ରାୟଗଡ଼ା: ଜିଲ୍ଲା ଭିତ୍ତିଭୂମି ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପୂର୍ତ୍ତ ବିଭାଗ ଏବେ ମୁରବି ବିହୀନ। ବର୍ଷ ବର୍ଷ ଧରି ବିଭାଗରେ ପଦବି ଖାଲି ପଡିଥିଲେ ସୁଦ୍ଧା ପୂରଣ ଦିଗରେ ସରକାର ଦୃଷ୍ଟି ଦେଉ ନାହାନ୍ତି। ଅତିରିକ୍ତ ଦାୟିତ୍ବରେ କାମ ଚଳାଇ ନେଉଥିବାରୁ ରାୟଗଡ଼ା ପୂର୍ତ୍ତ ବିଭାଗର ୩ଟି ଡିଭିଜନ୍ ଦାୟିତ୍ବ ଏବେ ଜଣେ ଅଧିକାରୀଙ୍କ ହାତରେ। ବିଭାଗ ଅଧୀନରେ ରାୟଗଡ଼ା ଜିଲ୍ଲାରେ ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଉନ୍ନୟନମୂଳକ କାମ ଚାଲିଥିବା ବେଳେ ଅଧିକାରୀ ମରୁଡ଼ି ଯୋଗୁ ଉପଯୁକ୍ତ ତଦାରଖ ହୋଇପାରୁନି।
ରାସ୍ତା, ପୋଲ, ସରକାରୀ କୋଠାବାଡି, ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ, କ୍ବାଟର୍ସ ମରାମତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛି ରାୟଗଡ଼ା ପୂର୍ତ୍ତ ବିଭାଗ। ୧୧ ବ୍ଲକ୍ ବିଶିଷ୍ଟ ରାୟଗଡ଼ା ଜିଲ୍ଲାରେ ବିକାଶମୂଳକ କାମକୁ ତ୍ବରାନିତ କରିବା ପାଇଁ ପ୍ରତିଷ୍ଠା ହୋଇଛି ପୂର୍ତ୍ତ ବିଭାଗର ୨ଟି ଡିଭିଜନ୍। ଦୁଇ ଡିଭିଜନର କାମ ତଦାରଖ ପାଇଁ ରହିଛି ଗୁଣବତ୍ତା ନିୟନ୍ତ୍ରଣ ଡିଭିଜନ୍। ପୂର୍ତ୍ତ ଡିଭିଜନ୍-୨ କୁ ଛାଡ଼ିଲେ ଅନ୍ୟ କେଉଁଠି ନିର୍ବାହୀ କିମ୍ବା ଅଧୀକ୍ଷଣ ଯନ୍ତ୍ରୀ ନାହାନ୍ତି। ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଯମୁନା ବେହେରା ଟେଣ୍ଡର ଫିକ୍ସିଂ ମାମଲାରେ ସଂପୃକ୍ତି ଅଭିଯୋଗରେ ୨୦୨୨ ଅକ୍ଟୋବରରେ ସସପେଣ୍ଡ ପରଠୁ ସରକାର ଆଉ କାହାକୁ ନିଯୁକ୍ତି ଦେଇ ନାହାନ୍ତି। ୨୦୨୧ ଅକ୍ଟୋବରରେ ଗୁଣବତ୍ତେ ନିୟନ୍ତ୍ରଣ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ. ଶ୍ରୀକାନ୍ତ ସାହୁ ଅବସର ନେବା ପରେ ମଧ୍ୟ ଆଉ କେହି ନିଯୁକ୍ତି ପାଇନାହାନ୍ତି। ଡିଭିଜନ୍-୨ ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ମହାନ୍ତି ଗୁଣବତ୍ତା ନିୟନ୍ତ୍ରଣ ଡିଭିଜନ୍ ସହିତ ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ବ ତୁଲାଉଛନ୍ତି। ଦୁଇ ଡିଭିଜନରେ ଅଧୀକ୍ଷଣ ଯନ୍ତ୍ରୀ ପଦବି ଖାଲି ପଡିଥିବା ବେଳେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ଇଂ. ଶ୍ରୀ ମହାନ୍ତି ଆସନ୍ତା ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେବେ। ଫଳରେ ମାର୍ଚ୍ଚରେ ପୂର୍ତ୍ତ ବିଭାଗର ୩ଟି ଡିଭିଜନ୍ ମୁରବି ଶୂନ୍ୟ ହୋଇ ପଡିବ।
ପୂର୍ତ୍ତ ବିଭାଗ ଡିଭିଜନ୍-୧ ଅଧୀନରେ ରାୟଗଡ଼ା ସହରରେ ୬ କୋଟି ଟଙ୍କାର ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ ଚାଲିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୦ କୋଟି ଟଙ୍କାର ଜି-୪ କୋଠା, ୩ କୋଟି ଟଙ୍କାର ବ୍ରିଜ୍, ସହିତ ଜିଲ୍ଲା କୋର୍ଟ ପରିସରରେ ଖୁବ୍ ଶୀଘ୍ର ୪୨ କୋଟି ବ୍ୟୟରେ ନିର୍ମାଣ ହେବାକୁ ଯାଉଛି କୋର୍ଟର ନିଜସ୍ବ କୋଠା। ଡିଭିଜନ୍-୨ ଅଧୀନରେ ଗୁଡାରି ନିକଟ ବଂଶଧାରା ଉପରେ ୪୨ କୋଟି ବ୍ୟୟରେ ସୁଉଚ୍ଚ ସେତୁ ନିର୍ମାଣ, କୁଲୁସିଂ ରାସ୍ତା, ବିଷମକଟକ, ଗୁଣପୁରରେ ସରକାରୀ କୋଠା, ଛାତ୍ରାବାସ ନିର୍ମାଣ ଚାଲିଛି। ଗୁଣପୁର ପୌର ପରିଷଦ ସମେତ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ ଚାଲିଛି। ମୁନିଗୁଡ଼ା-ଚନ୍ଦ୍ରପୁର ରାସ୍ତା ସହ ମୁନିଗୁଡ଼ା-କୋଟଗଡ଼ ରାସ୍ତାରେ ଥିବା ପୋଲ ଏବଂ ଅନ୍ୟ ପ୍ରକଳ୍ପ ନିର୍ମାଣଧୀନ ଅଛି। ଏହି ସମସ୍ତ ପ୍ରମୁଖ ପ୍ରକଳ୍ପର ତଦାରଖ ପାଇଁ ଅଭିଜ୍ଞ ଯନ୍ତ୍ରୀଙ୍କ ଆବଶ୍ୟକତା ରହିଛି। କିନ୍ତୁ ଦାୟିତ୍ବରେ କେହିନଥିବାରୁ କୋଟି କୋଟି ଟଙ୍କାର କାମକୁ ଜଣେ ନିର୍ବାହୀ ଯନ୍ତ୍ରୀ କିପରି ତଦାରଖ କରୁଛନ୍ତି ସେଥି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୨ ଡିସେମ୍ବରରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ରାୟଗଡ଼ା ଆସି ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ। ୩ଟି ଡିଭିଜନ୍ ଅତିରିକ୍ତ ଦାୟିତ୍ବରେ ଚାଲିଥିବା ମନ୍ତ୍ରୀ ଅବଗତ ହୋଇଥିଲେ ମଧ୍ୟ ଏ ଦିଗରେ ଏଯାବତ୍ କୌଣସି ପଦକ୍ଷେପ ନେଇନାହାନ୍ତି।