ଜୟପୁର: ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ସରକାର ଖେଳପଡ଼ିଆ ନିର୍ମାଣ ନିମନ୍ତେ ଅନୁଦାନ ଦେଉଛନ୍ତି। ସେଥିରୁ କିଛି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଳକା ଫେରି ଯାଉଛି। ତେଣୁ କାମ ଅଧାପନ୍ତରିଆ ଭାବେ ରହିଯାଉଛି। ଯାହାଫଳରେ ଯେଉଁ ଲକ୍ଷ୍ୟ ନେଇ ଖେଳପଡ଼ିଆ କରାଯାଉଛି ତାହାର ଉଦ୍ଦେଶ୍ୟ ସାଧନ ହୋଇପାରୁନାହିଁ। ଯଦ୍ବାରା କ୍ରୀଡ଼ାବିତମାନେ ସେହି ପଡ଼ିଆରେ ହିଁ ଖେଳିବାକୁ ବାଧ୍ୟ ହେଉଛନ୍ତି। ଜୟପୁର ବ୍ଲକ୍ ଧନପୁର ପଞ୍ଚାୟତ ଅନ୍ତର୍ଗତ ତରଗେଇ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜାନରେ ଗୋଟିଏ ପଡ଼ିଆ ପାଇଁ ୨ ଥର ଟଙ୍କା ଆସିଲାଣି ସତ, କିନ୍ତୁ ତାହା ଅଧାପନ୍ତରିଆ ଭା‌ବେ ପଡ଼ି ରହିଛି।
Advertisment
ରାଜ୍ୟ ସରକାର ଯୁବ ଓ କ୍ରୀଡ଼ା ପ୍ରତି‌ ଗୁରୁତ୍ବ ଦେଇ ଖେଳପଡ଼ିଆର ନିର୍ମାଣ ସହ ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ରାଜ୍ୟରେ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ଯୁବକମାନେ ଖେଳିବା ପାଇଁ ଯେଉଁ ‌ଯୋଜନା କରୁଛନ୍ତି ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିଭଳି କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଖେଳପଡ଼ିଆ ନିର୍ମାଣ ପାଇଁ ଟଙ୍କା ଆସୁଥିବା ବେଳେ ଜୟପୁର ବ୍ଲକରେ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।
ସୂଚନା ଅନୁଯାୟୀ, ଗତ ୨୦୧୬-୧୭ ମସିହାରେ ଧନପୁର ପଞ୍ଚାୟତର ତରଗେଇ ଗ୍ରାମରେ ଖେଳପଡ଼ିଆ ନିର୍ମାଣ ପାଇଁ ମେଟ୍‌କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୨୦୧୬ ମସିହା ନଭେମ୍ବର ୧୯ ତାରିଖରେ ଖେଳପଡ଼ିଆ କାମ ଆରମ୍ଭ ହୋଇଥିଲା। ଏହି ଖେଳପଡ଼ିଆ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ରହିଥିବା ବେଳେ ସେଠାରେ ୨୮୪ ଶ୍ରମ ଦିବସ ସୃଷ୍ଟି କରି ୪୯ ହଜାର ୪୧୬ ଟଙ୍କା ଖର୍ଚ୍ଚ ହୋଇଥିଲା। ପଡ଼ିଆରେ କେଉଁଠି ସ୍ବଳ୍ପ ମାଟି ପକାଇ ଦେଇଥିବା ବେଳ‌େ ବାକି କାମକୁ ବନ୍ଦ କରି ଦେଇଥିଲେ। ଯାହାଫଳରେ ସେହି କାମ ହେବା ନହେବା ସହିତ ସମାନ ହୋଇ ରହିଥିଲା। ଏହି କାମକୁ ପ୍ରଶାସନ ପକ୍ଷରୁ ୨୦୧୯ ମସିହା ନଭେମ୍ବର ୧୩ ତାରଖରେ ସମାପ୍ତ ହୋଇଯାଇଥିବା ଦର୍ଶାଇ ଦେଇଥିଲେ। ଏହାପରେ ସେହି ପଡ଼ିଆ ପାଇଁ ପୁଣି ୨୦୨୦-୨୧ ମସିହାରେ ୫ ଲକ୍ଷ ଟଙ୍କାର କାମ ମଞ୍ଜୁର ହୋଇଥିଲା। ୨୦୨୦ ମସିହା ଜୁଲାଇ ୧୫ ତାରିଖରେ ଖେଳପଡ଼ିଆ କାମ ଆରମ୍ଭ ହୋଇଥିଲା। ସେହି ଖେଳପଡ଼ିଆରେ ପୁଣି କିଛି ମାଟି ଆଣି ପକାଇ ଦେଇ କାମକୁ ବନ୍ଦ କରିଦେଇଥିଲେ। ଏହି କାମ ପାଇଁ ୬୦୭ ଜଣ ଶ୍ରମିକ ୧୬୭୫ ଶ୍ରମ ଦିବସ ସୃଷ୍ଟି କରିଥିଲେ ଓ ମୋଟ ୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ୪୮ ହଜାର ୭୬ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି। ହେଲେ ଖେଳପଡ଼ିଆର ଭିତ୍ତିଭୂମିରେ ସମ୍ପୂର୍ଣ୍ଣ ଭାବେ ଉନ୍ନତି ହୋଇପାରିଲାନାହିଁ। ସେହି କାମକୁ ଅଧାରୁ ଛାଡ଼ି ଦେଇଥିବା ବେଳେ ତାହାକୁ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅଗ‌ଷ୍ଟ ୨୭ ତାରିଖରେ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ଦର୍ଶାଇଛନ୍ତି।
ଅପରପକ୍ଷରେ ଖେଳପଡ଼ିଆ ପାଇଁ ଦୁଇଟି ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୯୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଖେଳାଳି ମାନଙ୍କୁ ସମସ୍ତ ସୁବିଧା ମିଳିପାରିନାହିଁ। ତରଗେଇ ଗାଁରେ ପାଖାପାଖି ୪୦ରୁ ଅଧିକ ଯୁବକ ରହିଥିବା ବେଳେ ଖେଳିବା ପାଇଁ ସେହି ଗୋଟିଏ ହିଁ ପଡ଼ିଆ ରହିଛି। ସେଠାରେ କିଏ କ୍ରିକେଟ୍ ଖେଳୁଥିବା ବେଳେ ଆଉ କିଛି ଯୁବକ ଫୁଟବଲ ଖେଳୁଛନ୍ତି। ଫୁଟବଲ ଖେଳିବା ପାଇଁ ଗୋଲ୍ ପୋଷ୍ଟ ହୋଇପାରୁନଥିବା ବେଳେ ଯୁବକମାନେ ଖୁଣ୍ଟ ପୋତି ଗୋଲ୍ ପୋଷ୍ଟ କରୁଛନ୍ତି। ଖେଳପଡ଼ିଆ ଚତୁଃପାର୍ଶ୍ବରେ ଚୌକି ପକାଯାଇନଥିବା ବେଳେ ଭିତ୍ତିଭୂମିର ବିକାଶ କରାଯାଉନଥିବାରୁ ସ୍ଥାନୀୟ କ୍ରୀଡ଼ାବିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।