ୱାନ୍‌ ନେସନ, ୱାନ୍‌ ରାସନ: ରାଜ୍ୟ ଭିତରେ ଲାଭାନ୍ବିତ ହୋଇଛନ୍ତି ୩୦ ହଜାର

ରାଜ୍ୟ ବାହାରେ ମାତ୍ର ୧୨୩ ଜଣଙ୍କୁ ମିଳିଛି ରାସନ୍, ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ୧୩ ଲକ୍ଷ ପ୍ରବାସୀଙ୍କୁ ମିଳିବନି ଲାଭ

ଭୁବନେଶ୍ବର: ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌’ ଯୋଜନାରେ ରାଜ୍ୟ ଭିତରେ ୩୦ ହଜାର ଏବଂ ରାଜ୍ୟ ବାହାରେ ୧୨୩ ଜଣ ପ୍ରବାସୀ ଶ୍ରମିକ ଲାଭାନ୍ବିତ ହୋଇଛନ୍ତି। ସେହିପରି ବାହାର ରାଜ୍ୟର ମାତ୍ର ୨୬ ଜଣ ଓଡ଼ିଶାରୁ ରାସନ ପାଇଥିବା ସୂଚନା ଦେଇଛି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ। ତେବେ ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ୧୩ ଲକ୍ଷରୁ ଊର୍ଧ୍ବ ରାସନ କାର୍ଡଧାରୀ ଏହାର ସୁବିଧା ନେଇପାରିବେ ନାହିଁ।

୨୦୨୦ ମସିହା ନଭେମ୍ବର ମାସରୁ ‘ୱାନ୍‌ ନେସନ୍‌ ୱାନ୍ ରାସନ୍‌’ ନୀତି ଗ୍ରହଣ କରିଥିଲେ ମଧ୍ୟ ଜୁଲାଇ ୨୯ ତାରିଖରେ ଏହି ନୀତି କାର୍ଯ୍ୟକାରୀ କରିଥିଲେ ଓଡ଼ିଶା ସରକାର। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାସନକାର୍ଡଧାରୀ ପୂର୍ବରୁ ରହିଥିବା ବ୍ୟବସ୍ଥା ଅନୁଯାୟୀ କେବଳ ଅଧିଗୃହୀତ କେନ୍ଦ୍ରରେ ରାସନ ପାଇବେ ନାହିଁ; ବରଂ ଯେଉଁଠି ରହିଲେ ମଧ୍ୟ ନିଜ ଘରୋଇ କାର୍ଡ ଦେଖାଇ ରାସନ ନେଇ ପାରିବେ। ଏଥିରେ କେବଳ ଗୋଟିଏ ସର୍ତ୍ତ ରହିଛି ଯେ ତାଙ୍କ ମୂଳ ରାସନ କେନ୍ଦ୍ରଟି ‘ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ ଯୋଜନାର ଅଧିଗୃହୀତ ହୋଇଥିବା ଆବଶ୍ୟକ। ବର୍ତ୍ତମାନ ରାଜ୍ୟର ଅଧିଗୃହୀତ କେନ୍ଦ୍ରରେ ‘ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ର ବୋର୍ଡ ଲଗାଯାଇଛି।

ରାଜ୍ୟରେ ସମୁଦାୟ ୧୨ହଜାର ୨୧୨ଟି ରାସନ କେନ୍ଦ୍ର ରହିଛି। ଯେଉଁଥିରୁ ସମୁଦାୟ ୯୨ ଲକ୍ଷ ୭୭ ହଜାର ରାସନକାର୍ଡ ଧାରୀ ଖାଦ୍ୟ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ। ‘ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ରେ ଆଧାର କାର୍ଡ ଯାଞ୍ଚର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଏଥିପାଇଁ ରାସନକାର୍ଡଧାରୀ ଯେଉଁ କେନ୍ଦ୍ରର ଥାଆନ୍ତି ତାର ଇଣ୍ଟରନେଟ୍‌ କାର୍ଯ୍ୟକ୍ଷମ ହେବା ଆବଶ୍ୟକ। ଏଥିଯୋଗୁଁ ଯେଉଁ ରାସନ କେନ୍ଦ୍ରରେ ଇଣ୍ଟରନେଟ୍‌ ସୁବିଧା ନାହିଁ, ସେହି କେନ୍ଦ୍ରକୁ ଏହି ଯୋଜନାରୁ ବାଦ ଦିଆଯାଇଛି। ଅର୍ଥାତ ୧୦ ହଜାର ୫୭୮ କେନ୍ଦ୍ରର ୭୯ ଲକ୍ଷ୬୦ ହଜାର ହିତାଧିକାରୀ ଏହି ଯୋଜନାର ଲାଭ ନେଇପାରିବେ। କିନ୍ତୁ ଅପହଞ୍ଚ ଇଲାକାର ୨ହଜାରରୁ ଅଧିକ କେନ୍ଦ୍ରର ୧୩ ଲକ୍ଷ ହିତାଧିକାରୀଙ୍କୁ ଏହାର ଲାଭ ମିଳିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ହିତାଧିକାରୀ ଯେଉଁ ରାଜ୍ୟରୁ ରାସନ୍‌ କ୍ରୟ କରିବେ ସେଠାରେ ଯେଉଁ ଖାଦ୍ୟ ବିକ୍ରୟ ବ୍ୟବସ୍ଥା ରହିଛି, ତାହା ପାଇବେ।

ସମ୍ବନ୍ଧିତ ଖବର