ବ୍ରହ୍ମପୁର : ଶନିବାର ଦିନ ଏମ୍କେସିଜି ବଡ଼ ଡାକ୍ତରଖାନର ଗୋଟିଏ ଚିତ୍ର ଏଠିକାର ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇ ଦେଇଛି। ଶିଶୁ ଚିକିତ୍ସା କ୍ଷେତ୍ରରେ ଦେଖାଦେଇଥିବା ଚିତ୍ର ଏଠିକାର ଅସଲ ସ୍ବରୁପକୁ ପଦାରେ ପକାଇ ଦେଇଛି। ଗୋଟିଏ ସିଲିଣ୍ଡରରୁ ତିନି ଜଣ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଣ ହେଉଥିବା ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ମାମାନେ କୋଳରେ ଧରି ଯାଉଥିବା ବେଳେ ସେମାନଙ୍କ ଆଗରେ ଆଗରେ ଜଣେ ଆଟେଣ୍ଡାଣ୍ଟ୍ ଅକ୍ସିଜେନ୍ ସିଲିଣ୍ଡରକୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଥିଲା। କେଉଁ ପରିସ୍ଥିତିରେ ଏଭଳି ବିପଦଜ୍ଜନକ ଅବସ୍ଥାରେ ଶିଶୁଙ୍କୁ ଅକ୍ସିଜେନ୍ ଦେଇ ନିଆ ଯାଉଥିଲା ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍କେସିଜି ବଡ଼ ଡାକ୍ତରଖାନାର ରୋଗୀସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଳ ମାଳ କୋଠା ସାଂଗକୁ ବିଭିନ୍ନ ବିଭାଗର ଓଟି ସମେତ ଅତ୍ୟାଧୁନିକ ଯନ୍ତ୍ରପାତି କ୍ରୟ କରୁଛନ୍ତି। ୨୪ ଘଣ୍ଟା ନିରନ୍ତର ଅକ୍ସିଜେନ୍ ଯୋଗାଣ ପାଇଁ ବଡ଼ ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର ଭାବେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ପ୍ରତ୍ୟେକ ରୋଗୀଙ୍କ ଶଯ୍ୟା ନିକଟରେ ପାଇପ୍ ଲାଇନ୍ ଜରିଆରେ ଅକ୍ସିଜେନ୍ ଯୋଗାଣର ବ୍ୟବସ୍ଥା ବି କରାଯାଇଛି। ଏତେ ସବୁ ସତ୍ତ୍ବେ ସ୍ବାସ୍ଥ୍ୟସେବାର ଉନ୍ନତି ଘଟୁନାହିଁ। ଶିଶୁମାନଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି ଅମାନବିକ ବ୍ୟବହାର ଆଜିର ଚିତ୍ରକୁ ଦେଖି ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରସବ ପରେ ଯେଉଁ ଶିଶୁଙ୍କ ଓଜନ କମ୍ ରହିଥାଏ, ସେମାନଙ୍କୁ ଶିଶୁ ବିଭାଗର ଏସ୍ଏନ୍ସିୟୁ (ସ୍ପେସାଲ୍ ନ୍ୟୁ ବର୍ନ କେୟାର୍ ୟୁନିଟ୍)ରେ ଭର୍ତ୍ତି କରାଯାଇଥାଏ। ଯେଉଁ ଶିଶୁଙ୍କ ଶ୍ବାସକ୍ରିୟାରେ ସମସ୍ୟା ପରିଲକ୍ଷିତ ହୋଇଥାଏ, ସେମାନଙ୍କର (ହାର୍ଟ) ହୃଦ୍ସ୍ପନ୍ଦନ ପରୀକ୍ଷା କରାଯାଇଥାଏ। ତନ୍ମଧ୍ୟରୁ କିଛି ଶିଶୁଙ୍କ ଇସିଜି ଓ ଆବଶ୍ୟକସ୍ଥଳେ ଇକୋ ପରୀକ୍ଷା ହୋଇଥାଏ। ଶନିବାର ଦିନ ଡାକ୍ତରଙ୍କ ପରାମର୍ଶ କ୍ରମେ ଏଭଳି ୪ଜଣ ଶିଶୁଙ୍କ ଇକୋ ପରୀକ୍ଷା ପାଇଁ ଏସ୍ଏନ୍ସିୟୁରୁ ସୁପର୍ସ୍ପେସାଲିଟି ବ୍ଲକ୍ ହୃଦରୋଗ ବିଭାଗକୁ ନିଆଯାଉଥିଲା। କିନ୍ତୁ ଶିଶୁମାନଙ୍କୁ ଯେଭଳି ଅବସ୍ଥାରେ ନିଆଯାଉଥିଲା ତାହା ଦେଖିଲେ ଯେ କେହି ବିବ୍ରତ, ବ୍ୟଥିତ ହେବେ।
ଗୋଟିଏ ସିଲିଣ୍ଡର୍ରୁ ୩ଟି ପାଇପ୍ ଯୋଗେ ୩ଜଣ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଣ କରାଯାଉଥିଲା। ଆଟେଣ୍ଡାଣ୍ଟ୍ ଜଣଙ୍କ ସିଲିଣ୍ଡର୍ ଟାଣି ଟାଣି ନେଉଥିବା ବେଳେ ସେଠାରୁ ଲମ୍ବିଥିବା ୩ଟି ପାଇପ୍ ଜରିଆରେ ଶିଶୁମାନଙ୍କୁ ଅକ୍ସିଜେନ୍ ଯୋଗାଣ ହେଉଥିଲା। ମାମାନେ ଶିଶୁଙ୍କୁ କୋଳେଇ ଧରି ସେଭଳି ଅବସ୍ଥାରେ ପ୍ରାୟ ୫ଶହ ମିଟର୍ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଏହି ସମୟରେ ଯଦି କାହାର ନାକରୁ ପାଇପ୍ ବାହାରି ଯାଇଥାନ୍ତା କିମ୍ବା କିଏ ଝୁଣ୍ଟି ପଡ଼ିଥାନ୍ତେ ତେବେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏସମ୍ପର୍କରେ ଏମ୍କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଶିଶୁଙ୍କ ଓଜନ କମ୍ ରହିଥିବାରୁ ସେମାନଙ୍କ ହାର୍ଟରେ କାଳେ କିଛି ସମସ୍ୟା ଥିବ ସେଥିପାଇଁ ଇକୋ ପରୀକ୍ଷା ପାଇଁ ନିଆଯାଉଥିଲା। ଗୋଟିଏ ସିଲିଣ୍ଡର୍ରୁ ୩ଜଣ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଣରେ କିଛି ସମସ୍ୟା ନାହିଁ। ଦେଢ଼ରୁ ଦୁଇକେଜି ଓଜନ ଶିଶୁଙ୍କ କ୍ଷେତ୍ରରେ ଅକ୍ସିଜେନ୍ ଆବଶ୍ୟକତା କମ୍ ରହିଥାଏ। ଏଣୁ ସତର୍କତାମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ଅକ୍ସିଜେନ୍ ଦିଆ ଯାଇଥିଲା। ଶିଶୁମାନଙ୍କ ଅବସ୍ଥା ଭଲ ରହିଛି ବୋଲି ଅଧୀକ୍ଷକ କହିଛନ୍ତି।