ସହିଦ ସପ୍ତାହରେ ମାଓ ସଂଗଠନକୁ ବଡ଼ ଝଟ୍‌କା: ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ମୃତ, ୩ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି : ଗତକାଲି ଠାରୁ ନକ୍ସଲଙ୍କର ସହିଦ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଦିନ ଦ୍ବିତୀୟ ଦିନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓ ସଂଗଠନକୁ ଏକ ବଡ଼ ଧରଣର ଝଟକା ଲାଗିଛି। ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନରେ ପୁଲିସ-ନକ୍ସଲ ମଧ୍ୟରେ ମୁହାଁମୁହିଁ ହୋଇଥିବା ବେଳେ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି। ଅନ୍ୟପଟେ ଛତିଶଗଡ଼ ପୁଲିସ ନିକଟରେ ତିନି ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା-ଦନ୍ତେୱାଡ଼ା ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ନହନୀଗୁଡ଼ରା ଜଙ୍ଗଲରେ ସଶସ୍ତ୍ର ନକ୍ସଲମାନେ ରହିଥିବା ନେଇ ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଏହି ଦୁଇ ଜିଲ୍ଲାରୁ ସୁରକ୍ଷା କର୍ମୀମାନେ ମିଳିତ ଭାବେ ଉକ୍ତ ଜଙ୍ଗଲରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ତେବେ ଯବାନ ମାନଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଅତର୍କିତ ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାର ଯବାବରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଫଳରେ ପୁଲିସ ଏନ୍‌କାଉଣ୍ଟରରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ଜଣକ କଟେକଲ୍ୟାଣ ଏରିଆ କମିଟିର ସଦସ୍ୟ ରାକେଶ ମାଡ଼କମ୍ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଯବାନମାନେ ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ମୃତ ନକ୍ସଲର ଶବ ଜବତ କରାଯାଇଛି ବୋଲି ଦନ୍ତେଵାଡ଼ା ଏସ୍‌ପି ସିଦ୍ଧାର୍ଥ ତିୱାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ଦନ୍ତେଵାଡ଼ା ପୁଲିସ ନିକଟରେ ୧୮ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ ରହିଥିବା ବେଳେ ଜଣକ ନାମରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆଜି ଦନ୍ତେଵାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସିଦ୍ଧାର୍ଥ ତିଵାରୀଙ୍କ ସମ୍ମୁଖରେ ଏହି ତିନି ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏସପି ଶ୍ରୀ ତିଵାରୀଙ୍କ କହିବା ଅନୁଯାୟୀ ଏହି ତିନି ଜଣ ହାର୍ଡକୋର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବାକୁ ଇଛା କରିଥିଲେ। ଏହି ତିନି ଜଣ ନକ୍ସଲ ବହୁ ହିଂସାରେ ସାମିଲ ଥିବା ଏସପି କହିଛନ୍ତି। ବିଶେଷ କରି ଲୁଟପାଟ୍, ହତ୍ୟା, ବୋମା ଖଞ୍ଜିବା, ମାରପିଟ୍ ଭଳି ସଙ୍ଗୀନ ମାମଲା ଏହି ତିନି ଜଣଙ୍କ ବିରୋଧରେ ରହିଛି। ତେବେ ଆତ୍ମସମର୍ପଣ କରିଥିବା ତିନି ନକ୍ସଲଙ୍କୁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ଆଗକୁ ଆହୁରି ଅନେକ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରସ୍ତୁତ ରହିଥିବା ଏସପି କହିଥିଲେ। ଆଜି ପର୍ଯ୍ୟନ୍ତ ବସ୍ତର ଡିଭିଜନରେ ୧୩୬ ଜଣ ପୁରସ୍କାର ରାଶି ଘୋଷିତ ନକ୍ସଲଙ୍କ ସମେତ ମୋଟ ୫୪୯ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଯବାନ ମାନଙ୍କର ଲଗାତାର କୁମ୍ବିଂ ଫଳରେ ନକ୍ସଲ ଏବେ ଧରାଶାୟୀ ହେଲେଣି। ସଂଗଠନର ଆଗଧାଡ଼ିର ନକ୍ସଲମାନେ ଏବେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ତେବେ ଆଜି ଏହି ୩ ଜଣ ଆଗଧାଡ଼ିର ନକ୍ସଲ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନ ଆହୁରି ଦୁର୍ବଳ ହୋଇପଡ଼ିବ ବୋଲି କୁହାଯାଇଛି।

ସୂଚନା ଥାଉକି, ବସ୍ତରରେ ନକ୍ସଲମାନେ ଗତ ୨୮ ତାରିଖରୁ ସହିଦ ସପ୍ତାହ ପାଳନ ଆରମ୍ଭ କରିଦେଇଛନ୍ତି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ତେବେ ଯବାନମାନେ ଆଜି ନକ୍ସଲଙ୍କ କରିଡର ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏହି ଘଟଣା ପରେ ବସ୍ତର ସମେତ ସବୁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଦନ୍ତେୱାଡ଼ା, ସୁକମା ସମେତ ବିଜାପୁର ଓ ନାରାୟଣପୁର ଜିଲ୍ଲାରେ ନକ୍ସଲ ଦମନ ପାଇଁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର