ଗୁଳିମାଡ଼ରେ ଜଣେ ଗୁରୁତର

ବଡ଼ବିଲ: ପଞ୍ଚାୟତ ନିର୍ବାଚନ ଦୁଇମାସ ତଳୁ ଶେଷ ହୋଇଥିଲେ ମଧ୍ୟ ଏହାକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସରପଞ୍ଚଙ୍କ ସମର୍ଥକଙ୍କ ଗୁଳିମାଡ଼ରେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଗୁଳିକାଣ୍ଡ ପରେ ସ୍ଥାନୀୟ ଲୋକେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ସମୟରୁ ସରପଞ୍ଚ ସୁବାସ ସୀତାରୀଙ୍କ ସମର୍ଥକ ଏବଂ ବିପକ୍ଷ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ଏହାକୁ କେନ୍ଦ୍ରକରି ଆଜି ସନ୍ଧ୍ୟାରେ ପୁଣି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ସରପଞ୍ଚ ଶ୍ରୀ ସୀତାରୀଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ‌ଗଣେଶ ମୁଣ୍ଡ ବିପକ୍ଷ ଗୋଷ୍ଠୀର ଚରଣ ମୁଣ୍ଡାଙ୍କୁ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ଚରଣଙ୍କ ବାମହାତରେ ଲାଗିଥିଲା। ଗୁଳିକାଣ୍ଡ ପରେ ସରପଞ୍ଚ ଶ୍ରୀ ‌ସୀତାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁଳି ଚାଳନା କରିଥିବା ଗଣେଶକୁ କାବୁ କରି ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ। ପୁଲିସ ଉଭୟଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ଏନେଇ ସରପଞ୍ଚ କିମ୍ବା ବଡ଼ବିଲ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧିତ ଖବର