ଭୁବନେଶ୍ୱର: ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ହେଉଛି ଭାରତ। ମାତ୍ର ଏଠାରେ ନିରନ୍ତର ଚାଲୁଥିବା ନିର୍ବାଚନ ପ୍ରକ୍ରିୟା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ବଦଳାଇ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ କରି ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏହା ଦେଶର ବିକାଶ ଏବଂ ସମୃଦ୍ଧିକୁ ଦ୍ରୁତଗତିରେ ଆଗକୁ ବଢ଼ିବାରେ ସହାୟତା କରିବ। ଏହି ମଡେଲ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଢାଞ୍ଚାରେ ଉନ୍ନତି ଆଣିବ। ଏହାଦ୍ୱାରା ଶକ୍ତିଶାଳୀ, ସ୍ଥିର ଏବଂ ସମୃଦ୍ଧ ଭାରତ ସୃଷ୍ଟି ହୋଇପାରିବ। ଭାରତକୁ ଏକ ବ୍ୟବସ୍ଥିତ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ ବୋଲି ଓଡ଼ିଶା ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ କହିଛନ୍ତି।
ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ରାଷ୍ଟ୍ର ଏକ ନିର୍ବାଚନ ଆଲୋଚନାଚକ୍ରରେ ଶ୍ରୀ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ଖର୍ଚ୍ଚ ୬୦,୦୦୦ କୋଟି ଟଙ୍କା ଥିଲା। ୨୦୨୪ ଲୋକସଭା ନିର୍ବାଚନ ଖର୍ଚ୍ଚ ୧.୩୫ ଲକ୍ଷ କୋଟିରେ ପହଞ୍ଚିଛି। ଏହି ହିସାବରେ ଗୋଟିଏ ଭୋଟର ହାରାହାରି ମୂଲ୍ୟ ପ୍ରାୟ ୧୪୦୦ ଟଙ୍କା। ୨୦୨୪ ଲୋକସଭା ନିର୍ବାଚନକୁ ଭାରତର ନିର୍ବାଚନ ଇତିହାସର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ବୋଲି ବିବେଚନା କରାଯାଇପାରେ। ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ୪ରୁ ୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି।
ସାମୂହିକ ବିକାଶ ପାଇଁ ଯଥେଷ୍ଟ ସମୟ ମିଳିବ: ମନମୋହନ
ବାରମ୍ବାର ନିର୍ବାଚନ ଯୋଗୁ ଲକ୍ଷଲକ୍ଷ କର୍ମଚାରୀଙ୍କର ଶକ୍ତି ଓ ସମୟ ଅଯଥାରେ ନଷ୍ଟ ହେଉଛି। କେବଳ ସେତିକି ନୁହେଁ ନିରନ୍ତର ନିର୍ବାଚନ ପ୍ରକ୍ରିୟାରେ ଆଦର୍ଶ ଆଚରଣବିଧି ବାରମ୍ବାର ଲାଗୁ ହେବା ଦ୍ୱାରା ନୀତି ନିର୍ଦ୍ଧାରଣରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଭାବିତ ହେଉଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଅପ୍ରତ୍ୟାଶିତ ପ୍ରଚାର ଖର୍ଚ୍ଚ ହ୍ରାସ କରିବ। ଏକ ରାଷ୍ଟ୍ର, ଏକ ନିର୍ବାଚନରୁ ହେଉଥିବା ସଞ୍ଚୟ ଦେଶର ଜିଡିପିର ୧.୫% ସହିତ ସମାନ। ଏହାଦ୍ୱାରା ଭାରତର ଅର୍ଥନୀତି ଓ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହ ସାରା ବିଶ୍ୱରେ ଦେଶର ଗଣତାନ୍ତ୍ରିକ ଭାବମୂର୍ତ୍ତି ସୁଦୃଢ଼ ହୋଇପାରିବ।
ଏହି ଆଲୋଚନାଚକ୍ରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏକକାଳୀନ ନିର୍ବାଚନ କରିବା ଦ୍ୱାରା ବିପୁଳ ଖର୍ଚ୍ଚ ହ୍ରାସ ହେବ। ବଳକା ରାଶିକୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ପାଇଁ ବ୍ୟବହାର କରାଯାଇପାରିବ। ପ୍ରଶାସନର ଦକ୍ଷତା ବୃଦ୍ଧି ପାଇବ ଏବଂ ସୁରକ୍ଷା ବାହିନୀ ଉପରେ ଚାପ ହ୍ରାସ ପାଇବ। ଏହାଦ୍ୱାରା ସାମୂହିକ ବିକାଶ ପାଇଁ ମଧ୍ୟ ଯଥେଷ୍ଟ ସମୟ ମିଳିବ। ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଓ ଦୀନେଶ ଅଧିକାରୀ ଉପସ୍ଥିତ ଥିଲେ। ଛାତ୍ର ନେତା ସୌଭାଗ୍ୟ ମହାନ୍ତି, ଅଙ୍କିତା ବିଶ୍ୱାସଙ୍କ ସମେତ ବିଭିନ୍ନ ଜିଲ୍ଲାର ବହୁ ଛାତ୍ରନେତା ଏଥିରେ ସାମିଲ ହୋଇଥିଲେ।