ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ପଂଚାୟତ ବରପଦା ଗାଁରେ ୩ଜଣଙ୍କୁ ହତ୍ୟା ଘଟଣାରେ ଆଉଜଣଙ୍କୁ ପୁଲିସ ଅଟକ ରଖିଛି। ଏହାଫଳରେ ଅଟକ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତକାଲି ପୁଲିସ ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗାଁ ୭ ଜଣ ଯୁବକଙ୍କୁ ଅଟକ ରଖିଥିଲା। ଆଜି ସକାଳେ ଆଉ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ। ଅଟକ ବ୍ୟକ୍ତିମାନେ ହେଲେ ଉକ୍ତ ଗାଁର ବୁଦ୍ଧିଆ ସିଂ, ବାପା ସିଂ, ଚନ୍ଦରା ସିଂ, ତ୍ରିଲୋଚନ ସିଂ, ରାମ ସିଂ, ହରିଆ ସିଂ, ଲାରା ସିଂ। ଏମାନଙ୍କ ମଧ୍ୟରୁ ୪ ଯୁବକ ହତ୍ୟା କରି ଫିଙ୍ଗିଥିବା ସ୍ବୀକାର କରିଛନ୍ତି। ପୁଲିସ ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତକୁ ଆଣି ସ୍ଥାନ ଚିହ୍ନଟ କରିବା ସହିତ ମୃତଦେହକୁ ଉଦ୍ଧାର କରିଛି। ବରପଦା ଗାଁରେ ୩ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନନଙ୍କର ମୃତଦେହ ପାହାଡ଼ ଉପରୁ ଉଦ୍ଧାର କରାଯାଇଛି। ମୃତକମାନଙ୍କ ମଧ୍ୟରେ ଦଂପତି ଦାମ୍ପା ସିଂ, ତାଙ୍କର ସ୍ତ୍ରୀ ଜାଲିଆ ସିଂହ ଓ ସମ୍ବାରି ସିଂ ଅଛନ୍ତି।
ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଗୁଣିଗାରେଡ଼ିକୁ ନେଇ ଜଣେ ଯୁବକକୁ ଗାଁ ଲୋକେ ସନ୍ଦେହ କରିଥିଲେ। ଜଣେ ମହିଳା ବଣକୁ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ କୌଣସି କାରଣରୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ଫଳରେ ଗ୍ରାମବାସୀମାନେ ମହିଳା ଜଣଙ୍କ ଗୁଣିଗାରେଡ଼ି କରୁଥିବାରୁ ତାଙ୍କର ଆଖି ଫୁଟିଯାଇଥିବା ସନ୍ଦେହ କରିଥିଲେ। ଗତ ରବିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଜଣଙ୍କର ଜନ୍ମଦିନ ଥିବାରୁ ଭୋଜିଭାତର ଆସର ଜମିଥିଲା। ଏହି ଭୋଜିକୁ ଦାମ୍ପା ସିଂ ମଧ୍ୟ ଯାଇଥିଲେ। ତେବେ ଏଠାରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଏତେ ଉଗ୍ରରୂପ ନେଲା ଯେ କିଛି ଯୁବକ ମିଶି ଦାମ୍ପା ସିଂକୁ ପିଟିପିଟି ହତ୍ୟା କରିଥିଲେ। ଅନ୍ୟ ଜଣେ ମହିଳା ସମ୍ବାରି ସିଂ ଏହାର ପ୍ରତିବାଦ କରିବା ସହିତ ଅନ୍ୟ ଲୋକମାନଙ୍କୁ କହିଦେବେ ବୋଲି କହିଥିଲେ। ତେଣୁ ଉକ୍ତ ଯୁବକମାନେ ତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥି ସହ ଦାମ୍ପା ସିଂଙ୍କ ପତ୍ନୀ ଜାଲିଆ ସିଂ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ। ପରେ ଗାଁରେ ଏକ ବୈଠକ ହୋଇଥଲା।
ତେବେ ଏହି ଘଟଣାକୁ କେହି କାହା ଆଗରେ ପ୍ରକାଶ କରିବେ ନାହିଁ ବୋଲି ଶପଥ ନେଇଥିଲେ ଏବଂ ମୃତଦେହଗୁଡ଼ିକୁ ନେଇ ନିକଟସ୍ଥ ପାହାଡ଼ ଉପରେ ଫିଙ୍ଗିଦେଇଥିଲେ। ପରେ ସମ୍ବାରି ସିଂଙ୍କ ପୁଅ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ତାଙ୍କ ମାଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ତାଙ୍କ ମା’ଙ୍କ ସହିତ ଅନ୍ୟ ଦୁଇଜଣ ରବିବାର ରାତିରୁ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ପରେ ସେ ଔପଦା ଥନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Oupada-e1686462832947-1200x675-1.jpg)