‘ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ର ବେକ ମୋଡ଼ିଦେଲେ

କେବଳ ବିଏମସିରେ ଲାଗୁ, ଆବେଦନ କଲେ ମାତ୍ର ୭ ବିହାରୀ ପ୍ରବାସୀ ଶ୍ରମିକ
କରୋନା ଜନିତ ଶ୍ରମିକ ବିପର୍ଯ୍ୟୟରୁ ଗ୍ରହଣ କଲେନି ଶିକ୍ଷା

ଭୁବନେଶ୍ବର : ୨୦୨୦ ମସିହାରେ କ‌ରୋନା ଜନିତ ଏତେ ବଡ଼ ଶ୍ରମିକ ବିପର୍ଯ୍ୟୟ ସତ୍ତ୍ବେ ଗ୍ରହଣ କଲେନି ଶିକ୍ଷା। ‘ଓ୍ବାନ୍‌ ନେସନ୍‌ ଓ୍ବାନ୍‌ ରାସନ୍‌’ ଯୋଜନାର ବେକ ମୋଡ଼ି ଦେଲା ଓଡ଼ିଶାର ଅମଲାତନ୍ତ୍ରିକ ବ୍ୟବସ୍ଥା। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଓଡ଼ିଶା ସରକାର ୬ ମାସ ହେଲା ଲାଗୁ କରିଥିଲେ ମଧ୍ୟ ଏହା କେବଳ ବିଏମସିରେ କାର୍ଯ୍ୟକାରୀ ହୋଇଛି। ଏଠାରେ ମଧ୍ୟ ପ୍ରଚାର ପ୍ରସାର ନଥିବାରୁ ସ୍ଥାନୀୟ ପ୍ରବାସୀ ଶ୍ରମିକ ଏ ସମ୍ପର୍କରେ ଜାଣି ହିଁ ନାହାନ୍ତି। ଏହାର ଲାଭ ପାଇଁ ଆବେଦନ କରିଛନ୍ତି ସ୍ଥାନୀୟ ଅଞ୍ଚଳରେ ରହୁଥିବା କେବଳ ୭ଜଣ ବିହାରୀ ପ୍ରବାସୀ ଶ୍ରମିକ।
ସାରା ରାଜ୍ୟରେ ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ଏହାକୁ ନେଇ ସ୍ଥିତି ସ୍ପଷ୍ଟ ନୁହେଁ। ସରକାରୀ ସୂତ୍ର ଅନୁସାରେ, ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରାୟ ୧୦ ଲକ୍ଷ ଲୋକ ଓଡ଼ିଶାକୁ ଫେରିଥିଲେ। ଏଥିମଧ୍ୟରେ ଖାଦ୍ୟ ବିକଳରେ ନିଜ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଥିଲା ସର୍ବାଧିକ। ରାଜ୍ୟ ଭିତରେ ମଧ୍ୟ ଅନ୍ୟ ଜିଲ୍ଲାରେ କାମ କରୁଥିବା ଶ୍ରମିକମାନଙ୍କ ଅବସ୍ଥା ସମାନ ଭାବେ ଜଟିଳ ଥିଲା। ଏବେ କରୋନାର ଦ୍ବିତୀୟ ଲହରି ଆଶଙ୍କା ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ ସରକାର ବର୍ତ୍ତମାନ ସମୟରୁ ଏହାକୁ କାର୍ଯ୍ୟକାରୀ ନ କଲେ ଗତବର୍ଷଠାରୁ ଚଳିତ ବର୍ଷ ଆହୁରି ବଡ଼ ଶ୍ରମିକ ବିପର୍ଯ୍ୟୟ ହେବ ଏବଂ ଲକ୍ଷଲକ୍ଷ ଓଡ଼ିଆ ଖାଦ୍ୟ ଗଣ୍ଡାକ ପାଇଁ ଡହଳବିକଳ ହେବେ, ତାହା ଏବେଠୁ ଜଳଜଳ ଦେଖାଯାଉଛି।

ରାଜଧାନୀର ସୁଭାଷନଗର ବସ୍ତିରେ ରହୁଥିବା ସୁବାସ ପ୍ରଧାନ କହନ୍ତି, ତାଙ୍କ ପାଖରେ ରାସନ କାର୍ଡ ରହିଥିଲେ ମଧ୍ୟ, ସେ ଟଙ୍କିକିଆ ଚାଉଳ ପାଆନ୍ତି ନାହିଁ। ସେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ରାଜଧାନୀରେ ତାଙ୍କ କାର୍ଡ ଲାଗୁ ହୁଏନି। କିନ୍ତୁ ଗାଁରେ ପରିବାର ରାସନ କାର୍ଡର ଲାଭ ଉଠାନ୍ତି। ଏହି ଚାଉଳ ପାଇଁ ହିଁ ସେମାନେ ଲକ୍‌ଡାଉନ୍‌ରେ ଘରକୁ ଚାଲି ଯାଇଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ‘ଓ୍ବାନ୍‌ ନେସନ୍‌ ଓ୍ବାନ୍‌ ରାସନ୍‌’ ‌ଯୋଜନା କହୁଛି, ସୁବାସଙ୍କ ଗଞ୍ଜାମ କାର୍ଡରେ ଦେଶର ଯେକୌଣସି ସ୍ଥାନରେ ଚାଉଳ ମିଳିପାରିବ। ସୁବାସଙ୍କ ଭଳି ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ପାଉ ନାହାନ୍ତି। ଏଥିଯୋଗୁଁ କିଛି କେଜିର ଚାଉଳ ପାଇଁ ଶହ ଶହ କିଲୋମିଟର ଦୂରରେ ଥିବା ନିଜ ଘରକୁ ଯିବାକୁ ବାଧ୍ୟ ହୁଅନ୍ତି ଅନେକ ପରିବାର।

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁରବସ୍ଥା ଦେଖି ୨୦୨୦ ମେ’ ମାସରେ କେନ୍ଦ୍ର ସରକାର ‘ଓ୍ବାନ୍‌ ନେସନ୍‌, ଓ୍ବାନ୍‌ ରାସନ୍‌’ ବ୍ୟବସ୍ଥା ଲାଗୁ କରିଥିଲେ। ୨୦୨୧ ମସିହା ମାର୍ଚ ଶେଷ ସୁଦ୍ଧା ସମଗ୍ର ଦେଶରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀଙ୍କ ବୟାନ ଆଧାରରେ ଫେବ୍ରୁଆରି ମାସରେ ପ୍ରକାଶିତ ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶର ୩୨ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳରେ ଏହା କାର୍ଯ୍ୟକାରୀ କରାଯାଇଥିବା କୁହାଯାଇଛି। ଏଥିଯୋଗୁଁ ଦେଶର ୬୯ କୋଟି ଲୋକ ଲାଭାନ୍ବିତ ହୋଇଥିବା ମନ୍ତ୍ରୀ କହିଛନ୍ତି। ଓଡ଼ିଶା ଏହି ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ରହିଛି। ଜିଲ୍ଲା ସ୍ତରରେ ଏହି ଯୋଜନା କାର୍ଯ୍ୟକାରୀ ସଂକ୍ରାନ୍ତରେ କୌଣସି ବିଜ୍ଞପ୍ତି ମଧ୍ୟ ଆସିନଥିବା ବିଭିନ୍ନ ଜିଲ୍ଲାର ସିଏସ୍‌ଓମାନେ କହିଛନ୍ତି। ଏଥିଯୋଗୁଁ ଅନ୍ୟ ଜିଲ୍ଲା କି ରାଜ୍ୟ କଥା ଦୂରେ ଥାଉ; ହିତାଧିକାରୀଙ୍କୁ ଅଧିକୃତ ହୋଇଥିବା କେନ୍ଦ୍ର ବ୍ୟତୀତ ନିଜ ସହରର ଅନ୍ୟ କେନ୍ଦ୍ରରୁ ମଧ୍ୟ ଚାଉଳ ମିଳୁନାହିଁ।

‘ରାଇଟ୍‌ ଟୁ ଫୁଡ୍‌’ କ୍ୟାମ୍ପେନର ସମୀତ ପଣ୍ଡାଙ୍କ ଅନୁସାରେ, ‘ଓ୍ବାନ୍‌ ନେସନ୍‌, ଓ୍ବାନ୍‌ ରାସନ୍‌’ ପ୍ରକ୍ରିୟାରେ ଓଡ଼ିଶାରେ କୌଣସି କାରବାର ହୋଇ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ପ୍ରଯୁକ୍ତିକୁ ମାତ୍ରାଧିକ ଗୁରୁତ୍ବ ଦାୟୀ। ପ୍ରଥମତଃ ଚାଉଳ ପାଇଁ ଆଧାର କାର୍ଡ ସହିତ ରାସନ କାର୍ଡ ଲିଙ୍କ, ବାୟୋମେଟ୍ରିକ୍ସରେ ଆଙ୍ଗୁଠି ଚିହ୍ନ ମେଳ ଖାଇବା ନିୟମ ଯୋଜନା କାର୍ଯ୍ୟକାରୀ କରିବାରେ ଅନ୍ତରାୟ ହେଉଛି। ହିତାଧିକାରୀଙ୍କ ଆଙ୍ଗୁଠି ଚିହ୍ନ ନିଜ କେନ୍ଦ୍ର ବ୍ୟତୀତ ଅନ୍ୟଠାରେ ମେଳ ଖାଏ ନାହିଁ। ଏହି ନିୟମ ପ୍ରସ୍ତୁତି ବେଳେ କିଛି ପ୍ରସଙ୍ଗ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ। ଯୋଜନାରେ ସାମିଲ ହୋଇ ମଧ୍ୟ ଅଧିକାଂଶ ରାଜ୍ୟ ଓଡ଼ିଶା ଭଳି ବାସ୍ତବ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରି ପାରୁନାହାନ୍ତି। ଆଉ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ଏହି ଲାଭରୁ ବଞ୍ଚିତ ହେଉଛନ୍ତି। ଏହାର ଆଉ ଏକ କାରଣ ହେଲା, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଟଙ୍କାରେ ଚାଉଳ ଉପଲବ୍ଧ ହୁଏ; କିନ୍ତୁ ଓଡ଼ିଶା ୧ଟଙ୍କାରେ ଚାଉଳ ଦେଉଥିବାବେଳେ କେରଳ, ତାମିଲନାଡ଼ୁ ଭଳି କିଛି ରାଜ୍ୟ ସଂପୂର୍ଣ୍ଣ ମାଗଣାରେ ଚାଉଳ ଦିଅନ୍ତି। ରାଜସ୍ଥାନରେ ୩ ଟଙ୍କାରେ ଚାଉଳ ମିଳେ; କିନ୍ତୁ ସେଠାରେ ଚାଉଳ ବଦଳରେ ଗହମକୁ ପ୍ରାଧାନ୍ୟ ଦିଆଯାଏ। ସେଠାରେ ରହୁଥିବା ପ୍ରବାସୀ ଶ୍ରମିକ ନିଜ ଖାଦ୍ୟ ସୁରକ୍ଷା ଯୋଜନା ନା ସେହି ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭ ପାଇବେ ଏହା ସ୍ପଷ୍ଟ ନୁହେଁ। ଦ୍ବିତୀୟତଃ ଏଥିପାଇଁ କରାଯାଉଥିବା ଖର୍ଚ ରାଜ୍ୟଗୁଡ଼ିକ କିଭଳି ଭାଗବାଣ୍ଟ କରିବେ ଏହାକୁ ନେଇ ସ୍ପଷ୍ଟ ଉଲ୍ଲେଖ ନାହିଁ। ଓଡ଼ିଶା ଭିତରେ ଏହି ଯୋଜନାକୁ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବର୍ତ୍ତମାନ ଲୋକଙ୍କ ରୋଜଗାର ସଙ୍କୁଚିତ ହେଉଛି। ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ପ୍ରବାସୀ ଶ୍ରମିକ। ଗୋଟିଏ ପଟରେ ସେମାନଙ୍କ ରୋଜଗାର ବନ୍ଦ, ଅନ୍ୟ ପଟରେ ବଜାର ଦରରେ ଚାଉଳ କ୍ରୟ କଲେ ଅବସ୍ଥା କଣ ହେବ ତାହା ୨୦୨୦ କହିସାରିଛି।

 

 

 

 

ସମ୍ବନ୍ଧିତ ଖବର