ସୀମନ୍ତିକା ନନ୍ଦ
କଟକ: ଏବେ କ’ଣ ଏକାଡେମିକ୍‌ ଓ ପ୍ରାଶାସନିକ; ଦୁଇଟି ଯାକ ପଦ ଜଣେ ବ୍ୟକ୍ତି ସମ୍ଭାଳିବେ? ଅଧିକାରୀ ମିଳୁନାହାନ୍ତି ନା ପଦ ଉଚ୍ଛେଦ କରି ଦିଆଗଲା? ମେଡିକାଲ୍‌ ଶିକ୍ଷା ଓ ପ୍ରାଶାସନିକ ବ୍ୟବସ୍ଥାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ମ‌ାସରୁ ଅଧିକ ସମୟ ହେଲାଣି; ଏସ୍‌ସିବି, ଏମ୍‌କେସିଜି, ଏସ୍‌ଏଲ୍‌ଏନ୍‌ (କୋରାପୁଟ), ଏସ୍‌ଆର୍‌ଏମ୍‌ (କଳାହାଣ୍ଡି) ଆଦି ୪ଟି ମେଡିକାଲ କଲେଜରେ ଜଣେ ବ୍ୟକ୍ତି ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବ ସମ୍ଭାଳୁଛନ୍ତି। ବାରମ୍ବାର ଦାବି ପରେ ବି ଖାଲି ପଡ଼ିଥିବା ପଦରେ ନିଯୁକ୍ତି ଦିଆଯାଉନି। ଏଭଳି ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ମେଡିକାଲ୍‌ ଶିକ୍ଷା ଓ ପ୍ରାଶାସନିକ ବ୍ୟବସ୍ଥା ପ୍ରତି ସାଂଘାତିକ ବିପଦ ସୃଷ୍ଟିହେଲାଣି। ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଛନ୍ତି ଯେ କେଉଁ ମେଡିକାଲ୍‌ କଲେଜରେ କାହାକୁ ଅଧ୍ୟକ୍ଷ ଓ କାହାକୁ ଅଧୀକ୍ଷକ ନିଯୁକ୍ତି ଦିଆଯିବ ସେ ନେଇ ହିସାବ ଛିଣ୍ଡୁ ନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି।

Advertisment

ଏସ୍‌ସିବି, ରାଜ୍ୟର ସବୁଠାରୁ ବଡ ରେଫ୍‌ରାଲ ହସ୍ପିଟାଲ୍‌। ଏଠାକୁ ପ୍ରତିଦିନ ପାଖାପାଖି ୧୦ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ୱାର୍ଡ, ଆଇସିୟୁ ଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ଓ ପରୀକ୍ଷଣ ବ୍ୟବସ୍ଥା ରହିଛି। ସରକାରୀ ଯୋଜନାର ଠିକ୍‌ ଢଙ୍ଗରେ ରୂପାୟନ କରାଯିବା, ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା, ହସ୍‌ପିଟାଲ୍‌ର ସବୁ ବିଭାଗରେ ଚିକିତ୍ସାର ତଦାରଖ ଓ ପ୍ରାଶାସନିକ ପରିଚାଳନା ଭାର ଅଧୀକ୍ଷକଙ୍କ ହାତରେ ରହିଥାଏ। ଏପଟେ ଏସ୍‌ସିବିରେ ପାଖାପାଖି ୫ହଜାର ଡାକ୍ତରୀ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ବ୍ୟବସ୍ଥାର ତଦାରଖ, ଜାତୀୟ ମେଡିକାଲ କମିସନ୍‌ (ଏନ୍‌ଏମ୍‌ସି) ଗାଇଡ୍‌ଲାଇନ୍‌ର ଅନୁପ‌ାଳନ ଠାରୁ ଆରମ୍ଭ କରି ସମସ୍ତ ପାଠ୍ୟକ୍ରମ ବ୍ୟବସ୍ଥ‌ାରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦାୟିତ୍ବ ରହିଛି ଅଧ୍ୟକ୍ଷଙ୍କ ହାତରେ। ମେଡିକାଲ କଲେଜର ଶିକ୍ଷକମାନଙ୍କ ଉପସ୍ଥାନ ଯାଞ୍ଚ ବ୍ୟବସ୍ଥା ବି ତାଙ୍କ ଦାୟିତ୍ବ। କଲେଜର ଏକାଡେମିକ୍‌ ବ୍ୟବସ୍ଥାର ପରିଚଳାନା ଅଧ୍ୟକ୍ଷଙ୍କ ହାତରେ। ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କ କାମ ସଂପୂର୍ଣ୍ଣ ଭିନ୍ନ। ଦୁଇଟି କାମକୁ ଯଦି ଜଣେ ବ୍ୟକ୍ତିଙ୍କ ହାତରେ ନ୍ୟସ୍ତ କରାଯାଏ, ତେବେ ପରିଚାଳନାରେ ବ୍ୟାଘାତ ଘଟିବା ସ୍ବାଭାବିକ। ଏହାକୁ ନେଇ ଯଦିଓ କେହି ମୁହଁ ଖୋଲୁନାହାନ୍ତି, କିନ୍ତୁ ଦୁଇଟି ପଦ ଜଣେ ବ୍ୟକ୍ତିଙ୍କ ହାତରେ ରହିଥିବାରୁ ସେ ଚାପରେ ରହିବା ସହ ‌ଉଭୟ କାମକୁ ଉଚିତ ନ୍ୟାୟ ଦେଇ ପାରୁନାହାନ୍ତି। ଆଦେଶନାମା ଆଜି ଆସିବ, କାଲି ଆସିବ... ବୋଲି ଅପେକ୍ଷା କରି ବସିଛନ୍ତି ୪ଟି ମେଡିକାଲ କଲେଜରେ ଦୁଇ ଦୁଇଟି ଦାୟିତ୍ବରେ ଥିବା ଅଧ୍ୟକ୍ଷ ଓ ଅଧୀକ୍ଷକ। ସେପଟେ, ଶିଶୁଭବନ କାମଚଳା ଅଧୀକ୍ଷକଙ୍କ ହାତରେ ଥିବା ବେଳେ କେନ୍ଦ୍ରାପଡ଼ା ସମେତ କେତେକ ଜିଲ୍ଲାରେ ସିଡିଏମ୍‌ଓ ପଦ ବି ଖାଲି ପଡ଼ିଛି। 

ମେଡିକାଲ୍‌ ଶିକ୍ଷା ଓ ପ୍ରାଶାସନିକ ବ୍ୟବସ୍ଥାରେ ଅଲୋଡ଼ା ପରମ୍ପରା
ଉଚ୍ଛେଦ ହୋଇଗଲା କି ପଦ?

ରାଜ୍ୟରେ ଏବେ ୧୩ଟି ସରକାରୀ ମେଡିକାଲ କଲେଜ ରହିଛି। ରାଜ୍ୟର ପ୍ରଥମ ତଥା ପ୍ରମୁଖ ସରକାରୀ ମେଡିକାଲ କଲେଜ ଏସ୍‌ସିବିର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି  ଗତ ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଅଧ୍ୟକ୍ଷ ଭାବେ ପ୍ର‌ଫେସର ଡାକ୍ତର ଲୁସି ଦାସଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଏହାର ପର ମାସରେ ଅଧୀକ୍ଷକ ପ୍ର‌ଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଅବସର ନେବାରୁ ସେହି ସ୍ଥାନ ଖାଲିପଡ଼ିଲା। ଫଳରେ  ଡାକ୍ତର ଦାସଙ୍କୁ ଉଭୟ ଅଧ୍ୟକ୍ଷ ଓ ଅଧୀକ୍ଷକ ଦାୟିତ୍ବ ଦିଆଯାଇଛି। କିଛି ଅଭିଜ୍ଞ ପ୍ରଫେସରଙ୍କ କହିବା କଥା ହେଲା ଏଭଳି କେବେ ବି ଏସ୍‌ସିବିରେ ହୋଇନଥିଲା। ଏପଟେ ଏମ୍‌କେସିଜି ମେଡିକାଲ କଲେଜ ବ୍ରହ୍ମପୁରର ଅବସ୍ଥ‌ା ବି ସମାନ। ଡିନ୍‌ ତଥା ଅଧ୍ୟକ୍ଷ ଥିବା ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କୁ ଡିଏମ୍‌ଇଟି ଭା‌ବେ ରାଜ୍ୟ ସରକାର ନିଯୁକ୍ତି ଦେଲେ। କିନ୍ତୁ ତାଙ୍କ ମୂଳ ପଦବିରେ କାହାରିକୁ ନିଯୁକ୍ତି ନଦେଇ ଏମ୍‌କେସିଜିର ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସର୍‌ ଡାକ୍ତର ସୁଚିତ୍ରା ଦାସଙ୍କୁ ଅତିରିକ୍ତ ଭାବେ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ୬ମାସ ହେଲା ଏମ୍‌କେସିଜିରେ କାମଚଳା ବ୍ୟବସ୍ଥା ଜାରି ରହିଛି। ସେହିପରି ଏସ୍‌ଏଲ୍‌ଏମ୍‌ ମେଡିକାଲ କଲେଜ, କୋରାପୁଟର ଡିନ୍‌ ତଥା ପ୍ରିନ୍ସପାଲ୍‌ ଅବସରଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏସ୍‌ଆର୍‌ଏମ୍‌ ମେଡିକାଲ କଲେଜ, କଳାହାଣ୍ଡିରେ ମଧ୍ୟ ଅଧୀକ୍ଷକ ପଦ ଖାଲିପଡ଼ିଛି। ଭୀମ ଭୋଇ ମେଡିକାଲ୍‌ କଲେଜ, ବଲାଙ୍ଗୀରର ଅଧୀକ୍ଷକ ଥିବା ପ୍ରଫେସର ଡାକ୍ତର ମାନସୀ ପଣ୍ଡାଙ୍କୁ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପାଠ୍ୟ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। କିନ୍ତୁ ତାଙ୍କ ମୂଳ ପଦବିରେ କାହାରିକୁ ନିଯୁକ୍ତ କରାଯାଇନି।