ୱାନ୍‌ ନେସନ୍ ୱାନ୍‌ ଫାଷ୍ଟ ଟ୍ୟାଗ୍ ନେଇ ୧୪ରେ ଦିଲ୍ଲୀରେ ବୈଠକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ଆମନ୍ତ୍ରଣ

ଇଲେକ୍ଟ୍ରୋନିକ୍ସ ପଦ୍ଧତିରେ ଟୋଲ ପ୍ଲାଜାରୁ ଗାଡ଼ି ଫି ଆଦାୟ ହେବ

ଭୁବନେଶ୍ବର : ଖୁବ୍ ଶୀଘ୍ର ଟୋଲ୍ ପ୍ଲାଜା ଗୁଡ଼ିକରେ ଗାଡ଼ିର ଟୋଲ୍ ଫି ଆଦାୟ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଟୋଲ ଫିକୁ ଇଲେକ୍ଟ୍ରୋନିକ୍ସ ପଦ୍ଧତି ବା ନ୍ୟାସନାଲ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ୍ କାର୍ଯ୍ୟକ୍ରମ ଜରିଆରେ ଆଦାୟ କରାଯିବ। ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଗଡ଼କରୀ ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଅନୁଯାୟୀ, ଟୋଲ ପ୍ଲାଜାଗୁଡ଼ିକରେ ଗାଡ଼ି ଫି ଆଦାୟ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଛି। ଏଥିପାଇଁ ଅନେକ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଛି। ଏପରି ସମସ୍ୟାକୁ ଦୂର କରି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଦ୍ବାରା ବିକାଶ କରାଯାଇଥିବା ଏନଇଟିସି ବ୍ୟବସ୍ଥା ଜରିଆରେ ଗାଡ଼ି ଚାଳକ କିମ୍ବା ମାଲିକଙ୍କ ଆକାଉଣ୍ଟରୁ ସିଧାସଳଖ ଗାଡ଼ି ଫି ଟଙ୍କା ପ୍ରଦାନ କରାଯାଇପାରିବ। ଏଥିପାଇଁ ଗାଡ଼ିରେ ସ୍ବତନ୍ତ୍ର ଫାଷ୍ଟ ଟ୍ୟାଗ୍ ଲାଗିବ। ଏହି ଫାଷ୍ଟ ଟ୍ୟାଗ ସହିତ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସଂଯୋଗ କରାଯିବ। ଗାଡ଼ି ଟୋଲ ପ୍ଲାଜାରେ ଲାଗିବା ମାତ୍ରେ ସ୍ବୟଂକୀୟ ପଦ୍ଧତିରେ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଫି ବାବଦରେ ଟଙ୍କା କଟିଯିବ। ଫଳରେ ଅଧିକ ସମୟଧରି ଆଉ ଗାଡ଼ିକୁ ଠିଆ ହେବାକୁ ପଡ଼ିବନି। ଵାନ୍ ନେସନ୍ ଵାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଦ୍ବାରା ସାରା ଦେଶରେ ଥିବା ଟୋଲ ପ୍ଲାଜାଗୁଡ଼ିକରେ ଗୋଟିଏ ପଦ୍ଧତିରେ ଟୋଲ ଫି ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ବାରା ଟୋଲ ଫି ଆଦାୟରେ ଅଧିକ ସ୍ବଚ୍ଛତା ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମେତ ପରିବହନ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବହନ ସଚିବଙ୍କ ସମେତ ପରିବହନ କମିସନର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର