ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର: ଏବେ ବି ୩ ଜଣ ନିଖୋଜ

ଯାଜପୁର: ଯାଜପୁର ବଡ଼ସୁଆର ନିକଟରେ ଖରସ୍ରୋତା ନଦୀରୁ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଚି। ଗତକାଲି ବନ୍ଧମୁଣ୍ଡା ନିକଟ ଖରସ୍ରୋତା ନଦୀର ମଙ୍ଗଳାପ ଘାଟରେ ଗାଧୋଉଥିବା ବେଳେ ଭାସି ଯାଇଥିବା ୬ ଜଣଙ୍କ ମଧ୍ୟରୁ କିଶାନ ଜେନା, ଶୁଭମ ଜେନା ଏବଂ ସୁବ୍ରତ ଜେନା ଏହି ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ପାଣିରେ ରାହୁଲ, କରନ ଓ ବବଲୁ ଏହି ୩ ଜଣ ନିଖୋଜ ଅଛନ୍ତି।
ତେବେ ଅଗ୍ନିଶମ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଭିତରେ ସଂପର୍କୀୟମାନେ ନିଖୋଜ ପିଲାଙ୍କୁ ଅପେକ୍ଷା କରି ବସି ରହିଛନ୍ତି।
ସୂଚନାଯୋଗ୍ୟ, ହୋଲି ଉତ୍ସବ ପରେ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ୭ ଜଣ ଭାସିଯାଇଥିଲେ। ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଶୁକ୍ରବାର ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ହୋଇଯାଇଛନ୍ତି। ସମସ୍ତଙ୍କର ବୟସ ୧୫ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ।
ସୂଚନା ଅନୁସାରେ ବଡ଼ସୁଆଁର ଗାଁରେ ଶୁକ୍ରବାର ଦିନ ହୋଲି ଉତ୍ସବ ପାଳନ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ୭ ଜଣ ପିଲା ଗାଁ ନିକଟ ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତେ ଭାସିଯାଇଥିଲେ। ସୂଚନା ପାଇଁ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ୨ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ବ୍ୟକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧିତ ଖବର