ବାରିପଦାରେ ଛେଳି ଚୋରିକୁ ନେଇ ଯୁବକଙ୍କୁ ପିଟିପିଟି ମାରିଦେଲେ, ୨ ଅଟକ

ବାରିପଦା: ଛେଳି ଚୋରିକୁ ନେଇ ଉତ୍ତ୍ୟକ୍ତ ଏକ ଗୋଷ୍ଠୀର ଲୋକେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିରେ ମାଡ଼ଖାଇଥିବା ଯୁବକଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲାର ବାରିପଦା ଟାଉନ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପାଲବଣୀ ଗାଁର ସ୍ୱର୍ଗତ ଲାଲା କାଳନ୍ଦୀଙ୍କ ପୁଅ ରବି କାଳନ୍ଦୀ(୫୦)। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ପାଲବଣୀ ଅନ୍ତର୍ଗତ ୨୫ ନମ୍ବର ଓ୍ଵାର୍ଡର ଚଞ୍ଛା ଗାଁରୁ ଜଣେ ବ୍ୟକ୍ତିଙ୍କର ଘରୁ ଛେଳି ଚୋରି ହୋଇଥିଲା। ଏହି ଛେଳି ଚୋରିକୁ ନେଇ ଅଭିଯୁକ୍ତମାନେ ରବି କାଳନ୍ଦୀ ନାମରେ ଜଣେ ଲୋକଙ୍କ ଉପରେ ସନ୍ଦେହ କରିଥିଲେ। ଆଜି ଅପରାହ୍ନରେ ସେମାନେ ରବି କାଳନ୍ଦୀଙ୍କୁ ଗାଁ ନିକଟରେ ଥିବା ସଡ଼କକୁ ଡାକିଥିଲେ। ସେଠାରେ ସେମାନେ ଠେଙ୍ଗାରେ ନିସ୍ତୁକ ମାଡ଼ମାରିଥିଲେ। ନିସ୍ତୁକ ମାଡ଼ ଖାଇବା ପରେ ଘଟଣାସ୍ଥଳରେ ହେିଁ ରବିଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ହତ୍ୟାକାଣ୍ଡ ସଂପର୍କିତ ସୂଚନା ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଉଦ୍ଧାର ହୋଇଛି। ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ୨ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି। ପୁଲିସ ହତ୍ୟାକାଣ୍ଡ ଘଟଣାରେ ଆହୁରି କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରୁଛି। ଅପରପକ୍ଷେ ସାଇଣ୍ଟିଫିକ ଟିମ୍‌କୁ ପୁଲିସ ହତ୍ୟାକାଣ୍ଡ ସଂପର୍କିତ ସୂଚନା ଦେଇ ଘଟଣାର ଅଧିକ ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ମାମଲା ରୁଜୁ ହୋଇ ନାହିଁ।

ସମ୍ବନ୍ଧିତ ଖବର