ହୀରାକୁଦ: ଝାଡ଼ାବାନ୍ତିରେ ପୀଡ଼ିତ ଆଉଜଣଙ୍କ ଜୀବନ ଯାଇଛି। ଏବେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି। ଏହି ମୃତକ ହେଲେ ହୀରାକୁଦ ଭୋଜପାଲିର ଯୁଧିଷ୍ଠିର ଧୁରୁଆ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୂଷିତ ପାଇପ୍‌ ପାଣି ପିଇବା ଯୋଗୁ ହୀରାକୁଦରେ ବ୍ୟାପିଛି ଝାଡ଼ାବାନ୍ତି। ଝାଡ଼ାବାନ୍ତି ଗତକାଲି ସନ୍ଧ୍ୟା ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା। ହୀରାକୁଦ କାଲୁପଡ଼ାର ଟିକେଶ୍ବର ନାୟକ(୪୩)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଗତକାଲି ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା।

Advertisment

ହୀରାକୁଦ ଜଳଭଣ୍ଡାର ତ‌ଳେ ଗଢ଼ି ଉଠିଥିବା ହୀରାକୁଦ ସହରବାସୀଙ୍କୁ ବିଶୁଦ୍ଧ ଜଳ ମିଳିପାରୁ ନାହିଁ। ସହରକୁ ପାଇପ୍ ଯୋଗେ ପାନୀୟ ଜଳ ‌ଯୋଗାଇ ଦେଇଥିବା ବିଭିନ୍ନ ସ୍ଥାନରେ ପାଇପ୍ ଫାଟିଯାଇଛି। ରାସ୍ତା ନିର୍ମାଣ ସମୟରେ ‌କେତେକ ଜାଗାରେ ପାଇପ୍ ଫାଟିଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ନିମ୍ନମାନର ପାଇପ୍ ବ୍ୟବହାର ହୋଇଥିବାରୁ ଚାପ ସମ୍ଭାଳି ନପାରି ଫାଟି ଯାଇଥିବା ଅଭିଯୋଗ ହେଉଛି। ଲୋକେ ଅଭିଯୋଗ କରିବା ପରେ ଜନସ୍ବାସ୍ଥ୍ୟ ବିଭାଗ ମରାମତି ଦିଗରେ ଅବହେଳା ପ୍ରଦର୍ଶନ କରାଯାଇଥିବା କୁହାଯାଇଛି।

ଗତ ୧୭ ତାରିଖ ଦିନ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ୩ ଜଣ ଲୋକେ ହୀରାକୁଦ ଡାକ୍ତରଖାନାକୁ ପ୍ରଥମ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ବୁର୍ଲା ଭିମ୍‌ସାରକୁ ରେଫର କରାଯାଇଥିଲା। ଏହାର ପର ଠାରୁ ସବୁଦିନ ୩/୪ ଜଣ ଲେଖାଏଁ ଲୋକେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ୨୧ ତାରିଖ ୩୬ ଜଣ ଏବଂ ୨୨ ତାରିଖ ଦିନ ୪୨ ଜଣ ଡାକ୍ତରଖାନାକୁ ଆସିଥିଲେ। ତେବେ, ଆଜି ସନ୍ଧ୍ୟା ସୁଦ୍ଧା ସହରରେ ଆକ୍ରାନ୍ତ ସଂଖ୍ୟା ୧୩୧ରେ ପହଂଚିଛି। କାଲୁପଡ଼ା, ଷ୍ଟୋର ଛକ, ଗୁରୁଦ୍ୱାରା ପଡ଼ା, କଦମପଡ଼ା, ଗାନ୍ଧୀନଗର, ଖ୍ରୀଷ୍ଟିଆନ ପଡ଼ା ଆଦି ଅଞ୍ଚଳରେ ମୁଖ୍ୟତଃ ଏହାର ବ୍ୟାପିଛି। ଆଜି ସିଡିଏମ୍‌ଓ ସୁଜାତାରାଣୀ ମିଶ୍ର ଓ ତାଙ୍କ ଟିମ୍‌ ହୀରାକୁଦ ପହଂଚି ସ୍ଥିତି ନିରୀକ୍ଷଣ କରିଥିଲେ। ବୁର୍ଲା ଭିମ୍‌ସାରକୁ ମଧ୍ୟ ଏକ ଡାକ୍ତରୀ ଟିମ୍‌ ଆସିଥିଲେ। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମଧ୍ୟ ହୀରାକୁଦ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଶାକର୍ମୀ, ଅଂଗନୱାଡ଼ି କର୍ମୀ ପକ୍ଷରୁ ପଡ଼ାପଡ଼ା ବୋଲି ସଚେତନତା ସୃଷ୍ଟି କରାଯାଇଛି। ଡାକ୍ତରୀ ଦଳ ଔଷଧ ବି ବାଣ୍ଟୁଛନ୍ତି। ଟିକେଶ୍ବରଙ୍କ ନିଜଘର ବରଗଡ଼ ଜିଲ୍ଲା ବରାହଗୋଡ଼ାରେ ହୋଇଥିବା ବେଳେ ହୀରାକୁଦରେ ତାଙ୍କ ପତ୍ନୀଙ୍କ ଶ୍ବଶ୍ବରୁଘରେ ରହୁଥିଲେ। ତାଙ୍କ ପତ୍ନୀ ଅଂଗନୱାଡ଼ି କର୍ମୀ ହୋଇଥିବା ବେଳେ ଟିକେଶ୍ବର କ୍ବାକ୍ ଭାବେ କାମକରି ଗୁଜୁରାଣ ମେଣ୍ଟାଉ ଥିଲେ। ଅପରପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛି। ଫାଟି ଯାଇଥିବା ପାଇପ ମରାମତି କରିବା ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ସିଡିଏମ୍‌ଓ ସୁଜାତାରାଣୀ ମିଶ୍ରଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ୧୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣ ଆଗରୁ ଯକୃତଜନିତ ରୋଗରେ ଆକ୍ରାନ୍ତ ଥିଲେ। ଆସନ୍ତାକାଲି ଭୁବନେଶ୍ବରରୁ ଏକ ଡାକ୍ତରୀ ଟିମ୍ ଆସିବା କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି।