ରାଉରକେଲା: କାର୍ ଦୁଇଟି। ଭିନ୍ନ ଭିନ୍ନ କମ୍ପାନିର ମଧ୍ୟ। କିନ୍ତୁ ଗୋଟିଏ ନମ୍ବର ପ୍ଲେଟ୍। ଏଭଳି ଦୁଇଟି କାର୍କୁ ଆଜି ଛେଣ୍ଡ୍ ପୁଲିସ ଜବତ କରିଛି। ତେବେ କାର୍ର ପ୍ରକୃତ ମାଲିକ ବିଷୟରେ ଜଣାପଡ଼ିନାହିଁ। ପୁଲିସ ଛାନଭିନ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା। ସମାନ ପଞ୍ଜିକରଣ ନମ୍ବର ଥିବା ଦୁଇଟି କାର୍ କଳିଙ୍ଗ ବିହାର ପାର୍କିଂରେ ଛିଡ଼ା ରହିଥିଲା। ଏହା ପାଟ୍ରୋଲିଂ କରୁଥିବା ପିସିଆର୍ ଭ୍ୟାନ୍ର ପୁଲିସ କର୍ମଚାରୀଙ୍କ ନଜରରେ ପଡ଼ିଯାଇଥିଲା।
ପୁଲିସ କର୍ମଚାରୀ ବେଶ୍ କିଛି ସମୟଧରି ପଚରାଉଚରା କରୁଥିଲେ ମଧ୍ୟ କାର୍ ମାଲିକ ବିଷୟରେ କୌଣସି ସୂଚନା ପାଇପାରିନଥିଲେ। ଏଣୁ ଉଭୟ କାର୍କୁ ଜବତକରି ଛେଣ୍ଡ୍ ଥାନା ପରିସରରେ ରଖାଯାଇଛି। ଏହାସହ ଗାଡ଼ିର ପ୍ରକୃତ ମାଲିକ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଷ୍ଟି ଅକାର୍ଷଣ କରାଯାଇଛି।