ପୁଲିସ-ମାଓବାଦୀ ଗୁଳିବିନିମୟ: ଜଣେ ନକ୍ସଲ ନିହତ, ୨ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁଳିବିନିମୟ ସମୟରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ବିଜାପୁର ଜିଲ୍ଲା ବାସାଗୁଡା ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ପୁଲିସ ଖବର ପାଇଥିଲା। ତୁରନ୍ତ ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ,ଏସଟିଏଫ ଯବାନ ଏହି ଜଂଗଲରେ ଚଢାଉ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଲରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ ନକ୍ସଲମାନେ ଯବାନଙ୍କୁ ଦେଖି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି। ନକ୍ସଲ ଦମନ ନେଇ ଛତିଶଗଡ ସରକାର ଚଳାଇଥିବା ଅଭିଯାନରେ ସଫଳତା ମିଳିବାରେ ଲାଗିଛି। ଗୁଇନ୍ଦା ବିଭାଗର ସଠିକ ସୂଚନାରେ ଯବାନ ନକ୍ସଲଙ୍କୁ ଦମନ କରିବାରେ ସଫଳତା ପାଇପାରୁଛନ୍ତି ବୋଲି କୁହାଯାଇଛି। ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର