ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ, ୩୮ ପହଞ୍ଚିଲା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସୀ ଖବର।  ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ତାଙ୍କର କୋଭିଡ-୧୯ ରିପୋର୍ଟ ପରୀକ୍ଷା ନେଗେଟିଭ ଆସିବା ପରେ ଏବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି | ଏହି ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି | ଏହା ସହ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୨୬ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି |

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଓଡ଼ିଶାରେ ୮୯ଟି  ସକ୍ରିୟ ମାମଲା ରହିଛି | ସେହିଭଳି ଭୁବନେଶ୍ୱରରେ ୧୯ଟି ସକ୍ରିୟ ମାମଲା ରହିଥିବା ବେଳେ ଗତ ୧୪ଦିନ ମଧ୍ୟରେ ଭୁବନେଶ୍ୱରରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି |

ସୂଚନା ମୁତାବକ, ଆଜି ସକାଳେ ରାଜ୍ୟରେ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଥିଲା | ଏହି ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ବ୍ଲକର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର