ପୁଣି ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ(୫୭ବର୍ଷିୟ ପୁରୁଷ) ଚିହ୍ନଟ ହୋଇଛନ୍ତି | ତାଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୮୦ରେ ପହଂଚିଛି | ଏହି ନୂଆ କରୋନା ଆକ୍ରାନ୍ତ ଜଣକ ଯାଜପୁର ହୋଇଥିବା ବେଳେ ସେ କୋଲକାତାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି |

ଅନ୍ୟ ପକ୍ଷରେ ଏକ ସକରାତ୍ମକ ଖବର ହେଲା, ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ସଂକ୍ରମିତ  ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୧ ଛୁଇଁଛି।

ତେବେ ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି | ଆଜି ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ସେହିପରି ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବାବଦରେ ଜଣାପଡିଥିଲା |

ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା | ଗତକାଲି କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଛି | ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା |

ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୪୭୪୫୪ ନମୁନା ପରୀକ୍ଷା ହୋଇଥିବାବେଳେ ୧୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୧୭ ଜଣ ସକ୍ରିୟ ଚିକିତ୍ସିତ ହେଉଛନ୍ତି। ସେହିପରି ୬୧ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର