ପ୍ରହସନ ପାଲଟିଛି ୱାନ୍‌ ନେସନ ୱାନ୍‌ ରାସନ

ଆବଣ୍ଟିତ ହେଉନି ଅତିରିକ୍ତ ଚାଉଳ, ହୀନସ୍ତା ହେଉଛନ୍ତି ପ୍ରବାସୀ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟକାରୀ କଲେ ୱାନ୍‌ ନେସନ ୱାନ୍‌ ରାସନ, କିନ୍ତୁ ଦେଉ ନାହାନ୍ତି ଅତିରିକ୍ତ ଚାଉଳ। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ରାସନ କାର୍ଡ ନେଇ ବିତରଣ କେନ୍ଦ୍ରକୁ ଯାଉଥିବା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରବାସୀମାନଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ରହିଛି।

ସାଧାରଣ ବିତରଣ ବ୍ୟବସ୍ଥାରେ ଓଡ଼ିଶା ଆବଣ୍ଟିତ କରିପାରୁ ନାହିଁ ୪ ପ୍ରତିଶତ ଚାଉଳ, ଗହମ। ଏଭଳି ସ୍ଥିତିରେ ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ଜାନୁଆରି ମାସରେ ବାହାର ରାଜ୍ୟରେ ରହୁଥିବା ମାତ୍ର ୮୦୪ ଓଡ଼ିଆ, ଓଡ଼ିଶାରେ ରହୁଥିବା ୧୨୦ ବାହାର ରାଜ୍ୟର ଲୋକଙ୍କୁ ଲାଭ ମିଳିଛି। ଏଥିରୁ ଅବସ୍ଥା କେତେ ନୈରଶ୍ୟଜନକ ତାହା ସ୍ପଷ୍ଟ ଅନୁମେୟ। ଅପରପକ୍ଷରେ ଓଡ଼ିଶାରେ ରହୁଥିବା ବାହାର ଜିଲ୍ଲାର କେତେ ବ୍ୟକ୍ତି ଏହି ସୁବିଧା ପାଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଭୁବନେଶ୍ବରରେ ଥିବା ସମୁଦାୟ ୯୯ ହଜାର କାର୍ଡଧାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ବ୍ରହ୍ମପୁର, ବାରିପଦା, ଭଦ୍ରକ ଏବଂ ମୟୂରଭଞ୍ଜର ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି। କିନ୍ତୁ ରାଜଧାନୀରେ କାର୍ଯ୍ୟରତ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ଅନୁସାରେ, ଗାଁ ରାସନ କାର୍ଡ ନେଇ ପିଡିଏସ ସେଣ୍ଟରକୁ ଚାଉଳ ପାଇଁ ଗଲେ ତାଙ୍କୁ ଫେରାଇ ଦିଆଯାଏ। କେନ୍ଦ୍ର ପାଖରେ ଚାଉଳ ବଳିଲେ କିଛି ଜଣଙ୍କୁ ମାସ ଶେଷରେ ମିଳେ।

jagran.com

ଏହାକୁ ନେଇ ପିଡିଏସ ଡିଲର କହିଛନ୍ତି, ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ବାହାର ହିତାଧିକାରୀଙ୍କୁ ଚାଉଳ ଦେବାରେ ତାଙ୍କ ସମସ୍ୟା ନାହିଁ। କିନ୍ତୁ ସରକାରଙ୍କ ପକ୍ଷରୁ ଏହି ଯୋଜନା ଅନ୍ତର୍ଗତରେ ଅତିରିକ୍ତ ଚାଉଳ ଦିଆଯାଉ ନାହିଁ। ତେଣୁ ତାଙ୍କୁ ଆବଣ୍ଟିତ ସମୁଦାୟ ଚାଉଳ ଏବଂ ଗହମ ପ୍ରଥମେ ନିଜ ହିତାଧିକାରୀଙ୍କୁ ଦେଇ ବଳକା ହେଲେ ବାହାର ଲୋକଙ୍କୁ ଦିଅନ୍ତି। ଏହି ନୂତନ ଯୋଜନାରେ ଅତିରିକ୍ତ ଚାଉଳ ଏବଂ ଗହମ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ ତାକୁ ଗୁରୁତ୍ବ ଦିଆଯାଇ ନାହିଁ। ସାମାଜିକ କର୍ମକର୍ତ୍ତା ଉମି ଡାନିଏଲଙ୍କ ଅନୁସାରେ, ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପିଡିଏସ କେନ୍ଦ୍ରକୁ ଅତିରିକ୍ତ ଚାଉଳ ନଦେଲେ ଏହି ସମସ୍ୟା ଜାରି ରହିବ।

ଅନ୍ୟପକ୍ଷରେ ଯେକୌଣସି ଯୋଜନା କାର୍ଯ୍ୟକାରୀ ବେଳେ ସରକାର ଯେଉଁଭଳି ପ୍ରଚାର-ପ୍ରସାର କରନ୍ତି ଏହି ଯୋଜନାକୁ ନେଇ ସେହିଭଳି ପ୍ରଚାର କରାଯାଉ ନାହିଁ। ଏଥିଯୋଗୁଁ ଅନେକ ପ୍ରବାସୀ ଶ୍ରମିକ ଏସମ୍ପର୍କରେ ଅଜ୍ଞ ଅଟନ୍ତି। ମହାମାରୀରେ ପ୍ରବାସୀ ଶ୍ରମିକ କେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ଏଥିପାଇଁ ବର୍ତ୍ତମାନ ମଧ୍ୟ ଶୁଖିଲା ପିଡିଏସ ବଣ୍ଟନ ହେଉଛନ୍ତି। ଯେଉଁ ପ୍ରବାସୀମାନେ ପିଡିଏସ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଛନ୍ତି। ଖାଦ୍ୟ ସୁରକ୍ଷା ଅଭିଯାନର ସମୀତ ପଣ୍ଡା କହିଛନ୍ତି, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି ଏବଂ ସଂଘୀୟ ବ୍ୟବସ୍ଥା ଦୁର୍ବଳ ହେବା ଆଶଙ୍କାରେ ୱାନ୍‌ ନେସନ ୱାନ୍‌ ରାସନ ଯୋଜନା କାର୍ଯ୍ୟକାରୀ ପାଇଁ ଓଡ଼ିଶା ସମେତ କୌଣସି ରାଜ୍ୟ ଗମ୍ଭୀର ନୁହନ୍ତି। ତେଣୁ ଏହାକୁ ନେଇ ସ୍ବତନ୍ତ୍ର ନୀତି ମଧ୍ୟ ପ୍ରସ୍ତୁତ ହୋଇ ନାହିଁ କି ସ୍ବତନ୍ତ୍ର ଆବଣ୍ଟନ ମଧ୍ୟ ନାହିଁ। କେବଳ ମୌଖିକ ଭାବରେ ଯୋଜନା କାର୍ଯ୍ୟକାରୀ ପାଇଁ କୁହାଯାଉଛି।

The Indian Express

ପ୍ରଶାସନ ପକ୍ଷରୁ କୁହାଯାଉଛି, ୱାନ୍‌ ନେସନ ୱାନ୍‌ ରାସନ କାର୍ଯ୍ୟକାରୀରେ କୌଣସି ଅସୁବିଧା ନାହିଁ। ପ୍ରତ୍ୟେକ ଡିଲରକୁ କାର୍ଡ ଅନ୍ତର୍ଗତରେ ୮୦ ପ୍ରତିଶତ ଚାଉଳ ଦିଆଯାଏ। ଆବଶ୍ୟକ ହେଲେ ୧୭ ପ୍ରତିଶତ ପରବର୍ତ୍ତୀ ସମୟରେ ମିଳେ। ବାକି ୩ ପ୍ରତିଶତ ସିଏସଓ ଏବଂ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ଦେଇଥାନ୍ତି। ରାଜଧାନୀରେ ୨୦ ହଜାର କାର୍ଡଧାରୀ ଏହାର ଲାଭ ନେଉ ନାହାନ୍ତି। ତେଣୁ ସେମାନଙ୍କ ଭାଗର ଚାଉଳ ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ଦିଆଯାଇ ପାରିବ। ଯେ କୌଣସି ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେଲେ ସ୍ଥାନୀୟ ପ୍ରଶାସନକୁ ଜଣାଇ ପାରିବେ।

ସୂଚନା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡ କେବଳ ନିଜ ଗାଁ କିମ୍ବା ସାହିର କେନ୍ଦ୍ରରୁ ହିଁ ଚାଉଳ ଏବଂ ଗହମ ମିଳେ। ଏଥିଯୋଗୁଁ ପ୍ରବାସୀମାନେ ଯେଉଁ କଷ୍ଟ ସହିଥିଲେ ଲକ୍‌ଡାଉନରେ ତାହା ଜଳ-ଜଳ ଦେଖାଗଲା। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାନ୍‌ ନେସନ ୱାନ୍‌ ରାସନ ଲାଗୁ ହେଲା। ଯାହାକୁ ଗତବର୍ଷ ଓଡ଼ିଶା ସରକାର କାର୍ଯ୍ୟକାରୀ କଲେ। ଏଥିରେ ଆଉ ସୀମାର କଟକଣା ରହିଲା ନାହିଁ। ରାସନ କାର୍ଡ ଜରିଆରେ ଯିଏ ଯେଉଁଠି ଚାଉଳ ଏବଂ ଗହମ ନେଇ ପାରିବ। ମାତ୍ର ଏହାର କାର୍ଯ୍ୟକାରିତାରେ ସମସ୍ୟା ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର