ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ଘର ଭୁବନେଶ୍ବରର ୟୁନିଟି-୪ ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ଓ ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି। ତେବେ ତାଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତ ନେଇ କୌଣସି ସୂଚନା ଏଯାବତ୍ ଦିଆଯାଇନାହିଁ। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ଏଥିସହ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ୩୩ ହୋଇଛି।
One more Covid 19 positive case in Bhubaneswar.
Male, 45 years, Madhusudan Nagar, Unit IV— H & FW Dept Odisha (@HFWOdisha) April 7, 2020
ଗତକାଲି ରାଜ୍ୟରେ ମାତ୍ର ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଦୁବାଇ ଫେରନ୍ତା ୩୨ ବର୍ଷୀୟ ଯୁବକଙ୍କ ଶରୀରରେ କୋରନା ଭୂତାଣୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆଳି ବ୍ଲକ୍ର ଏହି ଯୁବକ ଜଣକ ଗତ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସେହିଦିନ ଗାଁ ଲୋକେ ଏ ନେଇ ଥାନାକୁ ଜଣାଇଥିଲେ। ତହିଁ ପରଦିନ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ତାଙ୍କ ଗାଁକୁ ଯିବାରୁ ଗ୍ରାମବାସୀ ତୁରନ୍ତ ସଂପୃକ୍ତ ଯୁବକଙ୍କୁ ଗାଁ ବାହାରେ ସଂଗରୋଧରେ ରଖିବାକୁ ଦାବି କରିଥିଲେ। ମାତ୍ର ସଂପୃକ୍ତ ଯୁବକଙ୍କ ପରିବାର ଏଥିରେ ରାଜି ନ ହେବାରୁ ତାଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଯୁବକ ଜଣକ ଏହା ମାନି ନ ଥିବା ଆଜି କିଛି ଗାଁ ଲୋକ ଅଭିଯୋଗ କରିଛନ୍ତି। ପ୍ରାୟ ୨୦ ସଦସ୍ୟଙ୍କୁ .ନେଇ ତାଙ୍କର ଏକ ଯୌଥ ପରିବାର ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି, ତାହାର ଆକଳନ କରାଯାଉଛି।
କାଲି ରାତିରେ ଏକ ଆମ୍ବୁଲାନ୍ସରେ ଯୁବକଙ୍କୁ କଟକର କୋଭିଡ୍ ହସ୍ପିଟାଲକୁ ଅଣାଯାଇଛି। ଯୁବକଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।