ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ୧୧୨

ତ୍ୱରିତ ସେବା ପାଇଁ ୧୦୯୮ଟି ପଦବି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଜାରି ହୋଇଥିବା ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯କୁ ଏକୀଭୂତ କରାଯାଇଛି। ଅର୍ଥାତ୍ ପୁଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ। ରାଜ୍ୟରେ ପୁଲିସ ପକ୍ଷରୁ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏବେ ଗୋଟିଏ ନମ୍ବର କାର୍ଯ୍ୟକାରୀ ହେବ। ଏବଂ ତାହା ହେଉଛି ୧୧୨।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ଏହି ସେବାକୁ ଅଧିକ ପ୍ରଭାବୀ କରିବା ଲାଗି ପୁଲିସ ବିଭାଗରେ ଏକାଥରକେ ୧୦୯୮ଟି ପଦବି ସୃଷ୍ଟି କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୧୨ ସେବା ପାଇଁ ୪ଜଣ ଡି.ଏସ୍‌.ପି, ୧୫୧ଜଣ ସବ୍‌ଇନ୍ସପେକ୍ଟର, ୨୦୩ଜଣ ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ। ଏହାବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ଜଣଙ୍କୁ ଟେଲିଫୋନ୍ ଉଠାଇବା ପାଇଁ ନିଯୁକ୍ତି ଦିଆଯିବ। ୨୩୬ଟି ଗାଡି ବ୍ୟବହାର ଲାଗି ମଧ୍ୟ ଅନୁମତି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍‌ଧ ହେବା ଦ୍ବାରା ସେମାନଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୁଲିସ ସଫଳ ହେବ। ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ମଧ୍ୟ ଅଧିକ ମଜବୁତ ହେବ।

ସମ୍ବନ୍ଧିତ ଖବର