ଭୁବନେଶ୍ୱର: କୋଭିଡ-୧୯ ନେଇ ଶନିବାର ସନ୍ଧ୍ୟାରେ ମିଶ୍ରିତ ଖବର ଆସିଛି । ରାଜ୍ୟରେ ପୁଣି ଥରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବରୀ ବ୍ଲକର ବୋଲି ଜଣାପଡ଼ିଛି । ରେଡ ଜୋନରେ ସାମିଲ ଥିବା ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ଏହା ଜଣାପଡ଼ିଛି । ୬୨ ବର୍ଷିଅ ବୃଦ୍ଧ ନିକଟରେ କୋଲକାତାରୁ ଫେରିଥିଲେ । କରୋନା ଭାଇରସ ଲକ୍ଷଣ ନ ଥିଲେ ବି ସେ କ୍ୱାରେଣ୍ଟାଇନରେ ଥିଲେ ।

Advertisment

ଅନ୍ୟପଟରେ ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । କରୋନା ଭାଇରସରେ ପୀଡ଼ିତ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ବ୍ୟକ୍ତିଜଣକ ଭୁବନେଶ୍ୱର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ମେ’ ମାସ ୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋଟ ୩୬ ହଜାର ୫୯୩ଟି ଆରଟି ପିସିଆର ଟେଷ୍ଟିଂ ହୋଇଛି । ଏପର୍ଯ୍ୟନ୍ତ ୧୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି । କେବଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।