କାହା ହାତରେ ମେଞ୍ଚେ, କାହା ହାତରେ କେଞ୍ଚେ, ଜଣେ ଜଣେ ସଚିବ ଏକାଧିକ ବିଭାଗ ଦାୟିତ୍ବରେ

ନିଯୁକ୍ତି ବେଳେ ବରିଷ୍ଠ କନିଷ୍ଠ ତାଳମେଳ ରହୁନି
କରୋନା ଭଳି ତିରୋଟ ସମୟରେ ଯୁଝିବେ କେମିତି?

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସ୍ଥିତି ଭୟାନକ ଅବସ୍ଥାରେ ରହିଛି। ଲୋକଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ଅର୍ଥନୀତି ସବୁକିଛି ଏଥିରେ ବାଜି ଲାଗିଛି। ଶିକ୍ଷା, ସ୍ବାସ୍ଥ୍ୟ ଗମ୍ଭୀର ଅବସ୍ଥାରେ। ରାଜ୍ୟ ପ୍ରଶାସନ ପାଇଁ ଏହା ଏବେ ଚ୍ୟାଲେଞ୍ଜର ସମୟ। କିନ୍ତୁ ଲୋକସେବା ଭବନର ଚିତ୍ରକୁ ନିରେଖି ଦେଖିଲେ, କେଉଁଠି ନା କେଉଁଠି ଜଳଜଳ ହୋଇ ଦିଶିଲାଣି ଯେ ଅଧିକାଂଶ ପ୍ରଶାସକ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି। ଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗର ଦାୟିତ୍ବ। କାହା ସହିତ କାହାର ମେଳ ଖାଉନି। ଯିଏ କେନ୍ଦ୍ରାଞ୍ଚଳ ଆର୍‌ଡିସି, ସେ ଉତ୍ତରାଞ୍ଚଳ ଦାୟିତ୍ବରେ ମଧ୍ୟ। ଆଇଏଏସ୍ ଅନୀଲ ସାମଲ କାହାକୁ ଓ କେତେବେଳେ ନ୍ୟାୟ ଦେବେ? କୋଟିଆ ଯେବେ ହାତରୁ ଖସିଯିବା ଭଳି ଅବସ୍ଥାରେ ଅଛି, ସେବେ କେବିକେ ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ ଠାକୁର ସେଠି ରହିବେ ନା ଏଠି ଗୋପବନ୍ଧୁ ଏକାଡେମି ମହାନିର୍ଦେଶକ ଦାୟିତ୍ବ ସମ୍ଭାଳିବେ। କିଛି ସଚିବଙ୍କ ହାତରେ ଗୋଟିଏ ଲେଖାଏଁ ଦାୟିତ୍ବ ଥିବା ବେଳେ ଅଳ୍ପ କିଛି ଅଧିକାରୀଙ୍କ ହାତରେ ଏତେ ସବୁ ଗୁରୁତ୍ବପୂର୍ଣ୍ଣ ପଦବି ଲଦି ଦିଆଯିବା ପଛରେ ଯୁକ୍ତି କଣ?

ଆହୁରି ବିଚିତ୍ର ବିଲକ୍ଷଣ ମାନ ଦେଖିବାକୁ ମିଳିଲାଣି। ୨୦୧୩ ମସିହାରୁ ପଞ୍ଚାୟତିରାଜ ବିଭାଗ ସଚିବ ଦାୟିତ୍ବରେ ଦେଓରଂଜନ ସିଂହ ରହିଛନ୍ତି। ଇତିମଧ୍ୟରେ ଚାରି ଚାରି ଜଣ ମୁଖ୍ୟ ସଚିବ ବଦଳିଗଲେଣି। କିନ୍ତୁ ତାଙ୍କର ବଦଳି ହେଉନାହିଁ। ଠିକ୍ ସେମିତି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍ ୭ବର୍ଷ ହେଲା ସେହିଠାରେ ଅଛନ୍ତି। ଅଥଚ ଏହା ମଧ୍ୟରେ ବିଭିନ୍ନ ସଚିବଙ୍କର ବାରମ୍ବାର ବଦଳି ହୋଇଛି।

କୌତୂହଳ କଥା ହେଲା, ଆଜି ବିଏମ୍‌ସି କମିସନର ଭାବେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଂଜୟ ସିଂହଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ସେ ବିଡିଏ ଦାୟିତ୍ବରେ ବି ରହିବେ। ଯଦିଓ କେହି କେହି ତାଙ୍କର କ୍ଷମତାଚ୍ୟୁତ କଥା କହୁଛନ୍ତି। କିନ୍ତୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଯୁକ୍ତି ହେଉଛି, କୋଭିଡ୍ ଭଳି ସଙ୍ଗିନ୍ ସ୍ଥିତିରେ ଶ୍ରୀ ସିଂହଙ୍କ ଭଳି ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବା ନିଷ୍ପତ୍ତି ଯଥାର୍ଥ। ଅନ୍ୟପକ୍ଷରେ କିନ୍ତୁ ଶ୍ରୀ ସିଂହଙ୍କ ନିଯୁକ୍ତି ପରେ ଯେଉଁ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି, ତାହା ହେଲା ତାଙ୍କ ଠାରୁ କନିଷ୍ଠ ସଂଗ୍ରାମଜିତ୍ ନାୟକ କିଭଳି ବିଏମ୍‌ସି ପ୍ରଶାସକ ଭାବେ ସେଠାରେ କାର୍ଯ୍ୟ କରିବେ? ସରକାର ଶ୍ରୀ ନାୟକଙ୍କ ସ୍ଥାନରେ ଜଣେ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେବା କଥା କିଭଳି ଭୁଲିଗଲେ? କେବଳ ସେତିକି ନୁହେଁ, ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ ଜେନା ଉନ୍ନୟନ କମିସନର ଭାବେ ପାଞ୍ଚମାସ ହେଲା କାମ କଲେଣି। ତାଙ୍କ ଠାରୁ ବରିଷ୍ଠ ତଥା ୧୯୮୮ ବ୍ୟାଚ୍ ଅଫିସର ପ୍ରଦୀପ କୁମାର ମହାପାତ୍ର ସ୍ବାସ୍ଥ୍ୟ ବିଭାଗର ଏସ୍‌ସିଏସ୍ ଭାବେ ଦାୟିତ୍ବ ତୁଲାଇବାକୁ କଥାକୁ ମଧ୍ୟ ବହୁ ପୂର୍ବତନ ପ୍ରଶାସକମାନେ ଗ୍ରହଣ କରିପାରୁନାହାନ୍ତି। ଏହାଦ୍ବାରା ପ୍ରଶାସନିକ ଶୃଙ୍ଖଳା ବ୍ୟାହତ ହେଉଥିବା ଚର୍ଚ୍ଚା ଜୋର ଧରିଲାଣି।

ଏମିତିରେ ବି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଏସ୍‌ଆର୍‌ସି ଓ ଓସ୍‌ଡମା ଦାୟିତ୍ବ ରହିଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ହାତରେ ପୂର୍ବରୁ ଇପିକଲ୍ ଦାୟିତ୍ବ ଥିଲା। ଆଜି ସରକାର ତାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଧରାଇଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ। ଏବେ ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ମନୋଜ କୁମାର ମିଶ୍ର ତାଙ୍କର ମୂଳ ଦାୟିତ୍ବ (ସ୍ବତନ୍ତ୍ର ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ) ସହିତ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ବିଜ୍ଞାନ ଏବଂ କାରିଗରୀ କୌଶଳ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ଜଳସଂପଦ ସଚିବ ଅନୁ ଗର୍ଗ ମହିଳା ଓ ଶିଶୁବିକାଶ ବିଭାଗର ସଚିବ ଦାୟିତ୍ବରେ ଅଛନ୍ତି। ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବରେ। ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାରଙ୍କ ହାତରେ ତିନି ତିନିଟି ଦାୟିତ୍ବ। ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଏହା ସହିତ ସରକାର ତାଙ୍କୁ ପୁଣି ଇଡ୍‌କୋ କଥା ବୁଝିବାକୁ ଆଜି କ୍ଷମତା ଦେଇଛନ୍ତି। ଏ ଅଧିକାରୀମାନେ ଦିନରେ କେଉଁଠି କେତେ ସମୟ ବସିବେ?

ଯଦି ସରକାର ବିଚାର କରିଛନ୍ତି ଯେ ଅଧିକାଂଶ ବିଭାଗରେ ନିୟମିତ ସଚିବଙ୍କର ଆବଶ୍ୟକ ନାହିଁ, ତେବେ ସେ ନେଇ ଘୋଷଣା କରିବାରେ ଅସୁବିଧା କେଉଁଠି? ଏଭଳି ନିଯୁକ୍ତି ଦେବା ଦ୍ବାରା ପ୍ରଶାସନ ସକ୍ରିୟ ହେଉଛି ନା ସ୍ଥାଣୁ ପାଲଟିଗଲାଣି, ତାହା ଏବେ ଆଇଏଏସ୍ ମହଲରେ ଚର୍ଚାର ବିଷୟ ‌ହୋଇଛି।

ସେହିଭଳି ରାଜ୍ୟ ଏବେ କୃଷି ଉପରେ ସବୁଠାରୁ ଅଧିକ ନିର୍ଭର କରୁଛି। ଏହି ବିଭାଗ କିନ୍ତୁ କା’ରେ ଚାଲିଛି। ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ ବଶିଷ୍ଠ ଏବେ ସୌରଭ ଗର୍ଗ କେନ୍ଦ୍ରକୁ ଯିବା ପରେ ଦାୟିତ୍ବରେ ଅଛନ୍ତି। ସରକାର ସେଠାରେ ସ୍ଥାୟୀ ସଚିବ ଦେଉନାହାନ୍ତି କି ଶ୍ରୀ ବଶିଷ୍ଠଙ୍କ ନିଯୁକ୍ତିର ସଂଶୋଧନ କରାଯାଉନାହିଁ। କେନ୍ଦ୍ରୀୟ ଡେପୁଟେସନ୍ ଯିବେ ବୋଲି ସରକାର ବିଶାଳ ଦେବ, ସଂଜୀବ ଚୋପ୍ରା, ରଂଜନା ଚୋପ୍ରା, ପ୍ରମୋଦ ମେହେର୍ଦା, ସଂଜୀବ ମିଶ୍ରଙ୍କୁ ଅନୁମତି ଦେଇଛନ୍ତି। ହେଲେ ଏଯାଏ ସେମାନଙ୍କର ନିଯୁକ୍ତି ଆସୁନାହିଁ କି ସରକାର ଆଇଏଏସ୍‌ସ୍ତରରେ ଅଦଳବଦଳ କରୁନାହାନ୍ତି। କେନ୍ଦ୍ର ସରକାର ଫେରାଇ ଦେଇଥିଲେ ବି ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମା ଏଯାଏ ଓଡ଼ିଶା ସରକାରରେ ଯୋଗ ଦେଇନାହାନ୍ତି। ସେହିଭଳି ମନିଷ୍ ବର୍ମା ଦୁଇମାସ ହେଲା ବିହାରରୁ ରିଲିଭ୍ ହେବା ପରେ ବି ଓଡ଼ିଶାକୁ ଫେରୁନାହାନ୍ତି।

କିଛି ପୂର୍ବତନ ପ୍ରଶାସକଙ୍କର କହିବା କଥା ହେଲା, ପୂର୍ବରୁ ଓଏଏସ୍‌ରୁ ପଦୋନ୍ନତି ପାଉଥିବା ଆଇଏଏସ୍ ଅଫିସରଙ୍କୁ ଅନେକ ଗୁରୁଦାୟିତ୍ବ ଦିଆଯାଉଥିଲା। ରବି ନାରାୟଣ ଦାଶଙ୍କ ଠାରୁ ଆରମ୍ଭ କରି ଗୋପୀନାଥ ମହାନ୍ତି, ସ୍ବପ୍ନେଶ୍ବର ବାୟା, ବେଣୁଧର ମିଶ୍ର, ସୁରେଶ ପଟ୍ଟନାୟକଙ୍କ ଭଳି ବହୁ ଅଧିକାରୀ ସଚିବ ପଦବିରେ ଥିଲେ। ଶିଳ୍ପ, ପଞ୍ଚାୟତିରାଜ, ଉଚ୍ଚଶିକ୍ଷା ବିଭାଗର ସଚିବ ସେମାନେ ଥିଲେ। ଏବେ ଏଭଳି ଅନେକ ବରିଷ୍ଠ ଓ ଯୋଗ୍ୟ ଅଧିକାରୀ ସଚିବାଳୟରେ ଅଛନ୍ତି। ଏମାନଙ୍କୁ ସରକାର କାହିଁକି ବିଶ୍ବାସକୁ ନେଉନାହାନ୍ତି ବୁଝାପଡୁନାହିଁ। ତିରୋଟ ସମୟରେ ସଚିବମାନେ ଯଦି ଏକାଧିକ ବିଭାଗ ଦାୟିତ୍ବରେ ରହିବେ, ତେବେ ପ୍ରଶାସନରେ ସକ୍ରିୟତା ଆସିବା ଅସମ୍ଭବ। ମୁଖ୍ୟଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ନେବାର ପାଞ୍ଚମାସ ପରେ ବି ସଚିବସ୍ତରର ଅଦଳବଦଳ ନ ହେବା କିଛି କମ୍ ବିସ୍ମୟକର କଥା ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର