ପୁଲିସ-ପିଏଲ୍‌ଏଫ୍‌ଆଇ ଗୁଳି ବିନିମୟ : ଜଣେ ପିଏଲ୍‌ଏଫ୍‌ଆଇ ମୃତ, ଅନ୍ୟ ଦୁଇ ପିଏଲ୍‌ଏଫ୍‌ଆଇ ଗିରଫ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡ଼େଗା ଠେଠେଇଟାଙ୍ଗର ଥାନା ଅନ୍ତର୍ଗତ ସିହରଯୋଡ ପାହଡ଼ରେ ପୁଲିସ-ପିଏଲ୍‌ଏଫ୍‌ଆଇ ଭିତରେ ଗୁଳି ବିନିମୟ ହୋଇଛି। ପ୍ରାୟ ୧୫ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ପିଏଲ୍‌ଏଫ୍‌ଆଇ ଲୁଥର ଡାଙ୍ଗର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ପୁଲିସ ଅନ୍ୟ ଦୁଇ ପିଏଲ୍‌ଏଫ୍‌ଆଇ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଦୁଇ ପିଏଲ୍‌ଏଫ୍‌ଆଇ ମଧ୍ୟରୁ ଜଣଙ୍କ ବାମ ହାତ ଓ ଅନ୍ୟ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ସେମାନଙ୍କୁ ଚିକିତ୍ସା ପାଇଁ ସିମ୍‌ଡେଗା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ କାର୍‌ବାଇନ୍‌, ଦୁଇ ବନ୍ଧୁକ, ୫ ମାରଣାସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ସିହରଯୋଡ ପାହାଡ଼ ଉପରେ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ବିଜୟ ଡାଙ୍ଗ ତା’ର କିଛି ସହଯୋଗୀଙ୍କ ସହ ବଡ଼ଧରଣ ଅଘଟଣ ଘଟାଇବାକୁ ଯୋଜନା କରୁଥିବା ସିମ୍‌ଡ଼େଗା ଏସ୍‌ପି ସଞ୍ଜିତ କୁମାରଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଏସ୍‌ପି କୁମାର ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ପୁଲିସ ଟିମ୍‌ ପାହାଡକୁ ଚତୁଃପାର୍ଶ୍ୱରୁ ଘେରାବନ୍ଦୀ କରି ଚଢ଼ଉ ଆରମ୍ଭ କରିଥିଲା। ପାହାଡ଼କୁ ଘେରାବନ୍ଦୀ କରି ରଖିଥିବା ଜାଣିବା ପରେ ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ବିଜୟ ଓ ତା’ର ଅନ୍ୟ ସହଯୋଗୀ ସେଠାରୁ ଖସିଯିବାକୁ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଜଣେ ପିଏଲ୍‌ଏଫ୍‌ଆଇ ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇଜଣକୁ ପୁଲିସ କାବୁ କରିଥିଲା।

ସମ୍ବନ୍ଧିତ ଖବର