ବ୍ରହ୍ମପୁରରୁ ଇନ୍ଦୋର ଏନ୍‌ସିବି ଟିମ୍‌ ଜଣକୁ ଉଠାଇଲା

ବ୍ରହ୍ମପୁର : ମଧ୍ୟପ୍ରଦେଶ ଇନ୍ଦୋରର ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ)ର ଏକ ଟିମ୍‌ ଆଜି ବ୍ରହ୍ମପୁର ଆସିଥିଲା। ଏକ ଗଂଜେଇ ଚାଲାଣ ମାମଲାରେ ଏନ୍‌ସିବି ଟିମ୍‌ ସଦର ଥାନା ଇଲାକାରୁ ଜଣକୁ ଉଠାଇ ନେଇଛି। ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଚଢ଼େଇମରାର ପି. ଲକ୍ଷ୍ମଣ(୨୭) ବୋଲି ସୂଚନା ମିଳିଛି। ବାରମ୍ବାର ସମନ ସତ୍ବେ ଲକ୍ଷ୍ମଣ କୋର୍ଟରେ ହାଜର ହୋଇ ନଥିଲେ। ଏଣୁ ତାଙ୍କ ନାମରେ କୋର୍ଟ‌ ଏନ୍‌ବିଡବ୍ଲୁ ଜାରି କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ରେ ଗଂଜେଇ ଚାଲାଣ ବେଳେ ଇନ୍ଦୋର ଏନ୍‌ସିବି ଏକ ଗାଡ଼ି ଜବତ କରିଥିଲା। ଏହି ଘଟଣାରେ ଏନ୍‌ସିବି ଟିମ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ମଧ୍ୟ ଥିଲେ। ଜାମିନ୍‌ରୁ ଆସିବା ପରେ ସେ ବିଚାରଣା ସମୟରେ କୋର୍ଟରେ ହାଜର ହୋଇ ନଥିଲେ। କୋର୍ଟରେ ବାରମ୍ବାର ଅନୁପସ୍ଥିତ ରହିବାରୁ ତାଙ୍କ ନାମରେ ଏନ୍‌ବିଡବ୍ଲୁ ଜାରି ହୋଇଥିଲା। ଏନ୍‌ବିଡବ୍ଲୁ ବଳରେ ଏନ୍‌ସିବିର ଜୁନିୟର୍‌ ଇଣ୍ଟଲିଜେନ୍ସ ଅଫିସର୍‌ ଏସ୍‌. ରାଜେନ୍ଦ୍ର ସିଂଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ବ୍ରହ୍ମପୁର ଆସିଥିଲା। ଏହି ଟିମ୍‌ ସଦର ଥାନା ପୁଲିସ ସହାୟତାରେ ଚଢ଼େଇମରା ଗ୍ରାମରୁ ଲକ୍ଷ୍ମଣକୁ ଗିରଫ କରିଥିଲା। ବ୍ରହ୍ମପୁର ସିଜେଏମ୍‌ଙ୍କ କୋର୍ଟରେ ଲକ୍ଷ୍ମଣକୁ ହାଜର କରିବା ପରେ ଏନ୍‌ସିବି ଟିମ୍‌ ତାଙ୍କୁ ଇନ୍ଦୋର ନେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର