ଏକକ ରାଜସ୍ୱ କୋଡ୍‌ ପ୍ରଚଳନ ପାଇଁ ବାଟ ଫିଟିଲା

କୋଡ୍‌ ଚିଠା ନେଇ ଲୋକଙ୍କ ମତାମତ ଆହ୍ଵାନ ଶୀଘ୍ର, ହଟିବ ସରକାରୀ ଜମିର ବେଆଇନ ଦଖଲକାରୀଙ୍କ ନାମରେ ଜମି ରେକର୍ଡ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟରେ ନୂଆ ଓ ପୁରୁଣା ବିଭିନ୍ନ ରାଜସ୍ୱ ଆଇନ ଓ ସେଗୁଡ଼ିକ ଅଧୀନରେ ଶତାଧିକ ଧାରା ପ୍ରଚଳିତ। ଏସବୁ ଜଣେ ସାଧାରଣ ଲୋକଙ୍କ ବୁଝିବା ପାଇଁ ଅତ୍ୟନ୍ତ ଜଟିଳ। ଏହା ଲୋକଙ୍କୁ ଗୋଲକଧନ୍ଦାରେ ପକାଉଥିବାରୁ ସେମାନେ ସହଜେ ଦଲାଲଙ୍କ ଜାଲରେ ପଡ଼ି ବରବାଦ୍‌ ହୋଇଥାନ୍ତି। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ରାଜସ୍ୱ ଆଇନର ସରଳୀକରଣ କରି ଏକକ ରାଜସ୍ୱ କୋଡ୍‌ ପ୍ରଚଳନ କରିବାକୁ ଯାଉଛନ୍ତି। ଏ ନେଇ ପ୍ରସ୍ତୁତ ଚିଠା ଉପରେ ସରକାରୀ ସ୍ତରରେ ଆଲୋଚନାର କସରତ ଚାଲିଥିଲା। ଆଜିର ବୈଠକରେ ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ଵାନ କରାଯିବ। ଏଥିପାଇଁ ସେହି ଚିଠାକୁ ଓ୍ଵବ୍‌ସାଇଟ୍‌ରେ ଛଡ଼ାଯିବ। ଏଥିପାଇଁ ୩୦ ଦିନ ସମୟ ରଖାଯିବ। ମତାମତ ମିଳିବା ପରେ ପରବର୍ତୀ ପର୍ଯ୍ୟାୟରେ ଏହାକୁ ନ୍ୟାୟିକ ଅନୁମୋଦନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଆଜି ସଚିବାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି। ବୈଠକର ବିବରଣୀରୁ ଜଣାଯାଇଛି, ପ୍ରଚଳିତ ୭ଟି ନୂଆ ଓ ପୁରୁଣା ରାଜସ୍ୱ ଆଇନକୁ ସରଳୀକରଣ କରି ଏକକ ରାଜସ୍ୱ କୋଡ୍‌ ପ୍ରଣୟନ କରାଯିବ। ଏହି ଆଇନଗୁଡ଼ିକ ମଧ୍ୟରେ ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ଆଇନ ୧୯୫୮, ଓଡ଼ିଶା ସ୍ୱତନ୍ତ୍ର ସର୍ଭେ ଓ ବନ୍ଦୋବସ୍ତ ଆଇନ ୨୦୧୨, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨, ଓଡ଼ିଶା ଜମି ଅବରୋଧ ଆଇନ ୧୯୭୨, ଓଡ଼ିଶା ଚକବନ୍ଦୀ ଆଇନ ୧୯୭୨ ଓ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୧ ଆଦି ଅନ୍ତର୍ଭୁକ୍ତ। ସେହିପରି ୨୯୯ଟି ଧାରାକୁ ସରଳୀକରଣ କରି ଚିଠା କୋଡ୍‌ରେ ୧୦୭ଟି ଧାରାକୁ ରଖାଯାଇଛି।

ପୂର୍ବରୁ ଏକକ ରାଜସ୍ୱ ଚିଠା କୋଡ୍‌ ପ୍ରସ୍ତୁତ କରିବା ପାଇଁ ୭ଜଣ ଅଭିଜ୍ଞ ବେସରକାରୀ ସଦସ୍ୟଙ୍କ ସମେତ ୧୨ ଜଣିଆ କମିଟି ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ହେଉଛନ୍ତି ରାଜସ୍ୱ ପର୍ଷଦ ସଭ୍ୟ ଶ୍ରୀ ଶର୍ମା। ଆଜିର ବୈଠକରେ ଚିଠା କୋଡ୍‌ ଉପରେ ବିଶଦ ଆଲୋଚନା ହୋଇଥିଲା। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଏକକ ରାଜସ୍ୱ କୋଡ୍‌ର ଚିଠାକୁ ଜନସାଧାରଣଙ୍କ ପାଇଁ େଓ୍ଵବ୍‌ସାଇଟ୍‌ରେ ରଖାଯିବ। ଏ ନେଇ ଜନସାଧାରଣଙ୍କଠାରୁ ଅଭିଯୋଗ ଓ ମତାମତ ଆହ୍ଵାନ କରାଯିବ। ଚଳିତ ମାସ ଶେଷ ସୁଦ୍ଧା ଏହା ଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ୩୦ ଦିନରେ ଜନସାଧାରଣ ସେମାନଙ୍କର ମତାମତ ଓ ଅଭିଯୋଗ ଦେଇପାରିବେ। ସେହି ମତାମତ ଓ ଅଭିଯୋଗ ଭିତ୍ତିରେ ଚିଠା ପ୍ରସ୍ତାବରେ ଆବଶ୍ୟକ ସଂଶୋଧନ କରାଯିବ। ପରେ ଆଇନ ବିଭାଗର ମଞ୍ଜୁରୀ ନେଇ ଚିଠାକୁ ଆଇନରେ ପରିଣତ କରିବା ପାଇଁ କ୍ୟାବିନେଟ୍‌ ଅନୁମୋଦନ ଲୋଡ଼ାଯିବ ବୋଲି ସ୍ଥିର ହୋଇଛି।

ରାଜସ୍ୱ କୋଡ୍‌ ଚିଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବ ଅନୁସାରେ ୩୦ ବର୍ଷ ଧରି ସରକାରୀ ଜମି ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କ ନାମରେ ସେହି ଜମି ରେକର୍ଡ ହୋଇପାରିବ ନାହିଁ। ଓଡ଼ିଶା ଜମି ଅବରୋଧ ଆଇନ ୧୯୭୨ରେ ସରକାରୀ ଜମି ରେକର୍ଡ ବ୍ୟବସ୍ଥା ରହିଛି। ସେହିପରି ଚିଠା କୋଡ୍‌ରେ ଷ୍ଟାଣ୍ଡାର୍ଡ ଏକର ପରିବର୍ତେ କେବଳ ଏକର ବ୍ୟବହାର, ଚକବନ୍ଦୀକୁ ଇଚ୍ଛାଧୀନ, ରୟତ ଓ ଟେନାଣ୍ଟ ଶବ୍ଦ ବଦଳରେ ଲ୍ୟାଣ୍ଡ ହୋଲ୍‌ଡର ଶବ୍ଦ, ସର୍ଭେରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜମି ପାସ୍‌ ବୁକ୍‌ ପ୍ରସ୍ତୁତି, ଜମିର ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଖଜଣା ନିର୍ଧାରଣ ଆଦି ବ୍ୟବସ୍ଥା ପ୍ରଣୟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ପର୍ଷଦ ସଭ୍ୟ ଜି.ଭି.ଭି. ଶର୍ମା, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର, ଆଇନ ବିଭାଗ ପ୍ରମୁଖ ସଚିବ ଶଶୀକାନ୍ତ ମିଶ୍ର, ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ରାଜସ୍ୱ କମିସନରମାନେ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର