ଲକ୍‌ଡାଉନ୍‌ରେ କାମ କରୁନି ୱାନ୍‌ ନେସନ୍‌-ୱାନ୍‌ ରାସନ୍‌

ନିଜ ରାଜ୍ୟରେ ବି ପ୍ରବାସୀ ଶ୍ରମିକ କ’ଣ ସାବତ ସନ୍ତାନ?

ଭୁବନେଶ୍ବର, (ଗାର୍ଗୀ ଶତପଥୀ) : ପ୍ରବାସୀ ଶ୍ରମିକ ଏବେ ନିଜ ରାଜ୍ୟରେ ବି ସାବତ ସନ୍ତାନ ପାଲଟିଛି। ଲକ୍‌ଡାଉନ୍‌ରେ ବି କାମକରୁନି ‘ୱାନ୍‌ ନେସନ୍‌ ୱାନ୍‌ ରାସନ୍‌ ଯୋଜନା’। ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଛନ୍ତି ନିଜ ରାଜ୍ୟର ଅନ୍ୟ ଜିଲ୍ଲାକୁ ଯାଇ କାମ କରୁଥିବା ଶ୍ରମିକ। ଏଥିଯୋଗୁଁ କରଜ କରି ବଞ୍ଚିବାକୁ ପଡ଼ୁଥିବା କହିଛନ୍ତି ଜୀବିକା ହରାଇଥିବା ରାଜଧାନୀର ପ୍ରବାସୀ ଶ୍ରମିକ।

ଲକ୍‌ଡାଉନ୍‌କୁ ୩ ଦିନ ହୋଇନି। କିନ୍ତୁ ପରିବାରକୁ ମୁଠାଏ ଚାଉଳ ଦେବା ପାଇଁ ପରିଚିତଙ୍କ କରଜ ଟଙ୍କାକୁ ଅପେକ୍ଷା କରିବାକୁ ପଡ଼ୁଥିବା କହିଛନ୍ତି, ଶିଶୁବିହାରରେ ରହୁଥିବା ଦିନ ମଜୁରିଆ ଶତ୍ରୁଘ୍ନ ମଲ୍ଲିକ। ଶତ୍ରୁଘ୍ନ ନୟାଗଡ଼ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରୁ ଆସି ୬ ବର୍ଷ ହେଲା ରାଜଧାନୀରେ ରହି ଶ୍ରମିକ କାର୍ଯ୍ୟ କରୁଛନ୍ତି। ଶତ୍ରୁଘ୍ନ କହନ୍ତି, ଗାଁରେ ମା’ଙ୍କ ନାମରେ ରାସନ କାର୍ଡ ଅଛି। ଅନ୍ୟ ଜିଲ୍ଲାରୁ ଆସିଥିବାରୁ ରାସନ କାର୍ଡରେ ତାଙ୍କୁ କେବେ ଚାଉଳ ମିଳେ ନାହିଁ। କରୋନା, ଲକ୍‌ଡାଉନ୍‌ରେ ଚାଉଳ ନ ମିଳିବାରୁ ଅବସ୍ଥା ଦୁର୍ବିଷହ ହେବାରେ ଲାଗିଛି। ଗତବର୍ଷ କାମ ମିଳି ନଥିଲା, ନଭେମ୍ବରରେ ସ୍ଥିତି ଟିକେ ସ୍ବାଭାବିକ ହେଲା। ତେବେ ପୁଣି କରୋନା ଯୋଗୁଁ ମାର୍ଚ ମାସରୁ କାମ ମିଳିବା ହ୍ରାସ ପାଇ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଣେ ପରିବାରରେ ସ୍ତ୍ରୀ, ୨ ଝିଅ, ପୁଅ ଅଛନ୍ତି। ସେମାନଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଚିନ୍ତା କରିବାକୁ ପଡ଼ୁଛି। ପୂର୍ବରୁ ଅର୍ଥାଭାବ ଯୋଗୁଁ ବଡ଼ ଝିଅର ପାଠରେ ଡୋରି ବନ୍ଧା ସରିଥିଲା। ପୁଅର ସେହିଭଳି ଅବସ୍ଥା ନହେଉ, ଏଥିପାଇଁ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି ପରିବାର। ଶତ୍ରୁଘ୍ନ କହନ୍ତି, ତାଙ୍କ ସାଥୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ବ୍ରହ୍ମପୁର, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଆଦି ଜିଲ୍ଲାରୁ ଆସିଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ତାଙ୍କ ଭଳି।

କଟକ ଜିଲ୍ଲା କଳାପଥରରୁ ଆସି ପଟିଆରେ ରହୁଥିବା ପିଙ୍କି ମହାପାତ୍ରଙ୍କ ଛୋଟ ଜଳଖିଆ ଦୋକାନ ଲକ୍‌ଡାଉନ୍‌ରେ ବନ୍ଦ ପଡ଼ିଛି। ତାଙ୍କର ରାସନ୍‌ କାର୍ଡ ଅଛି, କିନ୍ତୁ ଗାଁରେ ଶାଶୂଙ୍କ ନାମରେ ରାସନ କାର୍ଡ ରହିଛି। ଲକ୍‌ଡାଉନ୍‌ରେ ଗାଡ଼ି ବନ୍ଦ ଥିବାରୁ ସେ ଚାଉଳ ଆଣି ପାରି ନାହାନ୍ତି। ରାଜଧାନୀରେ ଏହା କାର୍ଯ୍ୟକାରୀ ହୁଏନି। ଲକ୍‌ଡାଉନ୍‌ରେ ଖାଦ୍ୟ ଯେଗାଡ଼ ପାଇଁ ନିକଟସ୍ଥ ରାସନ ଦୋକାନରୁ ବାକିରେ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣିଛନ୍ତି। ଲକ୍‌ଡାଉନ୍‌ ପରେ ଦୋକାନ ଖୋଲିଲେ ଟଙ୍କା ପରିଶୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁରରୁ ରାଜଧାନୀ ଆସି କାଠ କାରଖାନାରେ କାର୍ଯ୍ୟରତ ଶ୍ରମିକ କାବୁଲି ସୂତାରଙ୍କ ମଧ୍ୟ ସେହି ଅବସ୍ଥା। ଏହିଭଳି ସ୍ଥିତି ଆଶଙ୍କା କରି ପୂର୍ବରୁ ହିଁ ଘରକୁ ଚାଲି ଆସିଥିବା କହିଛନ୍ତି କଳାହାଣ୍ଡିରୁ ଆସିଥିବା ନିର୍ମାଣ ଶ୍ରମିକ।

ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ନହେଲେ ଶ୍ରମିକଙ୍କ କ’ଣ ଅବସ୍ଥା ହୁଏ, ଗତବର୍ଷ ତାହା ସମଗ୍ର ଭାରତ ଦେଖିଛି। ଏହା ପରେ ସେହି ବର୍ଷ ମେ’ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ ଯୋଜନା ଆରମ୍ଭ ହୋଇଥିଲା। ଏହାଦ୍ବାରା ଦେଶର ଯେକୌଣସି ସ୍ଥାନର ଜଣେ ବ୍ୟକ୍ତି ରାସନ କାର୍ଡ ଜରିଆରେ ଖାଦ୍ୟ ଯୋଜନାର ହକ୍‌ଦାର ହୋଇପାରିବେ। ଚଳିତବର୍ଷ ମାର୍ଚ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଗତ ଫେବ୍ରୁଆରି ମାସରେ ଅର୍ଥମନ୍ତ୍ରୀ ଏହି ଯୋଜନା ୩୨ଟି ରାଜ୍ୟ ଓ ସବୁ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା କହିଥିଲେ। ୭ ମାସ ପୂର୍ବରୁ ଓଡ଼ିଶା ସରକାର ମଧ୍ୟ ଏହା ଲାଗୁ କରିଥିବା କହିଥିଲେ। ବିଏମ୍‌ସିକୁ ପାଇଲଟ ପ୍ରକଳ୍ପ ଭାବରେ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ମାତ୍ର ଏହାର ଫଳାଫଳ କଣ ହେଲା ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କେବେ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ସମଗ୍ର ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲା ନାହିଁ। ଏଠାରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ଶ୍ରମିକ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ କଥା ଦୂରେ ଥାଉ; ନିଜ ରାଜ୍ୟର ଶ୍ରମିକଙ୍କୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ୱାନ୍‌ ନେସନ ୱାନ୍‌ ରାସନରେ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଦିଆଯାଉ ନାହିଁ। ଏପରିକି ଲକ୍‌ଡାଉନ୍‌ରେ ବି ଏହି ବ୍ୟବସ୍ଥା କରାନଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶେଷଜ୍ଞଙ୍କ ଅନୁସାରେ, ୱାନ୍‌ ନେସନ – ୱାନ୍‌ ରାସନ ନେଇ ଅନେକ ବୈଷୟିକ ସମସ୍ୟା ଥାଇପାରେ। କିନ୍ତୁ ୱାନ୍‌ ଷ୍ଟେଟ୍‌ –ୱାନ୍‌ ରାସନ୍‌ ନେଇ କୌଣସି ଅସୁବିଧା ନାହିଁ। ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ। ବର୍ତ୍ତମାନ ସ୍ଥିତିକୁ ଦେଖି ଅତି କମରେ ସରକାର କୋହଳ ମନୋଭାବ ପୋଷଣ କରି ଅନ୍ୟ ଜିଲ୍ଲାରୁ ଆସି ଏଠାରେ ରହୁଥିବା ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରିପାରିବେ।

ଏ ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଅନ୍ୟ ଜିଲ୍ଲାରୁ ଆସି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ରାସନ ସଂକ୍ରାନ୍ତରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଠି ଶ୍ରମିକ ଅସୁବିଧା ଅଛନ୍ତି, ଏ ସଂକ୍ରାନ୍ତରେ ଜଣାଇବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦପ୍ତରରୁ ସ୍ବତନ୍ତ୍ର ନିର୍ଦେଶ ହୋଇଛି। ଏକ ସ୍ବତନ୍ତ୍ର ନମ୍ବର ମଧ୍ୟ ଜାରି ହୋଇଛି।

ସମ୍ବନ୍ଧିତ ଖବର