ରାଜ୍ୟରେ ଆରମ୍ଭ ହେଲା ‘ୱାନ୍‌ ନେସନ୍‌, ୱାନ୍‌ ରାସନ୍’

୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ମିଳିବ ସୁବିଧା

ମାଲକାନଗିରିରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ ଆରମ୍ଭ
ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗୁରୁବାର ଠାରୁ ଓଡିଶାର ସବୁ ଜିଲ୍ଲାରେ ‘ୱାନ୍ ନେସନ୍, ୱାନ୍ ରାସନ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ନିଜ ପସନ୍ଦର ଦୋକାନରୁ ରାସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନଙ୍କୁ ଏହି ସୁବିଧା ମିଳିବ। ଏହା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ। ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ। ମୁଁ ସବୁବେଳେ କହିଆସିଛି ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଏ, ତାହା ଆମର ଲକ୍ଷ୍ୟ। ସେ କହିଥିଲେ ଯେ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠାରୁ ବଡ କଲ୍ୟାଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢ଼େ ୩ କୋଟି ଲୋକ ଉପକାର ପାଉଛନ୍ତି। ୨୦୦୮ରୁ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛନ୍ତି। ଭିଟାମିନଯୁକ୍ତ ଚାଉଳରେ ଭିଟାମିନ ବି-୧୨ ଓ ଫୋଲିକ୍ ଏସିଡ ଥିବାରୁ ଏହା ଗରିବ ଲୋକମାନଙ୍କ ସହିତ ବିଶେଷ କରି ମହିଳା ଓ ବାଳିକାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବହୁତ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି। ଜୋତା ଠାରୁ ଆରମ୍ଭ କରି ପୋଷାକ, ବହି, ସାଇକେଲ –ସବୁ ଯୋଗାଇ ଦେଉଛନ୍ତି। ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ମିସନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା’ମାନଙ୍କୁ ରୋଜଗାର ଦେଇଛି। ଚାଷୀଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି। କୋଭିଡ ମହାମାରୀ ସମୟରେ ଗରିବ ଲୋକଙ୍କ ରୋଜଗାର ପାଇଁ ତଥା ଚାଷୀ, ମହିଳା ଓ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମାଲକାନଗିରିରେ ଉପସ୍ଥିତ ରହି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭିଟାମିନଯୁକ୍ତ ଚାଉଳ ମାଲକାନଗିରିର ଜନସାଧାରଣଙ୍କ ପୁଷ୍ଟି ସୁରକ୍ଷାରେ ସହାୟକ ହୋଇପାରିବ ବୋଲି କହିଥିଲେ। ବ୍ରହ୍ମପୁରରେ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ବରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ଅନେକ କାର୍ଯ୍ୟକ୍ରମରେ ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଯୋଗାଣ ବିଭାଗ ପ୍ରମୁଖ ସଚିବ ଭି. ଭି. ଯାଦବ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି. କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର, କୃଷି ଉତ୍ପାଦନ କମିସନର ଆର୍. କେ. ଶର୍ମା ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଭୁବନେଶ୍ବର ସହରରେ ପାଇଲଟ ପ୍ରୋଜେକ୍ଟ ଭାବରେ ‘ୱାନ୍ ନେସନ୍, ୱାନ୍ ରାସନ୍’ ଯୋଜନା କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର