ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ସୁନ୍ଦରଗଡ଼ ସମେତ ରାଜ୍ୟର ୫ ଜିଲ୍ଲା କରୋନା ମୁକ୍ତ

ରାଜ୍ୟର ୫ଟି ଜିଲ୍ଲାରେ ଦୂର ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର/ରାଉରକେଲା: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ .ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା  ୩୪ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ବ୍ୟକ୍ତି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡ଼ଗୁଡ଼ଯୋରର ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାସ୍ଥିତ ହାଇଟେକ କୋଭିଡ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ଏହା ଫଳରେ ସୁନ୍ଦରଗଡ଼ ସମେତ ରାଜ୍ୟର ୫ ଜିଲ୍ଲା କରୋନା ମୁକ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୯୪ ଜଣ ବ୍ୟକ୍ତି କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏବେ ୫୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ପୁରୀ, କଟକ, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା ପୂର୍ବରୁ କରୋନା ମୁକ୍ତ ଥିବା ବେଳେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ପୂର୍ବରୁ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନିର ୧୮ ବର୍ଷିଅ ଯୁବକ ଓ ପରେ ୬୭ ବର୍ଷିଅ ବୃଦ୍ଧ କରୋନା ସଂକ୍ରମିତ ସୁସ୍ଥ ହୋଇଥିଲେ । ସେମାନଙ୍କୁ ଏବେ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ସୁନ୍ଦରଗଡ଼ ଜିଲ୍ଲା ସଂପୂର୍ଣ୍ଣ ରୂପେ କରୋନା ମୁକ୍ତ ହୋଇଛି । ବିଶ୍ରା ବ୍ଲକରେ ଥିବା କଣ୍ଟେନମେଣ୍ଟ ଜୋନରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ ପଠାଯାଇଛି । ଅଦ୍ୟାବଧି ୭୦ ପ୍ରତିଶତ ନମୁନା ରିପୋର୍ଟ ଆସି ନ ଥିବାରୁ କଣ୍ଟେନମେଣ୍ଟ ଜୋନ ଅବଧି ଅନାଦେଶ ପର୍ଯ୍ୟନ୍ତ ଲାଗୁ ରହିବ ।

ସମ୍ବନ୍ଧିତ ଖବର