ରାଉରକେଲା: ହିତାଧିକାରୀଙ୍କ ସୁବିଧା ପାଇଁ ସରକାର ଆରମ୍ଭ କଲେ ‘ୱାନ୍ ନେସନ୍, ୱାନ୍ କାର୍ଡ’ ବ୍ୟବସ୍ଥା। ଅର୍ଥାତ୍ ଯିଏ ଯେଉଁଠି ପାରିବେ ନିଜ କାର୍ଡ ଦେଖାଇ ନିଜର ଖାଉଟି ସାମଗ୍ରୀ ନେଇ ପାରିବେ। ସ୍ମାର୍ଟସିଟି ରାଉରକେଲା ଏହି ବ୍ୟବସ୍ଥା କାମ ଦେଉନି। ଏକ ପ୍ରକାର ପ୍ରହସନ ପାଲଟିଛି। ଗାଁରୁ ସହରକୁ ଆସୁଥିବା ହିତାଧିକାରୀ ଯେତିକି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସହରରୁ ଗାଁକୁ ଯାଉଥିବା ହିତାଧିକାରୀ ତା’ଠାରୁ ଢ଼େର ସମସ୍ୟା ଭୋଗୁଛନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଜଣେ ହିତାଧିକାରୀ ହେଲେ ଛେଣ୍ଡ କଲୋନିର ଶିବଶଙ୍କର ବିଶ୍ବାଳ। ଗାଁରେ ନିଜର କାର୍ଡ ଥିଲା।
ପରିବାର ପ୍ରତିପୋଷଣ ପାଇଁ ରାଉରକେଲା ଆସିଥିଲେ। ଗାଁରେ ଯେଉଁ କାର୍ଡରୁ ମାସକୁ ମାସ ଚାଉଳ, ଗହମ ଉଠାଉଥିଲେ। ସେହି କାର୍ଡକୁ ଧରି ସହରରେ ଏ କଣ୍ଟୋଲ ଦୋକାନରୁ ସେ କଣ୍ଟ୍ରୋଲ ଦୋକାନକୁ ଦୌଡୁଛନ୍ତି। ସମେସ୍ତ କୋଟା ସରି ଯାଇଛି ପରେ ଆସନ୍ତୁ ବୋଲି କହି ଫେରାଇ ଦେଉଛନ୍ତି। କେବଳ ଶିବଶଙ୍କର ନୁହେଁ ସହରରେ ଏମିତି ଶତାଧିକ ହିତାଧିକାରୀ କାର୍ଡଧରି ବୁଲୁଛନ୍ତି। ତାଙ୍କୁ ଗହମ ଓ ଚାଉଳ ମିଳୁନି। କାହାକୁ ଦୁଇ ମାସେ ତ ଅନ୍ୟ କାହାକୁ ୩ ମାସର କୋଟା ମିଳିନି। ଏଭଳି ସମସ୍ୟା ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀ ପାଖରେ ପହଞ୍ଚୁଛି। ଫଳ କିନ୍ତୁ ଶୂନ। ଏମାନଙ୍କ କାର୍ଡ ପିଛା ଉଠୁଥିବା ଚାଉଳ ଓ ଗହମ କୁଆଡେ ଯାଉଛି, ତାକୁ ନେଇ ସାଧାରଣରେ ସନ୍ଦେହ ହେବା ସ୍ବାଭାବିକ। ସହରର ଛେଣ୍ଡ କଲୋନି, ବାସନ୍ତୀ କଲୋନି, ସାରନଗରୀ, ନୟାବଜାର, ସିଭିଲଟାଉନସିପ୍, ସେକ୍ଟରରେ ରହିଥିବା ଅଧିକାଂଶ କଣ୍ଟ୍ରୋଲ ଦୋକାନୀଙ୍କ ମନମାନିରୁ ହିତାଧିକାରୀଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି।
ଅନ୍ୟପଟେ କିଛି ନିର୍ଦ୍ଦିଷ୍ଟ କଣ୍ଟ୍ରୋଲ ଦୋକାନୀ ୱାନ୍ ନେସନ୍ ୱାର୍ଡ କାର୍ଡକୁ ଆଦୌ ଗୁରୁତ୍ବ ନାହାନ୍ତି। ସେମାନଙ୍କ ପାଖରେ ଯେତିକି କାର୍ଡ ରହିଛି, ସେତିକି ଖାଉଟି ସାମଗ୍ରୀ ଦେଇ କାମ ସାରି ଦେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକଥା ଛେଣ୍ଡ ଭିଏସ୍ଏସ୍ ମାର୍କେଟର କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ କୋଏଲନଗର, ଜଗଦା ଆଦି ଅଞ୍ଚଳର କାର୍ଡ ରହିଛି। ଏସବୁ କାର୍ଡକୁ ନିକଟସ୍ଥ କଣ୍ଟ୍ରୋଲ ଦୋକାନୀ ସହ ଆଟାଚ୍ କରାଯାଉ ନାହିଁ। କଣ୍ଟ୍ରୋଲ ଦୋକାନୀ ଯୋଗାଣ ବିଭାଗର କରିତକର୍ମା ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଏସବୁ କାର୍ଡକୁ ନିଜ ପାଖରେ ରଖିଛନ୍ତି। ଏସବୁ କାର୍ଡ ବାବଦରେ ଉଠୁଥିବା କୋଟାକୁ ମିଳିମିଶି କରି ଚଳୁ କରି ଦେଉଥିବା ଅଭିଯୋଗ ହେଉଛି। ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ବର୍ଷ ବର୍ଷ ଧରି ୧୯୩୨ ଭୂତ କାର୍ଡରେ ଉଠୁଥିଲା ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ।
ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଯୋଗାଣ ବିଭାଗରେ ଚାଲିଥିବା ଦୁର୍ନୀତି ପଦାକୁ ଆସିଥିଲା। ୧୯୩୨ ଭୂତ କାର୍ଡକୁ ଶେଷରେ ବାତିଲ୍ କରାଯାଉଛି। ଅର୍ଥାତ୍ କାର୍ଡ ପିଛା ୪ ଜଣ ସଦସ୍ୟ ଥିଲେ ୭ ହଜାର ୭୨୭ ଜଣଙ୍କ ନାଁରେ ଉଠାଯାଉଥିବା ଚାଉଳ ଓ ଗହମକୁ ମିଳିମିଶି ଚଳୁ କରୁଥିଲେ। ସାମିଲ ଥିଲେ ଯୋଗାଣ ବିଭାଗର କରିତକର୍ମା ଅଧିକାରୀ, କର୍ମଚାରୀ ଓ କିଛି କଣ୍ଟ୍ରୋଲ ଦୋକାନୀ ସହ ଏସ୍ଏଚ୍ଜି ଗ୍ରୁପ୍। କାର୍ଡ ସିନା ବାତିଲ ହେଲା, ଯୋଗାଣ ବିଭାଗର ଅଧିକାରୀ କେବଳ ତଦନ୍ତ କରି କାମ ସାରିଦେଲେ। କିନ୍ତୁ ଏଯାଏ ଜଣେ ହେଲେ ଯୋଗାଣ ଅଧିକାରୀ, କର୍ମଚାରୀ, କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଗ୍ରୁପ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ସେମିତି ଏବେ କିରାସିନରେ ଚାଲିଛି ବ୍ୟାପକ ହରିଲୁଟ୍।
ସମସ୍ତଙ୍କ ଘରେ ବିଜୁଳି ଆଲୋକ ଅଛି। ସମସ୍ତ ବସ୍ତିବାସିନ୍ଦାଙ୍କୁ ଉଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ ମିଳିଛି। ପୂର୍ବପରି କିରାସିନର ଆବଶ୍ୟକତା ନଥିବାରୁ କାର୍ଡଧାରୀ କଣ୍ଟ୍ରୋଲ ଦୋକାନକୁ ଯାଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସହରରେ ପାଖାପାଖି ୪୫% କାର୍ଡଧାରୀ କଣ୍ଟ୍ରୋଲ ଦୋକାନରୁ କିରାସିନ ନେଉନାହାନ୍ତି। ରାଉରକେଲା ସହରରେ ମୋଟ ୬୭ ହଜାର ୯୭୧ କାର୍ଡ ମିଳିଛି। କାର୍ଡ ପିଛା ମାସକୁ ୧.୫ ଲିଟର କରି ପାଖାପାଖି ୧ ଲକ୍ଷ ୧୯ ହଜାର ଲିଟରରୁ ଅଧିକ କିରାସିନ ଉଠୁଛି। ଲିଟର ପିଛା ୫୨ ଟଙ୍କା କରି ପାଖାପାଖି ୫୩ ଲକ୍ଷର କିରାସିନ ଉଠାଯାଉଛି। ୪୫% ଅର୍ଥାତ୍ ପାଖାପାଖି ୧୧ ଲକ୍ଷ ଟଙ୍କାର କିରାସିନ କଣ୍ଟ୍ରୋଲ ଦୋକାନରେ ବିକ୍ରି ହେଉନାହିଁ। କଳାବଜାରରେ ଏସବୁ କିରାସିନ ୮ରୁ ଅଧିକ ଟଙ୍କା ଅର୍ଥାତ୍ ୬୦ ଟଙ୍କାରେ ବିକ୍ରି କରାଯାଉଛି। ଏପରି ଭାବେ ମାସକୁ ୪ ଲକ୍ଷରୁ ଅଧିକ ଟଙ୍କାକୁ ମିଳି ମିଶି ଚଳୁ କରୁଥିବା ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍।