‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ବ୍ୟବସ୍ଥା: ବଢ଼ୁଛି ପୁରୁଣା ଓ ନୂଆ ହିତାଧକାରୀଙ୍କ ସମସ୍ୟା 

ରାଉରକେଲାରେ ଅଛନ୍ତି ୭୬ ହଜାରରୁ ଅଧିକ କାର୍ଡଧାରୀ

ରାଉରକେଲା: ଯୋଗାଣ ବ୍ୟବସ୍ଥାର ସୁଧାର ଆଣିବାକୁ ଆରମ୍ଭ ହୋଇଛି ‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ଯୋଜନା। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଗ୍ରାମାଞ୍ଚଳର କାର୍ଡଧାରୀମାନେ ବିଶେଷ ଭାବେ ଉପକୃତ ହେବେ। ପଞ୍ଚାୟତ ନିର୍ବାଚନକୁ  ଆଖି ଆଗରେ ରଖି ତରବରିଆ ଭାବେ କାର୍ଯ୍ୟକାରୀ ‌ହୋଇଥିବା ଏହି ଯୋଜନାରେ ଉଭୟ କଣ୍ଟ୍ରୋଲ ଦୋକାନୀ ଓ ଯୋଗାଣ ବିଭାଗ ଅଧିକାରୀ, କର୍ମଚାରୀଙ୍କୁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପୁରୁଣା ଓ ନୂଆ କାର୍ଡଧାରୀଙ୍କ  ସମସ୍ୟା ବଢ଼ିଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ତଳିଆ କର୍ମଚାରୀ  ମୁହଁ ଖୋଲୁ ନାହାନ୍ତି। ସେମିତି ଲାଇସେନ୍ସ ବାତିଲ କରିବା ଭୟରେ ଉଭୟ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜି ଗ୍ରୁପ୍‌  ମଧ୍ୟ ଚୁପ୍‌ ରହୁଛନ୍ତି।

ଏସବୁ ଭିତରେ ଯେମିତି କୌଣସି କାର୍ଡଧାରୀ ଚାଉଳ, ଗହମ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ପ୍ରାଥମିକତା ଦେବାକୁ ଯୋଗାଣ ଅଧିକାରୀ ସମସ୍ତ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଦାଗିଦ୍‌ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଦାଗିଦ୍‌ ଅନୁଯାୟୀ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଗ୍ରୁପ ସମସ୍ତ କାର୍ଡଧାରୀଙ୍କୁ ଚାଉଳ, ଗହମ ଦେଉଛନ୍ତି। ଜିଲ୍ଲା ବାହାରୁ ଆସୁଥିବା କାର୍ଡଧାରୀ ଓ ପୁରୁଣାକାର୍ଡଧାରୀଙ୍କୁ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଗ୍ରୁପ ସମାନ ଗୁରୁତ୍ବ ଦେଉଛନ୍ତି। କଣ୍ଟ୍ରୋଲ ଦୋକାନରେ ମହଜୁଦ ଚାଉଳ, ଗହମ ଶେଷ ହେବା ପରେ ବିଭାଗ ପକ୍ଷରୁ ଆବଶ୍ୟକ ପିଡିଏସ୍‌ ସାମଗ୍ରୀ ଯୋଗାଣ ବିଳମ୍ବ ହେଉଛି। ଫଳରେ ସହର ଓ ସହରବାହାର କାର୍ଡଧାରୀ ପିଡିଏସ୍‌ ସାମଗ୍ରୀ ପାଇବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କାହାକୁ ଦୁଇ ଦିନ ତ ଅନ୍ୟ କାହାକୁ ତିନି ଦିନ ପରେ ଚାଉଳ, ଗହମ ମିଳୁଛି। ଉଦାହରଣ ସ୍ବରୂପ ଗଞ୍ଜାମ ଜିଲ୍ଲାର ବିଷ୍ଣୁପ୍ରିୟା ପଣ୍ଡା, ଶୈଳବାଳା ଦାସ, କଟକର ଲକ୍ଷ୍ମୀପ୍ରିୟା ପାଇକରାୟ ‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ଯୋଜନାରେ ଇସ୍ପାତ ସହରାଞ୍ଚଳର ଏକ କଣ୍ଟ୍ରୋଲ ଦୋକାନରୁ କାର୍ଡ ଦେଖାଇ ଚାଉଳ, ଗହମ ଉଠାଇଛନ୍ତି। କେବଳ ଗଞ୍ଜାମ, କଟକ ନୁହେଁ ବରଗଡ, ଦେବଗଡ, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଆଦି ଜିଲ୍ଲାର କାର୍ଡଧାରୀମାନେ ମଧ୍ୟ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନ ଓ ଏସ୍‌ଏଚ୍‌ଜି ଗ୍ରୁପରୁ  ଚାଉଳ, ଗହମ ଉଠାଇବା ଆରମ୍ଭ କରି ଦେଇଛନ୍ତି।

ଏମିତି ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳର ପାଖାପାଖି ୨ ହଜାରରୁ ଅଧିକ କାର୍ଡଧାରୀ ନୂଆ ଯୋଜନାରେ ଉପକୃତ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଆହୁରି ଅନେକ କାର୍ଡଧାରୀ ଉପକୃତ ହେବାକୁ ଯାଉଛନ୍ତି। କିନ୍ତୁ ଯୋଜନାକୁ ସଠିକ୍‌ ଡଙ୍ଗରେ କାର୍ଯ୍ୟକାରୀ କରାଯାଇ ନଥିବାରୁ ବଣ୍ଟନ ବ୍ୟବସ୍ଥାରେ ନାନା ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ପୂର୍ବରୁ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଗ୍ରୁପ୍‌କୁ କାର୍ଡ ଅନୁଯାୟୀ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ଯୋଜନା ଆରମ୍ଭ ହେବା ପରେ ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ଗ୍ରୁପକୁ ମୋଟ କାର୍ଡର ୮୦%  ପିଡିଏସ୍‌ ସାମଗ୍ରୀ ଦିଆଯାଉଛି। ୮୦% ପିଡିଏସ୍‌ ସାମଗ୍ରୀ ବଣ୍ଟନ ପରେ ଅବଶିଷ୍ଟ କାର୍ଡଧାରୀଙ୍କୁ ଚାଉଳ, ଗହମ ଦେବାକୁ ନିକଟସ୍ଥ କଣ୍ଟ୍ରୋଲ ଦୋକାନରୁ ଅଣାଯାଉଛି। କିନ୍ତୁ ନିକଟସ୍ଥ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ଉଭୟ ହିତାଧିକାରୀ ଓ କଣ୍ଟ୍ରୋଲ ଦୋକାନୀଙ୍କୁ ନାନା ଦହଗଞ୍ଜ ‌ହେବାକୁ ପଡୁଛି।

ସେପଟେ ଯୋଗାଣ ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ବ୍ୟବସ୍ଥାର ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ହିତାଧିକାରୀମାନେ କହିଛନ୍ତି। ସ୍ବାଗତଯୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପୂର୍ବରୁ ରହିଥିବା ସମସ୍ୟାକୁ ଠିକ୍‌ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।  ଉଲ୍ଲେଖଯୋଗ୍ୟ, ରାଉରକେଲା ସହରର ଇସ୍ପାତ ସହରାଞ୍ଚଳ ଓ  ମହାନଗର ନିଗମ ଅଞ୍ଚଳରେ ୬୭ ହଜାରରୁ ଅଧିକ କାର୍ଡଧାରୀ ରହିଛନ୍ତି। ଅର୍ଥାତ୍‌ ପାଖାପାଖି ଅଢ଼େଇ ଲକ୍ଷ ଲୋକ ମାଗଣାରେ ଚାଉଳ, ଗହମ ପାଉଛନ୍ତି।  ବଣ୍ଟନ ଦାୟିତ୍ବରେ ସହରରେ ୨୦ରୁ ଅଧିକ ଏସ୍‌ଏଚ୍‌ଜି ସମେତ ମୋଟ ୧୬୮ଟି କଣ୍ଟ୍ରୋଲ ଦୋକାନ ରହିଛି।

ସମ୍ବନ୍ଧିତ ଖବର