ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଜି ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତ ଜଣକ ଜଣେ ୪୦ ବର୍ଷିୟା ମହିଳା । ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଡହଲଡେରା ଗ୍ରାମର ଉକ୍ତ ମହିଳାଙ୍କୁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ଭର୍ତ୍ତି କରିଛନ୍ତି। ଏହି ମହିଳାଙ୍କ କୌଣସି ଲକ୍ଷଣ ନଥିବା କୁହାଯାଉଛି। ଏହି ଖବର ଜଣାପଡ଼ିବା ପରେ ଆଜି ପୁଲିସ ଅଧିକାରୀ, ପ୍ରଶାସନକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର ଏକାଧିକ ଟିମ୍ ଉକ୍ତ ଗ୍ରାମକୁ ଯାଇ ସଂକ୍ରମିତ ମହିଳାଙ୍କ ଠାରୁ ତାଙ୍କ ଗସ୍ତ ବିବରଣୀ ପଚାରି ବୁଝିଥିଲେ।
ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ସଂକ୍ରମିତ ଆଶଙ୍କା
ସଂକ୍ରମିତ ମହିଳାଙ୍କ ବଡ଼ ଭଉଣୀ ସୁନ୍ଦରଗଡ଼ ଜିଲ୍ଲା ବନ୍ଧପାଲି ଗ୍ରାମରେ ରୁହନ୍ତି। ତାଙ୍କ ବଡ଼ ଭଉଣୀଙ୍କ ବହୁର ଡେଲିଭେରି ଥିବାରୁ ସେ ସହାୟତା କରିବା ପାଇଁ ୨୧ ତାରିଖ ଦିନ ସକାଳ ୬ ଟାରେ ତାଙ୍କ ବଡ଼ ଭଉଣୀଙ୍କ ଜ୍ବଇଁଙ୍କ ସହିତ ବାଇକରେ ବନ୍ଧପାଲିରେ ପହଞ୍ଚିଥିଲେ। ସେଠାରୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ଏଥିରେ ସେହି ଅଞ୍ଚଳର ଆଶା ମଧ୍ୟ ଯାଇଥିଲେ। ପରେ ସାଢ଼େ ୭ ଟାରେ ଏକ ଉକ୍ତ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଉକ୍ତ ମହିଳା ସେହି ହସପିଟାଲର ପ୍ରସୁତୀ ବିଭାଗ ୱାର୍ଡ଼ରେ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ରହି ଉକ୍ତ ପ୍ରସୁତୀ ମହିଳା ଓ ଶିଶୁର ଯତ୍ନ କରିଥିଲେ। ୨୪ରେ ସେ ସୁନ୍ଦରଗଡ଼ରୁ ବନ୍ଧପାଲି ଗ୍ରାମକୁ ଆସି ୨ ଦିନ ରହିଥିଲେ ଓ ୨୬ ତାରିଖ ଦିନ ନିଜ ଗ୍ରାମ ଡହଲଡେରାକୁ ଆସିଥିଲେ। ଆସିଲା ପରେ ତାଙ୍କୁ ହୋମ କ୍ବାରାଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇ ତାଙ୍କ ଘର ଆଗରେ ଷ୍ଟିକର ମରାଯାଇଥିଲା। ଲଖନପୁର ପିଏନ୍ଏଚ୍ଏସ୍ଏଲ୍ କେନ୍ଦ୍ର ପକ୍ଷରୁ ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା।
୬୩ ଜଣଙ୍କ ସଂପ୍ପର୍ଶରେ ଆସିଛନ୍ତି ସଂକ୍ରମିତ ମହିଳା
/sambad/media/post_attachments/wp-content/uploads/2020/05/JSG_Covid_Hospital-1024x576.jpeg)
ସଂକ୍ରମିତ ମହିଳା ୬୩ ଜଣଙ୍କ ସହିତ ସଂସ୍ପର୍ଶରେ ଆସିଥିବା ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଛି। ମହିଳାଙ୍କ ପରିବାରରେ ତାଙ୍କ ସ୍ବାମୀ, ଶ୍ବଶୁର, ନଣନ୍ଦ, ନଣନ୍ଦଙ୍କ ସ୍ବାମୀ ଓ ନଣନ୍ଦଙ୍କ ଏକ ୬ ବର୍ଷର ଝିଅ ମିଶି ମୋଟ ୬ ଜଣ ରହୁଥିବା ବେଳେ ସେ ତାଙ୍କ ପରିବାର ସମେତ ତାଙ୍କ ଗ୍ରାମ, ସୁନ୍ଦରଗଡ଼ ଓ ବନ୍ଧପାଲି ଗ୍ରାମର ମୋଟ ୬୩ ଜଣଙ୍କ ସହିତ ସଂପର୍କରେ ଆସିଛନ୍ତି। ନବ ଜାତକ ସନ୍ତାନ, ଆମ୍ବୁଲାନ୍ସ ଡ୍ରାଇଭର ସମେତ ୧୦ ଜଣ ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ସହିତ ମଧ୍ୟ ସେ ସଂପର୍କରେ ଆସିଥିବା ଜଣାଯାଇଛି। ଉକ୍ତ ମହିଳାଙ୍କ ସହିତ ସେହି ଗ୍ରାମର ଆଶା ଓ ଜଣେ ପଡ଼ୋଶୀ ଅତି ଘନିଷ୍ଠ ସଂପର୍କରେ ଆସି ଥିବା ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି।
ଡହଲଡେରାରେ ଭୟର ବାତାବରଣ
ଡହଲଡେରା ଗ୍ରାମରେ ଜଣେ ମହିଳା କରୋନାରେ ସଂକ୍ରମିତ ହେବା ଜଣାପଡ଼ିବା ପରେ ଗାଁକୁ ପୁଲିସ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଯାଇଥିଲେ। ଏହି ଖବର ବିଜୁଳି ବେଗରେ ପ୍ରଘଟ ହୋଇଯାଇଥିଲା। ଫଳରେ ସାରା ଲଖନପୁର ବ୍ଳକରେ ଏହି ଖବର ଆଲୋଡନ ସୃଷ୍ଟି କରିଥିଲା। ସଂକ୍ରମିତ ମହିଳା ଗ୍ରାମରେ ଆଜି ଆତଙ୍କର ବାତାବରଣ ଖେଳି ଯାଇଥିଲା। ଲୋକେ ଭୟରେ ପଦାକୁ ବାହାରି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/JSG_Dahaldera.jpeg)