨୧୯୦ ନମୁନା ମଧ୍ୟରୁ ୪୦ଟି ପଜିଟିଭ୍ ଆସିଛି।

ଅନ୍ୟପକ୍ଷରେ ପାଇକାରୀ ବଜାରରୁ ଆଜିଠାରୁ ଆଉ ଖାଉଟିମାନେ କୌଣସି ସାମଗ୍ରୀ କିଣିପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ପାଇକାରୀ ବା ହୋଲସେଲ୍‌ ଦୋକାନରୁ କେବଳ ଖୁଚୁରା ବ୍ୟବସାୟୀମାନେ ଜିନିଷ କିଣି ଖାଉଟିମାନଙ୍କୁ ଯୋଗାଇବେ। ଦୋକାନ ବଜାରରେ ସଉଦା କିଣିବାକୁ ଯାଉଥିବା ସମୟରେ ‌ଲୋକମାନେ ସାମାଜିକ ଦୂରତ୍ବ ବଜାୟ ରଖୁ ନ ଥିବାରୁ ସରକାର ଏଭଳି କଟକଣା ଲଗାଇଛନ୍ତି। ଲୋକମାନେ ନିଜ ଅଞ୍ଚଳରେ ଥିବା ଦୋକାନରୁ ଜିନିଷ କିଣିପାରିବେ ବୋଲି ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଲୋକମାନେ ପାଇକାରୀ ଦୋକାନରୁ ଜିନିଷ କିଣିବା ଲାଗି ଗାଡ଼ି ଧରି ଯାଉଛନ୍ତି। ତେଣୁ ଆଜିଠାରୁ ଲୋକମାନେ ପାଦରେ ଚାଲି କରି କିମ୍ବା ସାଇକେଲରେ ଯାଇ ବାହାରୁ ଜିନିଷ ଆଣିପାରିବେ। ଅସାଧାରଣ ସମୟ‌ରେ ଏଭଳି ଅସାଧାରଣ ନିଷ୍ପତ୍ତି ନେବାକୁ ପଡ଼ୁଛି। ଆଜିର ସମୟ ସଂଯମର ସମୟ, ସୁଖର ସମୟ ନୁହେଁ। ଏହି କଷ୍ଟ ସରକାରଙ୍କ ପାଇଁ ନୁହେଁ, ବରଂ ନିଜ ଓ ନିଜ ପରିବାର ପାଇଁ ଏହି କଷ୍ଟକୁ ସ୍ବୀକାର କରିବାକୁ ପଡ଼ିବ।

ସେହିପରି କ୍ଲଷ୍ଟର କଣ୍ଟେନମେଣ୍ଟ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ବାଗଚୀ କହିଥିଲେ ଯେ, ଯେଉଁ ଅଞ୍ଚଳ ସଂକ୍ରମଣ ପ୍ରବଣ ବା ହଟସ୍ପଟ୍ ସେହି ଅଞ୍ଚଳକୁ କ୍ଲଷ୍ଟର କଣ୍ଟେନମେଣ୍ଟ କରାଯାଉଛି। ଯେଉଁ ଅଞ୍ଚଳରୁ ଅଧିକ ସଂଖ୍ୟାରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ବୋଲି ଘୋଷଣା କରାଯାଉଛି। ଏହା ଥରେ ଘୋଷଣା ହେବା ପରେ ସେହି ଅଞ୍ଚଳରେ ରହୁଥିବା ଲୋକମାନେ ଘରୁ ବାହାରକୁ ଆସିପାରିବେ ନାହିଁ ଓ ବାହାର ଲୋକ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ। ‌ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ପୌର ଅଧିକାରୀମାନେ ଘରକୁ ଘର ବୁଲି ସଂକ୍ରମଣର ଦୃଷ୍ଟାନ୍ତ ଖୋଜିବେ। ଏହି ସମୟ ଭିତରେ ପୌରସଂସ୍ଥା ସେହି ଅଞ୍ଚଳକୁ ସାନିଟାଇଜ କରିବ। ତେବେ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ତାହା ଆରମ୍ଭରୁ କହି‌ ହେବନାହିଁ। ଯେ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗର ସବୁଜ ସଙ୍କେତ ମିଳିନାହିଁ, ସେ ପର୍ଯ୍ୟନ୍ତ ସେହି ଅଞ୍ଚଳ ତତ୍ତ୍ବାବଧାନରେ ରହିବ। ଏହି ସମୟରେ ପୌରସଂସ୍ଥା ପକ୍ଷରୁ ଯଥାସମ୍ଭବ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।

ରାଜଧାନୀରେ କିଛି ଅଞ୍ଚଳକୁ କ୍ଲଷ୍ଟର କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ତେବେ ସେହି ଅଞ୍ଚଳର କିଛି ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବିଏମ୍‌ସିକୁ ଫୋନ୍ କରି ଅସ୍ତବ୍ୟସ୍ତ କରି ପକାଉଛନ୍ତି। କ୍ଲଷ୍ଟର ‌କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହେବା ଏକ ଆଶଙ୍କିତ ସମୟ। ଏହି ସମୟରେ ଅତ୍ୟନ୍ତ ବିବ୍ରତ ନ ହୋଇ ଧୈର୍ଯ୍ୟର ସହିତ ଏହାର ମୁକାବିଲା କରିବାକୁ ପଡ଼ିବ।

ସେହିପରି କରୋନା ଯେଉଁଭଳି ଭାବେ ସଂକ୍ରମିତ କରୁଛି ତାହା ସଂପର୍କରେ ମତ ଦେବାକୁ ଯାଇ ସେ କହିଥିଲେ ଯେ, ଗତ ୪୮ଘଣ୍ଟା ଭିତରେ ୧ଲକ୍ଷ ୫୪ହଜାରରୁ ଅଧିକ ଲୋକ ବିଶ୍ବରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବିଶ୍ବରେ ୬୯ହଜାର ୫୪‌୫ରେ ପହଞ୍ଚିଛି। ଦେଶରେ ଆଜି ସକାଳ ସୁଦ୍ଧା ୪୦୬୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯ ଜଣ ପ୍ରାଣ ହରାଇ ସାରିଲେଣି। ଭାରତ ବିଶ୍ବରେ ୨୮ତମ ସଂକ୍ରମିତ ଦେଶ ହୋଇଥିବା ବେଳେ ଓଡ଼ିଶା ଦେଶରେ ୧୯ତମ ସଂକ୍ରମିତ ରାଜ୍ୟ। ତେଣୁ ଏବେର ସମୟ କୋହଳ ହେବାର ସମୟ ନୁହେଁ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଥିଲେ।

ସାଂପ୍ରଦାୟିକ ମନୋଭାବ ଭୂତାଣଠାରୁ ବି ଭୟଙ୍କର ଓଡ଼ିଶା ସାଂପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ। ଓଡ଼ିଶାରେ ସାଂପ୍ରଦାୟିକତାର କୌଣସି ସ୍ଥାନ ନାହିଁ। ସାଂପ୍ରଦାୟିକ ମନୋଭାବ ଭୂତାଣୁଠାରୁ ମଧ୍ୟ ଭୟଙ୍କର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତାକୁ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ବାର୍ତାରେ କହିଛନ୍ତି ଯେ, ଶ୍ରୀ ଚୈତନ୍ୟଙ୍କଠାରୁ ଗୁରୁ ନାନକଙ୍କ ପର୍ଯ୍ୟନ୍ତ ଓ ଉପଗୁପ୍ତଙ୍କଠାରୁ ଭକ୍ତ ସାଲବେଗଙ୍କ ପର୍ଯ୍ୟନ୍ତ, ଓଡ଼ିଶା ସମନ୍ବୟର ତୀର୍ଥସ୍ଥଳୀ। ଯେଉଁଠି ମାନବ ଧର୍ମଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। କିଂବଦନ୍ତି ରହିଛି, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ସାଲବେଗ। ଥରେ ସାଲବେଗ ବୃନ୍ଦାବନ୍ଦ ଚାଲି ଯାଇଥିଲେ। ଏହି ସମୟରେ ରଥଯାତ୍ରାର ସମୟ ଆସି ଯାଇଥିଲା। ସାଲବେଗ ବୃନ୍ଦାବନରେ ଅଟକି ରହିଥିଲେ। ସେଠାରୁ ବିକଳ ହୋଇ ପ୍ରାର୍ଥନା କରିଥିଲେ, ‘ସାତ ଶ ପଞ୍ଚାଶ କୋଷ ଚାଲି ନ ପାରଇ, ମୁହିଁ ଯିବା ଯାଏ ନନ୍ଦିଘୋଷେ ଥିବ ରହି’। ସାଲବେଗ ଆସିବା ପର୍ଯ୍ୟନ୍ତ ମହାପ୍ରଭୁ ସେମିତି ର‌ଥରେ ରହିଥିଲେ। ପ୍ରତିବର୍ଷ ପୁରୀର ବଳଗଣ୍ଡି ଛକରେ ଯେଉଁଠି ଭକ୍ତ ସାଲବେଗଙ୍କ ସମାଧି ରହିଛି ମହାପ୍ରଭୁଙ୍କ ରଥ କିଛିକ୍ଷଣ ପାଇଁ ସେଠି ଅଟକି ଯାଇଥାଏ। ଏହା ଓଡ଼ିଶାର ଧାର୍ମିକ ସମନ୍ବୟକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ବାର୍ତାରେ କହିଥିବା ଶ୍ରୀ ବାଗଚୀ କହିଥିଲେ।

ସମ୍ବନ୍ଧିତ ଖବର