ରାଉରକେଲା: ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବାକୁ ସରକାର ଆରମ୍ଭ କରିଛନ୍ତି ‘ ୱାନ୍ ନେସନ୍, ୱାନ୍ କାର୍ଡ’ ବ୍ୟବସ୍ଥା। ଏହାର ଅର୍ଥ ହିତାଧିକାରୀମାନେ ନିଜ କାର୍ଡ ଦେଖାଇ ଯେ କୌଣସି ସ୍ଥାନରେ ଖାଉଟି ସାମଗ୍ରୀ ଉଠାଇପାରିବେ। କଣ୍ଟ୍ରୋଲ ଦୋକାନୀଙ୍କ ଖାମଖିଆଲି ମନୋଭାବ ଓ ଯୋଗାଣ ବିଭାଗର ଅବହେଳରୁ ରାଉରକେଲା ଏହି ବ୍ୟବସ୍ଥା ଅଧିକାଂଶ ସମୟରେ କାମ ଦେଉନି। ଫଳରେ ଗାଁରୁ ସହରକୁ ଆସୁଥିବା ହିତାଧିକାରୀ ଯେତିକି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସହରରୁ ଗାଁକୁ ଯାଉଥିବା ହିତାଧିକାରୀ ତା’ଠାରୁ ଢ଼େର ସମସ୍ୟା ଭୋଗୁଛନ୍ତି। ଜଣେ କି ଦୁଇଜଣ ନୁହେଁ ସହରରେ ଏମିତି ଶତାଧିକ ହିତାଧିକାରୀ କାର୍ଡଧରି ଗୋଟିଏ କଣ୍ଟ୍ରୋଲ ଦୋକାନରୁ ଅନ୍ୟ କଣ୍ଟ୍ରୋଲ ଦୋକାନକୁ ଯାଉଛନ୍ତି। ହେଲେ ତାଙ୍କୁ ଗହମ ଓ ଚାଉଳ ମିଳୁନି। କାହାକୁ ଦୁଇ ମାସେ ତ ଅନ୍ୟ କାହାକୁ ୩ ମାସର କୋଟା ମିଳିନି। ଏଭଳି ସମସ୍ୟା ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀ ପାଖରେ ପହଞ୍ଚୁଛି। ଫଳ କିନ୍ତୁ ଶୂନ। ଏମାନଙ୍କ କାର୍ଡ ପିଛା ଉଠୁଥିବା ଚାଉଳ ଓ ଗହମ କୁଆଡେ ଯାଉଛି, ତାକୁ ନେଇ ସାଧାରଣରେ ସନ୍ଦେହ ହେବା ସ୍ବାଭାବିକ।
ସହରର ଛେଣ୍ଡ କଲୋନି, ବାସନ୍ତୀ କଲୋନି, ସାରନଗରୀ, ନୟାବଜାର, ସିଭିଲଟାଉନସିପ୍, ସେକ୍ଟରରେ ରହିଥିବା ଅଧିକାଂଶ କଣ୍ଟ୍ରୋଲ ଦୋକାନୀଙ୍କ ମନମାନିରୁ ହିତାଧିକାରୀଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି। ବିଶେଷ କରି ଗାଁରୁ ଆସି ବସ୍ତିରେ ରହୁଥିବା ହିତାଧିକାରୀ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। କିଛି କଣ୍ଟ୍ରୋଲ ଦୋକାନୀ ଏଭଳି ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଦେଉଛନ୍ତି। ଆଉ କିଛି କଣ୍ଟ୍ରୋଲ ଦୋକାନୀ ଏମାନଙ୍କ କଥାକୁ ଆଦୌ ଶୁଣୁ ନାହାନ୍ତି। ଆଜି କାଲି କରି ମାସ ମାସ ଦୌଡାଉଛନ୍ତି। ଅନ୍ୟପଟେ କିଛି ନିର୍ଦ୍ଦିଷ୍ଟ କଣ୍ଟ୍ରୋଲ ଦୋକାନୀ ୱାନ୍ ନେସନ୍ ୱାର୍ଡ କାର୍ଡକୁ ଆଦୌ ଗୁରୁତ୍ବ ନାହାନ୍ତି। ସେମାନଙ୍କ ପାଖରେ ଯେତିକି କାର୍ଡ ରହିଛି, ସେତିକି ଖାଉଟି ସାମଗ୍ରୀ ଦେଇ କାମ ସାରି ଦେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକଥା ଛେଣ୍ଡ ଭିଏସ୍ଏସ୍ ମାର୍କେଟର କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ କୋଏଲନଗର, ଜଗଦା ଆଦି ଅଞ୍ଚଳର କାର୍ଡ ରହିଛି। ଏସବୁ କାର୍ଡକୁ ନିକଟସ୍ଥ କଣ୍ଟ୍ରୋଲ ଦୋକାନୀ ସହ ଆଟାଚ୍ କରାଯାଉ ନାହିଁ। କଣ୍ଟ୍ରୋଲ ଦୋକାନୀ ଯୋଗାଣ ବିଭାଗର କରିତକର୍ମା ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଏସବୁ କାର୍ଡକୁ ନିଜ ପାଖରେ ରଖିଛନ୍ତି। ଏସବୁ କାର୍ଡ ବାବଦରେ ଉଠୁଥିବା କୋଟାକୁ ମିଳିମିଶି କରି ଚଳୁ କରି ଦେଉଥିବା ଅଭିଯୋଗ ହେଉଛି। ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ବର୍ଷ ବର୍ଷ ଧରି ବିନା ହିତାଧିକାରୀ ଉଠୁଥିବା ଖାଉଟି ସାମଗ୍ରୀର ୧୯୩୨ ଭୂତ କାର୍ଡକୁ ଶେଷରେ ବାତିଲ୍ କରାଯାଇଛି। ଅର୍ଥାତ୍ କାର୍ଡ ପିଛା ୪ ଜଣ ସଦସ୍ୟ ଥିଲେ ୭ ହଜାର ୭୨୭ ଜଣଙ୍କ ନାଁରେ ଉଠାଯାଉଥିବା ଚାଉଳ ଓ ଗହମକୁ ମିଳିମିଶି ଚଳୁ କରୁଥିଲେ। ସାମିଲ ଥିଲେ ଯୋଗାଣ ବିଭାଗର କରିତକର୍ମା ଅଧିକାରୀ, କର୍ମଚାରୀ ଓ କିଛି କଣ୍ଟ୍ରୋଲ ଦୋକାନୀ ସହ ଏସ୍ଏଚ୍ଜି ଗ୍ରୁପ୍। କାର୍ଡ ସିନା ବାତିଲ ହେଲା, ଯୋଗାଣ ବିଭାଗର ଅଧିକାରୀ କେବଳ ତଦନ୍ତ କରି କାମ ସାରିଦେଲେ। କିନ୍ତୁ ଏଯାଏ ଜଣେ ହେଲେ ଯୋଗାଣ ଅଧିକାରୀ, କର୍ମଚାରୀ, କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଗ୍ରୁପ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ସହରରେ ୱାନ୍ ନେସନ୍, ୱାନ୍ କାର୍ଡ ବ୍ୟବସ୍ଥା ନିୟମକୁ ପାଳନ କରୁଥିବା କଣ୍ଟ୍ରୋଲ ଦୋକୀନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।